ଆଜିଠୁ ଆରମ୍ଭ ଭଦ୍ରକର ପ୍ରସିଦ୍ଧ କାଳୀପୂଜା, ୯ ଦିନ ଧରି ଜମିବ ମେଳା

ରାଜ୍ୟ
Spread the love

ଭଦ୍ରକ: ଆଜିଠୁ ଉତ୍ସବମୁଖର ହେବ ଭଦ୍ରକ ସହର। ଐତିହାସିକ କାଳୀପୂଜାକୁ ନେଇ ଚାରିଆଡ଼େ ଉତ୍ସାହ ଓ ଉଦ୍ଦୀପନା। ମା’ଙ୍କ ଆଗମନ ପାଇଁ ସଜେଇ ହୋଇଛି ବିଭିନ୍ନ ପୂଜାମଣ୍ଡପ। ଆଲୋକମାଳାରେ ଝଲସିବ ସହରର ଗଳିକନ୍ଦି। ଅନ୍ୟପଟେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ମଧ୍ୟ ଦର୍ଶନ ଦେଉଛନ୍ତି ମା’। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ବେଶ୍ ଆନନ୍ଦ ଦେଖିବାକୁ ମିଳିଛି।
କାଳୀପୂଜା ପାଇଁ ଭଦ୍ରକର ବିଭିନ୍ନ ମଣ୍ଡପରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମା’ଙ୍କ ମୃଣ୍ମୟୀ ପ୍ରତିମାକୁ କାରିଗରମାନେ ଶେଷ ସ୍ପର୍ଶ ଦେଇଛନ୍ତି। ଆଜି ମଧ୍ୟରାତ୍ରିରେ ବିଧିବିଧାନ ଅନୁସାରେ ମା’ କାଳୀଙ୍କୁ ଆବାହନ କରାଯିବ। ପ୍ରାଣ ପ୍ରତିଷ୍ଠା ଓ ଚକ୍ଷୁଦାନ ପରେ ଆସନ୍ତାକାଲିଠାରୁ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିପାରିବେ।
କେବଳ ପୂଜା ନୁହେଁ, ଏହି ଅବସରରେ ଭଦ୍ରକ ସହରର ବାଇପାସ୍ ଓ ଚରମ୍ପା ଅଞ୍ଚଳରେ ୯ ଦିନ ଧରି ଆୟୋଜିତ ହେବ ଭବ୍ୟ ମେଳା। ମେଳାକୁ ନେଇ ଏବେଠାରୁ ଅଞ୍ଚଳରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ବିଭିନ୍ନ ଦୋକାନବଜାର, ମନୋରଞ୍ଜନ ଓ ଖାଦ୍ୟପେୟର ଆସର ଜମିବାକୁ ଥିବାରୁ ଭକ୍ତଙ୍କ ସହ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଉତ୍ସାହ ରହିଛି।
ପ୍ରତିବର୍ଷ ଭଦ୍ରକର ଏହି ଐତିହାସିକ କାଳୀପୂଜା ରାଜ୍ୟର ବିଭିନ୍ନ ସ୍ଥାନରୁ ଭକ୍ତ ଓ ଦର୍ଶକଙ୍କୁ ଆକର୍ଷିତ କରିଥାଏ। ମା’ଙ୍କ ଆଶୀର୍ବାଦ ନେବା ସହ ମେଳାର ମଜା ଉଠାଇବାକୁ ଅପେକ୍ଷା କରିଛନ୍ତି ଶ୍ରଦ୍ଧାଳୁ। ଏଥର ମଧ୍ୟ ନଅ ଦିନ ଧରି ଭଦ୍ରକ ସହର ଭକ୍ତି, ଆସ୍ଥା ଓ ଉତ୍ସବର ରଙ୍ଗରେ ରଙ୍ଗାୟିତ ହେବ।

Leave a Reply

Your email address will not be published. Required fields are marked *