୩୧ ଜାନୁଆରି ପର୍ଯ୍ୟନ୍ତ ଚାଲିବ ରାସନ କାର୍ଡ ଇ-କେୱାଇସି ଯାଞ୍ଚ: ମନ୍ତ୍ରୀ

ରାଜ୍ୟ
Spread the love

ଭୁବନେଶ୍ବର: ଜାନୁଆରି ୩୧ ଇ-କେୱାଇସି ପାଇଁ ଶେଷ ତାରିଖ। ଧାର୍ଯ୍ୟ ହୋଇଥିବା ତାରିଖ ମଧ୍ୟରେ ରାସନ କାର୍ଡର ଇ-କେୱାଇସି ନ କ‌ଲେ କାର୍ଡ କଟିଯିବା ସହ ଆଉ ରାସନ ମିଳିବନି । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା  ୪୯ ଲକ୍ଷ ହିତାଧିକାରୀ  ଇ-କେୱାଇସି  କରିନାହାନ୍ତି । ଇ-କେୱାଇସି ସରିବା ପରେ  ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ।

ସୂଚନା ଅନୁସାରେ ଅଗଷ୍ଟ ମାସରୁ ରାସନ କାର୍ଡ ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତମାସ ୧୫ତାରିଖ ସୁଦ୍ଧା ରାସନକାର୍ଡର ଆଧାରଭିତ୍ତିକ ଇ-କେୱାଇସି  ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା  ୪୯ ଲକ୍ଷ ହିତାଧିକାରୀ  ଇ-କେୱାଇସି  କରିନଥିବାରୁ ଏହି ଯାଞ୍ଚ ତାରିଖ ଜାନୁଆରୀ ୩୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ରାଜ୍ୟ ଭିତରେ ରାସନକାର୍ଡ ହିତାଧିକାରୀ ଥିବା ବୃଦ୍ଧବୃଦ୍ଧା ଓ ଅସୁସ୍ଥ ଲୋକଙ୍କୁ ଭେଟି କେୱାଇସି ଯାଂଚ କରିବା ନିମନ୍ତେ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ବାହାରେ ଥିବା ଶ୍ରମିକମାନେ ଯୋଗାଯୋଗ କଲେ ସେଠାକୁ ମଧ୍ୟ ସରକାରୀ କର୍ମଚାରୀଙ୍କୁ ପଠାଯିବ ବୋଲି ରାଜ୍ୟ ଖାଦ୍ୟଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି, ସରକାରୀ କର୍ମଚାରୀମାନଙ୍କୁ ଇ-କେୱାଇସି ଯାଞ୍ଚରେ ସହଯୋଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବୃଦ୍ଧବୃଦ୍ଧା ଅବା ଅସୁସ୍ଥ ହିତାଧିକାରୀ ଥିଲେ ସରକାରୀ କର୍ମଚାରୀମାନେ ତାଙ୍କ ନିକଟକୁ ଯାଇ ଏହି ଇ-କେୱାଇସି ପ୍ରକ୍ରିୟା ଶେଷ କରିବେ। ସେହିପରି ଦେଶ ଭିତରେ ଥିଲେ ସେମାନଙ୍କ ନିକଟକୁ ବି ଯିବା ପାଇଁ ସରକାର ଅଫିସରମାନଙ୍କୁ କୁହାଯାଇଛି । ନିକଟରେ ଗୋଆରୁ କିଛି ଶ୍ରମିକମାନେ ବିଭାଗକୁ ଫୋନ୍ କରିବା ପରେ ସେଠାରୁ ସରକାରୀ କର୍ମଚାରୀଙ୍କ ଏକ ଟିମ୍ ପଠାଯାଇଥିବା ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *