ଝଙ୍କଡ଼ (୧୪/୧୧/୨୦୨୬): ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ପଞ୍ଚାୟତ ଅଧୀନ ଛତ୍ରମଠ (ତରାପୁର) ସ୍ଥିତ ସରସ୍ୱତୀ ଶିଶୁମନ୍ଦିର ପରିସରରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନର ସ୍ମୃତି ସ୍ୱରୂପ ଶିଶୁଦିବସ ବିପୁଳ ଆନନ୍ଦଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି।
ଅନୁଷ୍ଠାନର ପ୍ରାଣପ୍ରତିଷ୍ଠାତା ଧୁନଚନ୍ଦ୍ର ସେନାପତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନଆଚାର୍ଯ୍ୟ ଉମାକାନ୍ତ ସାହୁ ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ନିକଟସ୍ଥ ଇଚ୍ଛାବିହାରୀ ବିଦ୍ୟାମନ୍ଦିରର ପ୍ରାକ୍ତନ ପ୍ରଧାନଶିକ୍ଷକ ଭୋଳାନାଥ ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ ଯେ, ପଣ୍ଡିତ ନେହେରୁ ପିଲାମାନଙ୍କୁ ଖୁବ୍ ଭଲପାଉଥିବାରୁ ତାଙ୍କୁ ଶିଶୁମାନେ ‘ଚାଚା ନେହେରୁ’ ବୋଲି ଡାକୁଥିଲେ। ସରସ୍ୱତୀ ଶିଶୁମନ୍ଦିରମାନଙ୍କରେ ପାଠପଢ଼ା ସହିତ ନୈତିକ ଓ ଆଧ୍ୟାତ୍ମିକ ଶିକ୍ଷା ପ୍ରଦାନ କରାଯାଉଥିବାରୁ ଆଜି ଆମ ରାଜ୍ୟରେ ଶିଶୁମନ୍ଦିରରେ ଅଧ୍ୟୟନ କରୁଥିବା ବିଦ୍ୟାର୍ଥୀମାନେ ଅଧିକ ସଂଖ୍ୟାରେ ସର୍ବୋଚ୍ଚ ନମ୍ବର ରଖି ଉତ୍ତୀର୍ଣ୍ଣ ହେଉଥିବାର ଦେଖିବାକୁ ମିଳୁଛି ବୋଲି ସେ ମତବ୍ୟକ୍ତ କରିଥିଲେ।
ଏହି ଉପଲକ୍ଷେ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମକୁ ସୁଜାତା ନାୟକ ସଂଯୋଜନା କରିଥିଲେ ଏବଂ ଅଶୋକ କୁମାର ସିଂହ, ସରୋଜିନୀ ରାଉତ, ରାଜଶ୍ରୀ ମନୋହାରୀ, ବିନ୍ଦୁଶ୍ରୀ ବେହେରା, ସୁଜାତା ରାଉତ, ଶିବାଙ୍ଗୀ ବର୍ଦ୍ଧନ, ସାବିତ୍ରୀ ମହଲା ଓ କମଳିନୀ ଶତପଥୀ ପରିଚାଳନାଗତ ସହାୟତା ପ୍ରଦାନ କରିଥିଲେ। ସେହିପରି ଶୁଭଶ୍ରୀ ତ୍ରିପାଠୀ ସମସ୍ତ ପ୍ରତିଯୋଗିତାକୁ ସୁଚାରୁ ରୂପେ ପରିଚାଳନା କରିଥିଲେ। ପରିଶେଷରେ ଗୁରୁଜୀ ଶିବ ପ୍ରସାଦ ନନ୍ଦ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
