ଜଗତସିଂହପୁର : ରାଜନୀତିର ଛକାପଞ୍ଝାକୁ ବିଗତ ମାଘ ସପ୍ତମୀରେ ସ୍ଥଗିତ ରହିଥିବା ତିର୍ତ୍ତୋଲ ଶାରଳା ବିହାରସ୍ଥିତ ଆଦିକବି ସାରଳାଦାସ ମହାବିଦ୍ୟାଳୟ ର ଓଡ଼ିଆ ସାହିତ୍ୟ ସମାଜର ବାର୍ଷିକ ଉତ୍ସବ, ପୁରସ୍କାର ବିତରଣ ଓ ମୁଖପତ୍ର ଦ୍ୱା-ସୁପର୍ଣ୍ଣା ଉନ୍ମୋଚନ ଆଦି ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଗତ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି | ଜିଲ୍ଲାର ଏକମାତ୍ର ମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କର ହସ୍ତକ୍ଷେପ ଫଳରେ ତିର୍ତ୍ତୋଲ ବିଧାୟକ ଙ୍କ ଚାପରେ ବନ୍ଦ ହୋଇଯାଇଥିବା ଏହି ଉତ୍ସବ କୁ ନେଇ ଲାଗିରହିଥିବା ସମସ୍ୟା ଉତ୍ତେଜନା ପ୍ରଶମିତ ହେବାପରେ ଯେନତେନ ପ୍ରକାରର କଲେଜ ଅଧ୍ୟକ୍ଷା ମମତା ରାଉତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା | ସାରଳାଦାସଙ୍କ ସ୍ମୃତିପୀଠ ଭାବେ ପ୍ରତିଷ୍ଠିତ ଆଦିକବି ସାରଳାଦାସ କଲେଜ ଛାତ୍ରଛାତ୍ରୀ ମାନେ ଓଡ଼ିଆ ଭାଷା ସାହିତ୍ୟରେ ନିଜନିଜର ପ୍ରତିଭାର ପରାକାଷ୍ଠା ପ୍ରତିପାଦନ କରି ଆସୁଛନ୍ତି |
ଏହି ପ୍ରତିଭାବାନ ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ନିମନ୍ତେ କେତେକ ବଦାନ୍ୟମାନ ବ୍ୟକ୍ତି ବହୁ ସ୍ମାରକୀ ଛାତ୍ର ବୃତ୍ତି ମଧ୍ୟ ପ୍ରଦାନ କରାଯାଉଅଛି | ମାଟିର ମହାକବି ସାରଳାଦାସ ଙ୍କ ପାଇଁ ଓଡ଼ିଆଜାତି ତାର ବିଶାଳ ଭାଷା ସାହିତ୍ୟ,ମହାନ ଐତିହ୍ୟ ଓ ମହାର୍ଘ୍ୟ ସଂସ୍କୃତି ପରମ୍ପରା ଆଜି ବିଶ୍ୱ ଦରବାର ରେ ପରିଚିତ, ପ୍ରତିଷ୍ଠିତ, ଓ ବିଶ୍ୱବନ୍ଦିତ ହୋଇପାରିଛି ବୋଲି ଏହି ସଭାରେ ମତ ପ୍ରକାଶ ପାଇଥିଲା |
ସମ୍ମାନିତ ଅତିଥିଭାବେ ଓଡ଼ିଆ ସାହିତ୍ୟ ସମାଜର ଉପସଭାପତି ଡଃ. ସୁରଞ୍ଜନ ଲେଙ୍କା, ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ, ପ୍ରଫେସର ରଞ୍ଜନ କୁମାର ଦାସ, ପ୍ରଫେସର ଅରୁଣ କୁମାର ପଣ୍ଡା, ଅଧ୍ୟାପିକା ଅଲିପ୍ସା ଜେନା, ଅଧ୍ୟାପକ ଋତୁପଦ ମହାନ୍ତି, ଡଃ. ସୁମନ୍ତ କୁମାର ଭୋଇ,ପ୍ରମୁଖ ନିଜନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ | ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ସ୍ମାରକୀ ମାନପତ୍ର, ଅର୍ଥରାଶି, ଟ୍ରଫି ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଦିତ କରାଯିବା ପରେ, ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା |
ଏହି ସମସ୍ତ କାର୍ଯ୍ୟକ୍ରମ କୁ ଅଧ୍ୟାପକ ଦୀପକ କୁମାର ସିଂହ, ଅଧ୍ୟାପକ କିଶୋର କୁମାର ନାୟକ, ଆଶିଷ କୁମାର ମହାନ୍ତି, ବିଶ୍ୱଜିତ ନାଥ, ପ୍ରଶାନ୍ତ କୁମାର ସାହୁ, ଜ୍ଞାନରଞ୍ଜନ ପରିଜା ଓ ପ୍ରଶାନ୍ତ କୁମାର ମଲ୍ଲିକ ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ମିଳିଥିଲା | ପରିଶେଷରେ ଅଧ୍ୟାପିକା ସାଗରୀକା ପୃଷ୍ଟି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |
