ନୂଆଦିଲ୍ଲୀ: ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି । ଏଫଏସଏସଏଆଇ ପାର୍ବଣ ଋତୁରେ ଖାଦ୍ୟ ସାମଗ୍ରୀର ଗୁଣବତ୍ତା ଯାଞ୍ଚକୁ ଗୁରୁତ୍ୱ ଦେଇ ଦେଶବ୍ୟାପୀ ଏହି ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଚଳାଯାଇଥିଲା । ସେପ୍ଟେମ୍ବର ୧ରୁ ନଭେମ୍ବର ୫ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ପ୍ରାୟ ୮୨ କୋଟି ଟଙ୍କା ମୂଲ୍ୟର ୩,୨୮୦ ମେଟ୍ରିକ୍ ଟନରୁ ଅଧିକ ଅପରମିଶ୍ରିତ ଖାଦ୍ୟ ସାମଗ୍ରୀ ଜବତ କରାଯାଇଛି । ଜବତ ସାମଗ୍ରୀ ମଧ୍ୟରେ ପନିର, ଘିଅ, କ୍ଷୀର ଓ ବିଭିନ୍ନ ପ୍ରକାର ମିଠା ରହିଛି ।
ନିୟମ ଉଲ୍ଲଂଘନ କରିଥିବା ବ୍ୟବସାୟୀଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୫୨ଟି ଖାଦ୍ୟ ବ୍ୟବସାୟ ଲାଇସେନ୍ସ ରଦ୍ଦ କରାଯାଇଥିବା ବେଳେ ୧,୧୩୩ଟି ଲାଇସେନ୍ସକୁ ନିଲମ୍ବନ କରାଯାଇଛି । ଏହାବ୍ୟତୀତ ୩୧୪ଟି ଖାଦ୍ୟ ପ୍ରତିଷ୍ଠାନକୁ ସିଲ୍ କରାଯାଇଛି ।
ଏଫଏସଏସଏଆଇ ଶନିବାର ସୋସିଆଲ ମିଡିଆରେ ଏହି ଅଭିଯାନ ସମ୍ପର୍କରେ ସୂଚନା ଦେଇଛି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଖାଦ୍ୟ ପଦାର୍ଥର ଗୁଣବତ୍ତା ଉପରେ ନୀରିକ୍ଷଣ ବଢ଼ାଯାଇଥିବା ପ୍ରାଧିକରଣ ପକ୍ଷରୁ କୁହାଯାଇଛି । ଏହି ସମୟ ମଧ୍ୟରେ ଦେଶର ମୋଟ ୫୬,୪୩୧ଟି ଖାଦ୍ୟ ବ୍ୟବସାୟ ପ୍ରତିଷ୍ଠାନରେ ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ଅନେକ ସ୍ଥାନରେ ଖାଦ୍ୟ ସୁରକ୍ଷା ସମ୍ପର୍କିତ ନିୟମ ପାଳନ ହେଉନଥିବା ଜଣାପଡ଼ିଥିଲା । ଏହାପରେ ସମ୍ପୃକ୍ତ ପ୍ରତିଷ୍ଠାନଗୁଡ଼ିକ ବିରୋଧରେ ଆଇନଗତ ପଦକ୍ଷେପ ନିଆଯାଇଥିଲା ।
