ବୟାଳିଶମୌଜା : କଟକ ସଦର ବ୍ଲକ ପରିସରରେ ଗତ କାଲି ସୋମବାର ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀରାମ ଗ୍ରାମରେ ପାନୀୟ ଜଳ ସମସ୍ୟା ସମ୍ବନ୍ଧରେ ସମାଜସେବୀ ବସନ୍ତ କୁମାର ପଣ୍ଡା ଅଭିଯୋଗ କରିଥିବା ବେଳେ ଡିଆରଡିଏ ପ୍ରୋଜେକ୍ଟ ଡାଇରେକ୍ଟର ପ୍ରଶାନ୍ତ ନାୟକ ଏହାକୁ ବିଚାରକୁ ନେଇ ପ୍ରତିକାର ବ୍ୟବସ୍ଥା ପାଇଁ ଆରଡବ୍ଲୁଏସଏସ କୁ ପଠାଇ ଦେଇଛନ୍ତି। ମାମଲା ନମ୍ବର ୭୨ ରେ ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି ଯେ, “ବସୁଧା” ପାନୀୟ ଜଳ ଯୋଗାଣରେ ଏକ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ କରାଯାଇଥିବା ପାନୀୟ ଜଳଯୋଗାଣ ମୁଖ୍ୟ ପାଇପ ଲାଇନ୍ ଭଗବତୀ ପୀଠ ତଥା ଏଠାରେ ବାସ କରୁଥିବା ପରିବାରଙ୍କ ଗୁହ ପର୍ଯ୍ୟନ୍ତ ପକା ଯାଇ ନାହିଁ। ସେହିପରି ପାନୀୟ ଜଳଯୋଗାଣରେ ବାରମ୍ବାର ଅନିୟମିତ ଓ ବହୁ ସମୟରେ ବନ୍ଦ ରହୁଛି।
ଜଳ ଯୋଗାଣ ସମୟରେ ପ୍ରେସର କମ୍ ପାଇଁ ବହୁ ଘରକୁ ଜଳ ଟୋପାଏ ମଧ୍ୟ ଯାଉ ନାହିଁ। ଏହି ସମ୍ବନ୍ଧରେ ବିଭାଗୀୟ ଯନ୍ତ୍ରୀ ଲିଜା ମଲ୍ଲିକଙ୍କୁ ଶ୍ରୀ ପଣ୍ଡା ୨ ଥର ଫୋନ କରି ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ସ୍ଥାନୀୟ ପାମ୍ପଚାଳକଙ୍କୁ ଏ ବିଷୟରେ ବହୁ ଲୋକ ଅଭିଯୋଗ କରିଥିଲେ ମଧ୍ୟ ସେ ସମସ୍ୟା ରହିବ, ଘରେ ନଳକୂପ ବସାଇବାକୁ କହି କର୍ଣ୍ଣପାତ କରୁ ନାହାଁନ୍ତି। ଏ ସମସ୍ୟା ଦୀର୍ଘଦିନ ଧରି ଲାଗି ରହିଥିବାରୁ ଶୀଘ୍ର ସମାଧାନ କରିବାକୁ ସେ ଅଭିଯୋଗ ପତ୍ରରେ ନିବେଦନ କରିଛନ୍ତି।
