ପରକୀୟା ପ୍ରୀତିରେ ବୁଡ଼ିଲା କୋଟି କୋଟିର ସାମ୍ରାଜ୍ୟ: ଗୁପ୍ତ ସମ୍ପର୍କ ପାଇଁ ପଦବୀ ହରାଇଲେଣି ଏହି ଟେକ୍ ମହାରଥୀ

ଦେଶବିଦେଶ
Spread the love

ୱାଶିଂଟନ: ଟେକ୍ ଦୁନିଆରେ କୋଟି କୋଟି ଡଲାରର ସାମ୍ରାଜ୍ୟ, ଆଉ ହାତରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ଟେକ୍ନୋଲୋଜିର ନିୟନ୍ତ୍ରଣ। କିନ୍ତୁ ଠିକ୍ ଚାଲିନି ଏହି ପାୱାରଫୁଲ୍ ବିଜନେସ୍‌ମ୍ୟାନ୍‌ଙ୍କ ପର୍ସନାଲ୍ ଲାଇଫ୍। କାରଣ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ଦେଖିବାକୁ ମିଳିଛି ଅନେକ ଝଡ଼। ବିବାହ କରି ମଧ୍ୟ ପରକୀୟା ପ୍ରୀତି ପାଇଁ ସୀମା ପାର୍ କରିଛନ୍ତି କ୍ଷମତାର ଶୀର୍ଷରେ ଥିବା ଏହି ନାମୀଦାମୀ ଚେହେରା। ବିବାହ ବାହାରେ ଚୋରା ପୀରତି, ଗୁପ୍ତ ସମ୍ପର୍କ ଏବଂ କର୍ପୋରେଟ୍ ନୀତି ଉଲ୍ଲଂଘନ ପାଇଁ ମୁଣ୍ଡାଇଛନ୍ତି କଳଙ୍କ। ଯେଉଁଥିପାଇଁ ଘାଟା ସହିଛି କୋଟି କୋଟି ଟଙ୍କାର କମ୍ପାନୀ ଏବଂ ମଳିନ ପଡ଼ିଛି ସେମାନଙ୍କ ଚରିତ୍ର। କେବଳ ଏନ୍‌ଭିଡିଆର ପୂର୍ବତନ ସିଇଓ ଜେନ୍‌ସେନ୍ ହୁଆଙ୍ଗ୍ ନୁହନ୍ତି, ଆହୁରି ଅନେକ ଟେକ୍ ଜିଆଣ୍ଟଙ୍କ ଚୋରା ପ୍ରେମ ଏବେ ଚର୍ଚ୍ଚାରେ ରହିଛି।

ତେବେ ଟେକ୍ ଜଗତରେ ଏଭଳି ଘଟଣା ନୂଆ ନୁହେଁ। ପୂର୍ବରୁ ମଧ୍ୟ ହାଇଲାଇଟ୍ ହୋଇଛି ଅନେକ ଟେକ୍ ମଙ୍ଗୁଆଳଙ୍କ ଏକ୍ସଟ୍ରା ମାରିଟାଲ୍ ଆଫେୟାର୍ସ। ସେମାନଙ୍କ ବୈବାହିକ ସମ୍ପର୍କ, ବ୍ୟୟବହୁଳ ଛାଡ଼ପତ୍ର ଏବଂ କାର୍ଯ୍ୟସ୍ଥଳ ସମ୍ପର୍କିତ ଅନୈତିକ ପ୍ରେମ ଆଦି ଖବର ପାଲଟିଛି ଶିରୋନାମା। ଏହି କାରଣରୁ କିଏ ନିଜର ଶୀର୍ଷ ପଦ ହରାଇଛନ୍ତି ତ କାହାକୁ ଛାଡ଼ପତ୍ର ବାବଦରେ କୋଟି କୋଟି ଡଲାର କ୍ଷତିପୂରଣ ଦେବାକୁ ପଡ଼ିଛି।

ଆଣ୍ଡ୍ରୋଏଡ୍ କ୍ରିଏଟର୍ ଆଣ୍ଡି ରୁବିନ୍‌ଙ୍କୁ ଏହି କାରଣରୁ ଛାଡ଼ିବାକୁ ପଡ଼ିଥିଲା ଗୁଗଲ୍। ଏହାର ମୂଳ କାରଣ ଥିଲା ଜଣେ ମହିଳା କର୍ମଚାରୀଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ। ସମ୍ପୃକ୍ତ ମହିଳା ଜଣକ ତାଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ। ଯଦିଓ ରୁବିନ୍ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ, କିନ୍ତୁ ବିବାଦ ବଢ଼ିବାରୁ ଗୁଗଲ୍ ତାଙ୍କୁ ଏକ୍‌ଜିଟ୍ ପ୍ୟାକେଜ୍ ବାବଦରେ ମଞ୍ଜୁର କରିଥିଲା ପାଖାପାଖି ୭୯୨ କୋଟି ଟଙ୍କା।

ସେହିପରି ପୂର୍ବତନ ଇଣ୍ଟେଲ୍ ସିଇଓ ବ୍ରାୟନ୍ କ୍ରେନିଚ୍ କମ୍ପାନୀ ନୀତିର ଉଲ୍ଲଂଘନ କରି ଜଣେ କର୍ମଚାରୀଙ୍କ ସହ ସହମତି ଭିତ୍ତିରେ ସମ୍ପର୍କ ରଖିବାକୁ ନେଇ ଯାଞ୍ଚ ପରେ ଇଣ୍ଟେଲ୍ ସିଇଓ ପଦରୁ ଇସ୍ତଫା ଦେଇଥିଲେ। ଏଥିସହିତ ସିଇଓ ଭାବେ ତାଙ୍କର ୫ ବର୍ଷିଆ କାର୍ଯ୍ୟକାଳରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। କମ୍ପାନୀ ଛାଡ଼ିବା ସମୟରେ ଇଣ୍ଟେଲ୍ ତାଙ୍କୁ ୩.୮ କୋଟି ଡଲାରର ଡିପାର୍ଚର ପ୍ୟାକେଜ୍ ଅଫର୍ କରିଥିଲା।

ଆମାଜନ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ମଧ୍ୟ ଏହି ତାଲିକାରେ ରହିଛନ୍ତି। ଟିଭି ଆଙ୍କର୍ ଲରେନ୍ ସାଞ୍ଚେଜ୍‌ଙ୍କ ସହ ଜେଫ୍ ବେଜୋସ୍‌ଙ୍କ ସମ୍ପର୍କକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ପରେ ମାକେଞ୍ଜି ବେଜୋସ୍‌ଙ୍କ ସହ ଜେଫ୍‌ଙ୍କ ୨୫ ବର୍ଷର ବୈବାହିକ ଜୀବନ ସମାପ୍ତ ହୋଇଥିଲା। ଆମାଜନ ସେୟାର ବାବଦରେ ମାକେଞ୍ଜିଙ୍କୁ ମିଳିଥିଲା ୩୮.୩ ବିଲିୟନ ଡଲାର ବା ୩.୩୭ ଲକ୍ଷ କୋଟି ଟଙ୍କା। ଏହା ବିଶ୍ୱର ସବୁଠାରୁ ବ୍ୟୟବହୁଳ ଛାଡ଼ପତ୍ର ଭାବେ ଗଣାଯାଏ। ପରେ ଜେଫ୍ ଲରେନ୍‌ଙ୍କୁ ବିବାହ କରିଥିଲେ।

ସେଭଳି ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ମଧ୍ୟ ପରକୀୟା ପ୍ରୀତିକୁ ନେଇ ବିବାଦକୁ ଆସିଥିଲେ। ବର୍ଷ ବର୍ଷ ଧରି ଜଣେ ମାଇକ୍ରୋସଫ୍ଟ ମହିଳା କର୍ମଚାରୀଙ୍କ ସହ ସମ୍ପର୍କରେ ରହିବା ପରେ ଶେଷରେ ନିଜ ଭୁଲ୍ ସ୍ୱୀକାର କରିଥିଲେ ବିଲ୍। ଏହି ଖବର ପଦାକୁ ଆସିବା ପରେ ୨୦୨୧ ମସିହାରେ ବିଲ୍ ଗେଟ୍ସ ଏବଂ ତାଙ୍କ ପତ୍ନୀ ମେଲିଣ୍ଡା ପରସ୍ପରଙ୍କଠାରୁ ଛାଡ଼ପତ୍ର ନେଇଥିଲେ।

ଏହାପରେ ରହିଛନ୍ତି ଟେସ୍‌ଲା ଓ ସ୍ପେସ୍‌ଏକ୍ସ ସିଇଓ ଏଲନ୍ ମସ୍କ। ତାଙ୍କ ବୃତ୍ତିଗତ ସଫଳତା ଯେତିକି ଚର୍ଚ୍ଚାରେ, ବ୍ୟକ୍ତିଗତ ଜୀବନ ମଧ୍ୟ ସେତିକି ବିବାଦୀୟ। ପୂର୍ବ ପତ୍ନୀ ଜଷ୍ଟିନ୍ ୱିଲ୍‌ସନ୍, ମ୍ୟୁଜିସିଆନ୍ ଗ୍ରିମ୍ସ ଏବଂ ନ୍ୟୁରାଲିଙ୍କର କାର୍ଯ୍ୟନିର୍ବାହୀ ଶିଭନ୍ ଜିଲିସ୍‌ଙ୍କ ସହ ତାଙ୍କର ସନ୍ତାନ ଅଛନ୍ତି। ୨୦୨୨ରେ ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ରେ ଗୁଗଲ୍ ସହ-ପ୍ରତିଷ୍ଠାତା ସର୍ଗି ବ୍ରିନ୍‌ଙ୍କ ପୂର୍ବ ପତ୍ନୀ ନିକୋଲ୍ ସନାହାନ୍‌ଙ୍କ ସହ ତାଙ୍କ ଗୁପ୍ତ ସମ୍ପର୍କ ପଦାକୁ ଆସିଥିଲା। କିନ୍ତୁ ଉଭୟ ମସ୍କ ଏବଂ ସନାହାନ୍ ଏହାକୁ ଖଣ୍ଡନ କରିଥିଲେ। ତେବେ ଅନ୍ୟମାନଙ୍କ ଭଳି ମସ୍କଙ୍କୁ ଏଥିପାଇଁ ନିଜର ପଦ ହରାଇବାକୁ ପଡ଼ିନାହିଁ।

ଶେଷରେ ସବୁଠୁ ଚର୍ଚ୍ଚିତ ଘଟଣା ହେଉଛି ଏନ୍‌ଭିଡିଆ ସିଇଓ ଜେନ୍‌ସେନ୍ ହୁଆଙ୍ଗ୍‌ଙ୍କର। ୨୦୨୬ ନଭେମ୍ବର ୮ ତାରିଖରେ ଜେନ୍‌ସେନ୍ ସ୍ୱୀକାର କରିଥିଲେ ଯେ, ସେ ଚୀନ୍‌ର ଜଣେ ମହିଳା ଆଲିସ୍ ହୁଆଙ୍ଗ୍‌ଙ୍କ ସହ ଅନୈତିକ ସମ୍ପର୍କରେ ରହି ନିଜ ପତ୍ନୀଙ୍କ ସହ ବିଶ୍ୱାସଘାତ କରିଛନ୍ତି। ଆମେରିକାର ଗୁଇନ୍ଦା ଏଜେନ୍ସି ସନ୍ଦେହ କରୁଛି ଯେ, ସମ୍ପୃକ୍ତ ମହିଳା ଜଣକ ଚୀନ୍‌ର ଗୁଇନ୍ଦା ବିଭାଗ ପାଇଁ କାର୍ଯ୍ୟ କରୁଥିଲେ। ଏନେଇ ଏନ୍‌ଭିଡିଆର ବୋର୍ଡ ଏକ ସ୍ୱତନ୍ତ୍ର ଯାଞ୍ଚ ଆରମ୍ଭ କରିଛି। ତେବେ ବୋର୍ଡକୁ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ମିଳିନାହିଁ ଯେ, କମ୍ପାନୀର ଗୋପନୀୟ ତଥ୍ୟ ବିପଦରେ ଅଛି। କିନ୍ତୁ ଏହି ଯାଞ୍ଚ ଚାଲିଥିବା ବେଳେ ଗତ ଗୁରୁବାର ଦିନ ସିଇଓ ପଦରୁ ଇସ୍ତଫା ଦେଇଛନ୍ତି ଜେନ୍‌ସେନ୍ ହୁଆଙ୍ଗ୍। ଏଭଳି ଘଟଣା ପୁଣିଥରେ ପ୍ରମାଣିତ କରିଛି ଯେ, ବ୍ୟକ୍ତିଗତ ଜୀବନର ଗୋଟିଏ ଭୁଲ୍ ନିଷ୍ପତ୍ତି କିପରି ଜଣେ ଶୀର୍ଷ ନେତୃତ୍ୱଙ୍କ ଦୀର୍ଘ ବର୍ଷର କ୍ୟାରିୟରରେ କଳଙ୍କ ଲଗାଇ ଦେଇପାରେ।

Leave a Reply

Your email address will not be published. Required fields are marked *