ପ୍ରତିଶ୍ରୁତି ପାଣିର ଗାର: ୧୮ ବର୍ଷ ବିତିଲା, ସାରଳାପୀଠ ବିସ୍ଥାପିତ ଦୋକାନୀଙ୍କୁ ମିଳିଲାନି ଥଇଥାନ

ରାଜ୍ୟ
Spread the love

ଝଙ୍କଡ଼: ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠର ସମ୍ପ୍ରସାରଣ ତଥା ଉନ୍ନୟନ ପାଇଁ ଗତ ୨୦୦୯ ମସିହାରେ ସାରଳା ମନ୍ଦିର ସମ୍ମୁଖରେ ଥିବା ୭୦ରୁ ଊର୍ଦ୍ଧ୍ୱ ଦୋକାନଘରକୁ ପ୍ରଶାସନ ତରଫରୁ ବୁଲ୍‌ଡୋଜର ଲଗାଇ ଭାଙ୍ଗି ଦିଆଯାଇଥିଲା। ମାତ୍ର ବର୍ଷକ ମଧ୍ୟରେ ଏକ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇ ସମସ୍ତ ବିସ୍ଥାପିତ ଦୋକାନୀମାନଙ୍କୁ ପୁନଃ ଥଇଥାନ କରାଯିବ ବୋଲି ସେତେବେଳେ ପ୍ରଶାସନ ପକ୍ଷରୁ ଦୃଢ଼ ପ୍ରତିଶ୍ରୁତି ଦିଆଯାଇଥିଲା। ତା’ପରେ ୨୦୧୫ ମସିହାରେ ଏଠାରୁ ବଡ଼ଠାକୁର ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମଦାରୁ ଆବିର୍ଭାବ ହେବା ପରେ, ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଓ ଜଗତସିଂହପୁର ଜିଲ୍ଲାପାଳ ସତ୍ୟ କୁମାର ମଲ୍ଲିକଙ୍କ ନେତୃତ୍ୱ ତଥା ନିର୍ଦ୍ଦେଶକ୍ରମେ ସାରଳାପୀଠରେ ବ୍ୟବସାୟ କରି ଜୀବନଜୀବିକା ନିର୍ବାହ କରୁଥିବା ଆଉ ୧୩୦ଟି ଦୋକାନଘରକୁ ଭାଙ୍ଗି ଦିଆଯାଇଥିଲା। ସେତେବେଳେ ମଧ୍ୟ ପ୍ରଶାସନ ତରଫରୁ ଦୃଢ଼ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ମାତ୍ର ତିନି ମାସ ମଧ୍ୟରେ ନୂତନ ଦୋକାନଘର ନିର୍ମାଣ କରାଯାଇ ସମସ୍ତ ଦୋକାନୀଙ୍କୁ ଯଥାଶୀଘ୍ର ଯୋଗାଇ ଦିଆଯିବ। କିନ୍ତୁ ସେହି ପ୍ରତିଶ୍ରୁତି ମଧ୍ୟ କେବଳ ପ୍ରତିଶ୍ରୁତିରେ ହିଁ ସୀମିତ ରହିଗଲା।

ପୁନଶ୍ଚ ୨୦୧୮ ମସିହାରେ ତତ୍କାଳୀନ ରାଜ୍ୟ ସରକାରଙ୍କ ପକ୍ଷରୁ ସାରଳାପୀଠର ନବୀକରଣ କାର୍ଯ୍ୟ ନିମନ୍ତେ ୪୨ କୋଟି ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରାଯାଇଥିଲା। ଓବିସିସି (OBCC) ଦ୍ୱାରା ନିର୍ମାଣ କାମ ଆରମ୍ଭ ହେବା ପୂର୍ବରୁ ପୁଣିଥରେ ୧୦୮ଟି ଦୋକାନଘରକୁ ବୁଲ୍‌ଡୋଜର ଲଗାଇ ଭାଙ୍ଗି ଚୁରମାର କରି ମାଟିରେ ମିଶାଇ ଦିଆଗଲା। ସେହି ସମୟରେ ଜଗତସିଂହପୁର ଜିଲ୍ଲାପାଳ, ଏସପି ଓ ମନ୍ଦିର ପ୍ରଶାସନ ତରଫରୁ ପୁଣି ଥରେ ପ୍ରତିଶ୍ରୁତି ଦିଆଗଲା ଯେ ମାର୍କେଟ କମ୍ପ୍ଲେକ୍ସ କାମ ଶେଷ ହେବା ମାତ୍ରେ ସମସ୍ତ ବିସ୍ଥାପିତ ଦୋକାନୀମାନଙ୍କୁ ଅତିଶୀଘ୍ର ଦୋକାନଘର ଯୋଗାଇ ଦିଆଯିବ। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ ତାହା ମଧ୍ୟ ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ପ୍ରଶାସନର ଏଭଳି ଉଦାସୀନତା ଯୋଗୁଁ ଭିଟାମାଟି ଓ ବ୍ୟବସାୟ ହରାଇଥିବା ୩୦୦ରୁ ଊର୍ଦ୍ଧ୍ୱ ଦୋକାନୀଙ୍କ ମଧ୍ୟରୁ କେତେକ ଜୀବିକା ହରାଇ, ଭୋକ ଉପାସରେ ରହି ତଥା ରୋଗାକ୍ରାନ୍ତ ହୋଇ ଉପଯୁକ୍ତ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କଲେଣି।

ଅପରପକ୍ଷରେ ଯେଉଁ ଦୋକାନଘରଗୁଡ଼ିକ ଶବରପଲ୍ଲୀଠାରେ ନିର୍ମାଣ କରାଯାଇଛି, ସେଗୁଡ଼ିକର ଆକାର ଏତେ ଛୋଟ ଯେ ସେଥିରେ କୌଣସି ଜଳଖିଆ ଦୋକାନ ବା ହୋଟେଲଟିଏ ମଧ୍ୟ ଖୋଲିବା ଆଦୌ ସମ୍ଭବପର ନୁହେଁ। ତେଣୁ ବ୍ୟବସାୟୀମାନେ ଏହି ଛୋଟ ଛୋଟ ଘର ନେବା ପାଇଁ ଆଦୌ ଇଚ୍ଛୁକ ନୁହନ୍ତି। ଏ ସମ୍ପର୍କରେ ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟରଞ୍ଜନ ପରିଜାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ନିର୍ମାଣ କରାଯାଇଥିବା ଦୋକାନଘରଗୁଡ଼ିକର ମଝି କାନ୍ଥକୁ ଭାଙ୍ଗି, ଦୁଇଟି ଦୋକାନକୁ ଗୋଟିଏ କରି ବଡ଼ ଘର ଯୋଗାଇ ଦିଆଯିବ। ତେବେ ଉକ୍ତ ଦୋକାନଘରମାନଙ୍କରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତକରଣ ଓ ପାନୀୟ ଜଳଯୋଗାଣ ବ୍ୟବସ୍ଥା ମଧ୍ୟ ହୋଇପାରି ନଥିବାରୁ, ଏଠାରେ କିଏ, କାହିଁକି ଓ କିପରି ବ୍ୟବସାୟ ଆରମ୍ଭ କରିବ ବୋଲି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସବୁଠୁ ବଡ଼ ତଥା ଆଶ୍ଚର୍ଯ୍ୟଜନକ କଥା ହେଉଛି, ଆଜକୁ ପ୍ରାୟ ତିନି ବର୍ଷ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ, ଶୌଚାଳୟ, ଯାତ୍ରୀ ବିଶ୍ରାମାଗାର, ଜଳସମ୍ପଦ ବିଭାଗର ଝଙ୍କଡ଼ ବିଶ୍ରାମାଗାର, ସାରଳା ସୂଚନା କେନ୍ଦ୍ର, ପାଠାଗାର ଓ ସର୍ବୋପରି ଓଟିଡିସି (OTDC)ର ପାନ୍ଥଶାଳାର ଭର୍ଚ୍ଚୁଆଲ ଉଦ୍‌ଘାଟନ ସରିଥିଲେ ମଧ୍ୟ ସେଥିମଧ୍ୟରୁ କୌଣସି ଗୋଟିଏ ହେଲେ ଆଜିଯାଏ କାର୍ଯ୍ୟକ୍ଷମ ହୋଇପାରିନାହିଁ। ସେହିପରି ଏଠାରେ ପୂର୍ବରୁ ଥିବା ନାଟ୍ୟମଣ୍ଡପ, ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରସାଦ ମଣ୍ଡପ ଓ ସେବାୟତ ମଣ୍ଡପକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଆଯାଇଥିବାରୁ ଏବେ ସେବାୟତ, ଶ୍ରଦ୍ଧାଳୁ ଯାତ୍ରୀ ଓ ସାଂସ୍କୃତିକ କଳାକାରମାନଙ୍କୁ ଚରମ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।

ଖୋଦ୍ ଜଗତସିଂହପୁର ଜିଲ୍ଲାପାଳ ସାରଳା ମନ୍ଦିର ପ୍ରଶାସନର ଏକମାତ୍ର ସୋଲ୍ ଟ୍ରଷ୍ଟି ଥିଲେ ମଧ୍ୟ ନବୀକରଣ କାର୍ଯ୍ୟ କାହିଁକି ଏତେ ମନ୍ଥର ଓ ବିଳମ୍ବିତ ହେଉଛି, ତାର କୌଣସି କ୍ଷେତ୍ରସ୍ତରୀୟ ତଦାରଖ କରୁନାହାନ୍ତି। ଅପରପକ୍ଷରେ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପରିଜା ଦୀର୍ଘ ମାସ ଧରି ରୋଗାକ୍ରାନ୍ତ ଅବସ୍ଥାରେ ଭୁବନେଶ୍ୱରରେ ରହୁଥିବାରୁ ୪୨ କୋଟି ଟଙ୍କାର ଏହି ବୃହତ ନବୀକରଣ କାମ ଆଗେଇ ନପାରି ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ରାଜ୍ୟରେ ସରକାର ବଦଳିବା ପରେ ବିଭାଗୀୟ ମନ୍ତ୍ରୀ ଓ ଶାସକ ଦଳର ଜିଲ୍ଲାସ୍ତରୀୟ ଜନପ୍ରତିନିଧିମାନଙ୍କ ନିକଟରେ ସ୍ଥାନୀୟ ଅଧିବାସୀ, ବ୍ୟବସାୟୀ ଓ ସେବାୟତମାନେ ବାରମ୍ବାର ଆପତ୍ତି ଅଭିଯୋଗ କରୁଥିଲେ ହେଁ କେବଳ ଫମ୍ପା ପ୍ରତିଶ୍ରୁତି ବ୍ୟତୀତ ଅନ୍ୟ କୌଣସି ସୁଫଳ ମିଳୁନାହିଁ। ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ଏହି ଚରମ ଅବ୍ୟବସ୍ଥା ଓ ଅଚଳାବସ୍ଥା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏବେ ତୀବ୍ର ଜନଅସନ୍ତୋଷ କୁହୁଳିବାରେ ଲାଗିଛି।

Leave a Reply

Your email address will not be published. Required fields are marked *