ତରଣତାରଣ: ଜମ୍ମୁ-କାଶ୍ମୀର-ରାଜସ୍ଥାନ ଜାତୀୟ ରାଜମାର୍ଗର ନୌସହରା ପନ୍ନୁଆଁ ନିକଟରେ ଶନିବାର ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରା ଯୋଜନାରେ ଯାଉଥିବା ଦୁଇଟି ବସ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍ ଦୁଇଟି ଫିରୋଜପୁରରୁ ଅମୃତସର ସ୍ଥିତ ଶ୍ରୀ ହରିମନ୍ଦିର ସାହିବ ଦର୍ଶନ ପାଇଁ ଯାତ୍ରୀମାନଙ୍କୁ ନେଇଯାଉଥିଲେ। ନୌସହରା ପନ୍ନୁଆଁ ନିକଟରେ ରୋଡ୍ ଡିଭାଇଡର କଟ୍ରୁ ହଠାତ୍ ଏକ ବାଇକ୍ ପଶି ଆସିବାରୁ ଆଗରେ ଥିବା ତୀର୍ଥଯାତ୍ରୀ ବସ୍ଟି ବ୍ରେକ୍ ଲଗାଇଥିଲା, ଫଳରେ ପଛରେ ଆସୁଥିବା ଅନ୍ୟ ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରୀ ବସ୍ଟି ଭାରସାମ୍ୟ ହରାଇ ତାହାକୁ ଧକ୍କା ଦେଇଥିଲା।
ଏହି ଧକ୍କା ଏତେ ଜୋରଦାର ଥିଲା ଯେ ବିସ୍ଫୋରଣ ଭଳି ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଖବର ପାଇ ସଡ଼କ ସୁରକ୍ଷା ଫୋର୍ସ ଟିମ୍ ତୁରନ୍ତ ଦୁର୍ଘଟଣାସ୍ଥଳରେ ପହଞ୍ଚିବା ସହ ମୃତାହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲା। ସିଭିଲ ସର୍ଜନ ଡା. ସନ୍ଦୀପ ଧାବନ ହସ୍ପିଟାଲରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରି ସମସ୍ତ ଆମ୍ବୁଲାନ୍ସକୁ ଦୁର୍ଘଟଣାସ୍ଥଳକୁ ପଠାଇଥିଲେ ଓ ଡାକ୍ତରମାନଙ୍କୁ ଏମର୍ଜେନ୍ସି ୱାର୍ଡକୁ ତୁରନ୍ତ ଡକାଇଥିଲେ। ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।
ତୀର୍ଥଯାତ୍ରୀ ବସ୍ ଦୁଇଟି ମଧ୍ୟରେ ହୋଇଥିବା ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତ ଯାତ୍ରୀଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଛି। ଏଥିସହ ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ହସ୍ପିଟାଲ ଆଣିବା ବେଳେ ଆମ୍ବୁଲାନ୍ସଗୁଡ଼ିକ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ତେବେ ଏସଏସପି ସୁରେନ୍ଦ୍ର ଲାମ୍ବା ତୁରନ୍ତ ଟ୍ରାଫିକ ନିୟନ୍ତ୍ରଣ କରି ଆହତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ହସ୍ପିଟାଲରେ ପହଞ୍ଚାଇବା ପାଇଁ ରାସ୍ତାକୁ ଟ୍ରାଫିକ ମୁକ୍ତ କରିଥିଲେ। ଦୁର୍ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଉଦ୍ଧାର ଅଭିଯାନ ଜାରି ରହିଛି।
