ବିଏମ୍‌ସି ଅଞ୍ଚଳରେ ୫,୩୨୪ ନୂଆ ପେନସନ ହିତାଧିକାରୀ ସାମିଲ: ସରିଲା ଦୀର୍ଘ ଅପେକ୍ଷା, ଏଣିକି ଘରେ ପହଞ୍ଚିବ ଭତ୍ତା ଟଙ୍କା

ରାଜ୍ୟ
Spread the love

ଭୁବନେଶ୍ୱର: ମଧୁବାବୁ ପେନସନ ଯୋଜନାରେ ଯୋଡ଼ି ହେଲେ ଆଉ ୫ ହଜାର ୩୨୪ ନୂଆ ହିତାଧିକାରୀ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳର ଏହି ନୂତନ ଯୋଗ୍ୟ ହିତାଧିକାରୀମାନଙ୍କୁ ଆଜିଠାରୁ ଭତ୍ତା ମିଳିବା ଆରମ୍ଭ ହୋଇଛି। ଏହି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ନୂଆ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରିଛନ୍ତି। ପୂର୍ବରୁ ବିଏମ୍‌ସି ଅଞ୍ଚଳରେ ୨୧ ହଜାରରୁ ଅଧିକ ଲୋକ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପାଉଥିଲେ।

ଏବେ ଆଉ ୫,୩୨୪ ଜଣ ନୂଆ ହିତାଧିକାରୀ ଯୋଡ଼ି ହେବା ପରେ ଅଧିକ ଯୋଗ୍ୟ ବ୍ୟକ୍ତି ଏହି ସାମାଜିକ ସୁରକ୍ଷା ଯୋଜନାର ସୁବିଧା ପାଇପାରିବେ। ପୂର୍ବରୁ ଭତ୍ତା ପାଇଁ ଆବେଦନ କରିବା ପରେ ମଧ୍ୟ ଅନେକ ହିତାଧିକାରୀଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ୁଥିଲା। ଜଣେ ହିତାଧିକାରୀଙ୍କ ମୃତ୍ୟୁ ପରେ ଖାଲି ପଡ଼ୁଥିବା ସ୍ଥାନରେ ଅନ୍ୟ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଉଥିବାରୁ ଯୋଗ୍ୟ ଥାଇ ମଧ୍ୟ ଅନେକ ଲୋକ ଅପେକ୍ଷା କରି ରହିବାକୁ ବାଧ୍ୟ ହେଉଥିଲେ।

ତେବେ ଏବେ ସେହି ପୁରୁଣା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଣିକି ଯେଉଁମାନେ ଆବେଦନ କରିବେ ଏବଂ ଯୋଜନାର ସମସ୍ତ ମାନଦଣ୍ଡ ପୂରଣ କରୁଥିବେ, ସେମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ କରାଯିବ। ଯୋଗ୍ୟ ହିତାଧିକାରୀମାନଙ୍କୁ ଆଉ ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ପୂର୍ବରୁ ବାଲେଶ୍ୱରରୁ ମୁଖ୍ୟମନ୍ତ୍ରୀ ଏହି ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରିଥିବା ବେଳେ ଆଜି ଭୁବନେଶ୍ୱର ବିଏମ୍‌ସି ଅଞ୍ଚଳରେ ଏହାର ଶୁଭାରମ୍ଭ ହୋଇଛି।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉପସ୍ଥିତ ରହି ନୂଆ ହିତାଧିକାରୀମାନଙ୍କୁ ଭତ୍ତା ପ୍ରଦାନ କରିବା ସହ ଯୋଜନାର ବିଭିନ୍ନ ସୁବିଧା ସମ୍ପର୍କରେ ଅବଗତ କରାଇଛନ୍ତି। ଏହି ନୂଆ ହିତାଧିକାରୀଙ୍କ ମଧ୍ୟରେ ୩,୨୨୯ ଜଣ ୬୦ ବର୍ଷରୁ ଅଧିକ ବୟସ୍କ ଥିବା ବେଳେ ୩୩ ଜଣ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ରହିଛନ୍ତି। ସେହିପରି ୭୩୭ ଜଣ ବିଧବା ମହିଳା, ୯୧ ଜଣ ୮୦ ପ୍ରତିଶତରୁ ଅଧିକ ଭିନ୍ନକ୍ଷମ, ୧୨୨ ଜଣ ଅବିବାହିତା ମହିଳା, ୮୧ ଜଣ ଛାଡ଼ପତ୍ର ପାଇଥିବା ମହିଳା ଏବଂ ୨ ଜଣ ତୃତୀୟ ଲିଙ୍ଗୀ ହିତାଧିକାରୀ ସାମିଲ ରହିଛନ୍ତି।

ଏହାସହ ବୟସ୍କ, ଅସହାୟ ଓ ଶାରୀରିକ ଭାବେ ଅକ୍ଷମ ହିତାଧିକାରୀଙ୍କ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଯେଉଁ ହିତାଧିକାରୀମାନେ ନିଜେ ବ୍ୟାଙ୍କକୁ ଯାଇ ଭତ୍ତା ଟଙ୍କା ଉଠାଇବାକୁ ଅସମର୍ଥ, ସେମାନଙ୍କ ଘରେ ପହଞ୍ଚି ଭତ୍ତା ଟଙ୍କା ପ୍ରଦାନ କରାଯିବ। ଫଳରେ ଦୁର୍ବଳ ଓ ଅସହାୟ ହିତାଧିକାରୀମାନେ ଆଉ ଟଙ୍କା ପାଇଁ ହଇରାଣ ହେବେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି। ସରକାରଙ୍କ ଏହି ଜନକଲ୍ୟାଣକାରୀ ପଦକ୍ଷେପ ଯୋଗୁଁ ରାଜଧାନୀର ହଜାର ହଜାର ଗରିବ ଓ ଅସହାୟ ପରିବାରଙ୍କ ମୁହଁରେ ହସ ଫୁଟିଛି।

Leave a Reply

Your email address will not be published. Required fields are marked *