କେନ୍ଦୁଝରରେ CMଙ୍କ ଜନଶୁଣାଣି, ଜନତାଙ୍କ ଅଭିଯୋଗ ଶୁଣି ଅଧିକାରୀଙ୍କୁ ସମାଧାନ ନିର୍ଦ୍ଦେଶ

ରାଜ୍ୟ
Spread the love

କେନ୍ଦୁଝର ୮।୧୧: କେନ୍ଦୁଝର ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କର ଗସ୍ତର ଚତୁର୍ଥ ଦିନରେ ମୁଖ୍ୟମନ୍ତ୍ରୀ ସର୍କିଟ ହାଉସ ଠାରେ ଏକ ଅଭିଯୋଗ ଶୁଣାଣି କରିଛନ୍ତି । ଏଠାରେ ଶତାଧିକ ଲୋକ ଆସି ଲାଇନରେ ଠିଆ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଯେହେତୁ ଲୋକଙ୍କର ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖକୁ ଆସି ଲୋକଙ୍କ କଥା ଶୁଣୁଛନ୍ତି, ଲୋକଙ୍କ ପାଖକୁ ଆସୁଛନ୍ତି, ତେଣୁ ଲୋକମାନେ ମଧ୍ୟ ସେ ସୁଯୋଗ ଛାଡିବାକୁ ଚାହୁଁନାହାନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଦେବା ପାଇଁ ଏଠି ପ୍ରବଳ ମାତ୍ରାରେ ଜନ ଗହଳି ହୋଇଥିଲା ।
ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି ସ୍ଥାନକୁ ଆସୁଥିବା ସମୟରେ ଛୋଟ ଛୋଟ କୁନି କୁନି ପିଲାମାନେ, ଯେଉଁମାନେ କି ସ୍କେଟିଂ ଖେଳରେ ଯାଇ ଜିଲ୍ଲା, ରାଜ୍ୟ ତଥା ଜାତୀୟ ସ୍ତରରେ ନାଁ କମେଇଛନ୍ତି ମେଡାଲ ଆଣିଛନ୍ତି, ସେ ପିଲାମାନଙ୍କୁ ପ୍ରଥମେ ଭେଟିଥିଲେ । ପିଲାମାନେ ଏଠାରେ ସ୍କେଟିଂ ରିଙ୍ଗ୍ ନଥିବାରୁ ପ୍ରାକ୍ଟିସ କରିବା ପାଇଁ ଅସୁବିଧା ହେଉଥିବା କଥା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ପିଲାମାନଙ୍କୁ ଆଶ୍ବାସନା ଦେଇଥିଲେ ଏଠାରେ ଗୋଟେ ସ୍କେଟିଂ ରିଙ୍ଗ୍ ପ୍ରତିଷ୍ଠା ହେବ । ପିଲାମାନେ ଆହୁରି ଭଲ ଖେଳି ଗୋଲ୍ଡ ମେଡାଲ ଜିତନ୍ତୁ ଏବଂ ଦେଶ ବିଦେଶରେ ନାମ କରନ୍ତୁ ବୋଲି ତାଙ୍କୁ ମଧ୍ୟ ଉପକରଦେଶ ଦେବା ସହ ଆଶୀର୍ବାଦ କରିଥିଲେ ।
ଏହାପରେ ଶହ ଶହ ଲୋକ ଲାଇନରେ ଶାନ୍ତି ଶୃଙ୍ଖଳାର ସହ ଆସି ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଅଭିଯୋଗ ଶୁଣାଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ପାଖକୁ ଯେଉଁମାନେ ଅଭିଯୋଗ ଦେବା ପାଇଁ ଆସିଥିଲେ ତାଙ୍କର ବସିବାର ବ୍ୟବସ୍ଥା କରିଥିଲେ ଏବଂ ଯେଉଁମାନେ ବୟସ୍କ ଲୋକ, ଭିନ୍ନକ୍ଷମ ଲୋକ, ତାଙ୍କୁ ତାଙ୍କ ପାଖରେ ବସେଇ ତାଙ୍କ ଠାରୁ ଗୋଟି ଗୋଟି କରି ଅଭିଯୋଗ ଶୁଣୁଥିଲେ । ତୁରନ୍ତ ସେଠାରେ ଉପସ୍ଥିତ ଥିବା ଅଧିକାରୀ ମାନଙ୍କୁ ତାଙ୍କ ସମସ୍ୟାର ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଉଥିଲେ ।

Leave a Reply

Your email address will not be published. Required fields are marked *