ହାଇଦ୍ରାବାଦରେ ଗିଗ୍ ୱାର୍କର୍ସଙ୍କ ବାଇକ୍ ରାଲିରେ ସାମିଲ ହେଲେ ରାହୁଲ ଗାନ୍ଧୀ; ସ୍କୁଟର ପଛରେ ବସି କଲେ ଯାତ୍ରା

ଦେଶବିଦେଶ
Spread the love

ହାଇଦ୍ରାବାଦ: ତେଲେଙ୍ଗାନାର ‘ଗିଗ୍ ୱାର୍କର୍ସ ସୋସିଆଲ ସିକ୍ୟୁରିଟି ଆଣ୍ଡ ୱେଲଫେୟାର ସ୍କିମ୍’ ଶୁଭାରମ୍ଭ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ହାଇଦ୍ରାବାଦରେ ଅନୁଷ୍ଠିତ ଗିଗ୍ ୱାର୍କର୍ସ ବାଇକ୍ ରାଲିରେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ଜଣେ ଗିଗ୍ ୱାର୍କରଙ୍କ ସ୍କୁଟର ପଛରେ ବସି ରାଲିରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଗିଗ୍ ୱାର୍କର୍ସଙ୍କ ଏହି ବିଶାଳ ରାଲିରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ଓ ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ରାହୁଲ ଗାନ୍ଧୀଙ୍କ ସହ ଉପସ୍ଥିତ ଥିଲେ। ଏହି ରାଲି ସହରର ଆଇଟି କରିଡରସ୍ଥିତ ଶିଳ୍ପରାମମ ଅଡିଟରିୟମରୁ ଆରମ୍ଭ ହୋଇ ମାଧାପୁରର ଜୟାଭେରି ଗ୍ରାଉଣ୍ଡରେ ସମାପ୍ତ ହୋଇଛି।

‘ଗିଗ୍ ୱାର୍କର୍ସ ସୋସିଆଲ ସିକ୍ୟୁରିଟି ଆଣ୍ଡ ୱେଲଫେୟାର ସ୍କିମ୍’ ଉନ୍ମୋଚନ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗିଗ୍ ୱାର୍କର୍ସଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ କଂଗ୍ରେସ ସରକାର ସେମାନଙ୍କ ଚିନ୍ତା ଦୂର କରିବା ପାଇଁ ପଦକ୍ଷେପ ନେବା ଲାଗି ନିଜ ପ୍ରତିଶ୍ରୁତି ପୂରଣ କରିଛି। ରାହୁଲ ଗାନ୍ଧୀ କହିଛନ୍ତି ଯେ, “ତେଲେଙ୍ଗାନାର ଗିଗ୍ ୱାର୍କର୍ସଙ୍କ ସହ ମୋର ଏକ ବୈଠକ ହୋଇଥିଲା। ଆପଣମାନେ ମୋ ସହ ଆପଣଙ୍କ ଦୁଃଖ ବାଣ୍ଟିଥିଲେ। ସେ ସମୟରେ ଆମ ମୁଖ୍ୟମନ୍ତ୍ରୀ ଓ ମୁଁ ଆପଣ ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲୁ ଯେ ଆପଣମାନଙ୍କ ଦାବି ପୂରଣ ଲାଗି ପଦକ୍ଷେପ ନେବୁ ଓ ଆପଣଙ୍କ ସହାୟତା ଏବଂ ସୁରକ୍ଷା ନିମନ୍ତେ ଯଥାସମ୍ଭବ ଉଦ୍ୟମ କରିବୁ। ଆଜି ଆମେ ସେହି ପ୍ରତିଶ୍ରୁତି ପୂରଣ କରୁଛୁ।”

ତେଲେଙ୍ଗାନା ସରକାର ଗତ ମାର୍ଚ୍ଚ ମାସରେ ‘ତେଲେଙ୍ଗାନା ପ୍ଲାଟଫର୍ମ ବେସଡ୍ ଗିଗ୍ ୱାର୍କର୍ସ (ରେଜିଷ୍ଟ୍ରେସନ, ସୋସିଆଲ ସିକ୍ୟୁରିଟି ଆଣ୍ଡ ୱେଲଫେୟାର) ବିଲ୍ ୨୦୨୬’ ଉପସ୍ଥାପନ କରିଥିଲେ। ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ କାଳରେ ଗିଗ୍ ୱାର୍କର୍ସମାନେ ସେମାନଙ୍କ ଭବିଷ୍ୟତ ନେଇ ଚିନ୍ତା ବ୍ୟକ୍ତ କରିବାରୁ ଏହି ଆଇନ ପ୍ରଣୟନ କରିବେ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ। ସେହି ଅନୁସାରେ ତେଲେଙ୍ଗାନାରେ ଆଜିଠାରୁ ଅର୍ଥାତ୍ ୧୪ ନଭେମ୍ବର ଶନିବାରଠାରୁ ‘ଗିଗ୍ ୱାର୍କର୍ସ ସୋସିଆଲ ସିକ୍ୟୁରିଟି ଆଣ୍ଡ ୱେଲଫେୟାର ସ୍କିମ୍’ ବିଧିବଦ୍ଧ ଭାବେ ଲାଗୁ ହୋଇଛି। ଏହି ଯୋଜନା ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଗିଗ୍ ୱାର୍କର୍ସ ସାମାଜିକ ସୁରକ୍ଷା ଓ ବୀମା ଭଳି ବିଭିନ୍ନ କଲ୍ୟାଣକାରୀ ସୁବିଧା ପାଇପାରିବେ।

Leave a Reply

Your email address will not be published. Required fields are marked *