ମୁନିଗୁଡ଼ାରେ ଗହଣା ଦୋକାନର କାନ୍ଥ ଖୋଳି ବଡ଼ ଧରଣର ଚୋରି; ୧୦ କେଜି ରୁପା ଓ ୨୦ ଗ୍ରାମ ସୁନା ଲୁଟିନେଲେ ଦୁର୍ବୃତ୍ତ

ରାଜ୍ୟ
Spread the love

ମୁନିଗୁଡ଼ା: ସହରରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଚୋରଙ୍କ ଆତଙ୍କ। ସେମାନେ ଦିନ କିମ୍ବା ରାତି କିଛି ମାନୁନାହାନ୍ତି। କେଉଁଠି ଦିନ ଦ୍ୱିପ୍ରହରରେ ଲୁଟ୍ ହେଉଛି ତ ପୁଣି କେଉଁଠି ଜନଗହଳିପୂର୍ଣ୍ଣ ସ୍ଥାନରେ ଛିନତାଇ ଘଟୁଛି। ସେହିଭଳି ଗୁରୁବାର ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ତିନିକୋଣିଆ ଛକ ନିକଟରେ ଥିବା ‘ମୁରଲୀ ଜୁଏଲାରୀ’ ଦୋକାନରୁ ଏକ ବଡ଼ ଧରଣର ଲୁଟ୍ ହୋଇଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି, ଦୁର୍ବୃତ୍ତମାନେ ଏଠାରେ ଦୋକାନର କାନ୍ଥ ଖୋଳି ସୁନା ଓ ରୁପା ଅଳଙ୍କାର ଚୋରି କରିନେଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୯ଟାରେ ଦୋକାନ ମାଲିକ ସୁନା ଦୋକାନ ବନ୍ଦ କରି ନିଜ ଘରକୁ ଯାଇଥିଲେ। ଆଜି ଶନିବାର ସକାଳୁ ସେ ଆସି ଦୋକାନ ଖୋଲିବା ବେଳେ ପଛପଟ କାନ୍ଥ ଖୋଳାଯାଇ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏହା ଦେଖିବା ପରେ ଦୋକାନ ମାଲିକ ତୁରନ୍ତ ପୂରା ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ମୁନିଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି। ଚୋରମାନେ ଦୋକାନ ଭିତରେ ପଶିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଦୋକାନରୁ ପ୍ରାୟ ୧୦ କେଜି ରୁପା ଓ ୨୦ ଗ୍ରାମ ସୁନା ଚୋରି ହୋଇଥିବା ନେଇ ଦୋକାନ ମାଲିକ ସୂଚନା ଦେଇଛନ୍ତି। ପୁଲିସ ଏବେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାର ଅଧିକ ତଦନ୍ତ ଚଳାଇଛି।

ସହରର ଏକ ମୁଖ୍ୟ ଛକ ନିକଟରେ ଥିବା ଗହଣା ଦୋକାନରୁ ଏଭଳି ଢଙ୍ଗରେ ଚୋରି ହେବା ଘଟଣା ସ୍ଥାନୀୟ ଅଞ୍ଚଳବାସୀ ଓ ବ୍ୟବସାୟୀଙ୍କ ମଧ୍ୟରେ ଭୟ ଓ ଚିନ୍ତାର କାରଣ ପାଲଟିଛି। ଦୋକାନର ପଛ କାନ୍ଥ ଖୋଳି ଚୋରି କରିବା ଏବଂ ସିସିଟିଭି ଭାଙ୍ଗିଦେବା ଘଟଣାରୁ ଚୋରମାନଙ୍କର ସୁଚିନ୍ତିତ ଓ ଯୋଜନାବଦ୍ଧ କାର୍ଯ୍ୟକଳାପ ସ୍ପଷ୍ଟ ବାରି ହୋଇପଡ଼ୁଛି। ତେବେ ଆଇନ କାନୁନ ଯେତେ ଶକ୍ତ ହେଉଛି, ଲୁଟେରାମାନେ ଲୁଟିବାର ସେତିକି ନୂଆ ନୂଆ ତରିକା ଆପଣାଉଛନ୍ତି। ଅଞ୍ଚଳରେ ବଢ଼ୁଥିବା ଏଭଳି ଅପରାଧିକ କାର୍ଯ୍ୟକଳାପ ଉପରେ କେବେ ଲଗାମ ଲାଗିବ, ସମସ୍ତେ ଏବେ ତାହାକୁ ହିଁ ଅପେକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *