2a2decaf A54b 4076 B4ff 23dd81a766a1

ଝଙ୍କଡ଼ ସାରଳା ମନ୍ଦିରର ଆୟ ବ୍ୟୟର ହିସାବ ସାର୍ବଜନୀନ କରାଯାଉ, ବୁଡ଼ି ଯାଉଥିବା କୋଟିକୋଟି ଟଙ୍କା ଆଦାୟ ହେବ କେବେ ?

ରାଜ୍ୟ
Spread the love

ଜଗତସିଂହପୁର/ଝଙ୍କଡ଼ :  ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିରକୁ ବିଭିନ୍ନ ସୂତ୍ରରୁ କୋଟି କୋଟି ଟଙ୍କା ଆସିଥାଏ। ଦୈନିକ ନୀତି କାନ୍ତି ଓ ଯାନିଯାତ୍ରା ପର୍ବପର୍ବାଣୀ ପାଇଁ କେତେ ଟଙ୍କା ଖର୍ଚ୍ଚ କରାଯାଏ ଓ କେତେ ଟଙ୍କା ବଳକା ଅର୍ଥ ଜମା କରାଯାଏ , ଆଜି ପର୍ଯ୍ୟନ୍ତ ତାହା ରହସ୍ୟାବୃତ ହୋଇ ରହିଛି। ଆୟ ବ୍ୟୟ ପରେ ଆଉ କେତେ ଟଙ୍କା କେଉଁ କେଉଁ ବ୍ୟାଙ୍କରେ ଗଚ୍ଛିତ ଅଛି ତାହା ମଧ୍ୟ ସର୍ବସାଧରଣ ଙ୍କ ଗୋଚରରେ ନାହିଁ। ଯାହା ଫଳରେ ଏହି ଘଟଣାରେ ସନ୍ଦେହ ଘନିଭୂତ ହେଉଛି। ମନ୍ଦିରର ଗଚ୍ଛିତ ଅର୍ଥରେ ସେମିତି କିଛି ଉନ୍ନୟନ ମୂଳକ କାର୍ଯ୍ୟ ମଧ୍ୟ କରାଯାଇନାହିଁ। ଯାହାକିଛି ଗଠନମୂଳକ ଉନ ୟନ ମୂଳକ କାର୍ଯ୍ୟ ହୋଇଛି, ତାହା ସରକାରୀ ଆର୍ଥିକ ଅନୁଦାନ ଓ ବଦାନ୍ୟ ମାନ ବ୍ୟକ୍ତି ବିଶେଷ ଙ୍କ ଅନୁଦାନ ରେ କରାଯାଇଛି । ତେବେ ଏ ସବୁ ଆୟ ବ୍ୟୟ ର ସଠିକ ଅଡିଟ ମଧ୍ୟ ହେଉନଥିବାରୁ କୋଟି କୋଟି ଟଙ୍କାର ତୋଷରଫ ହେଉଥିବାର ସନ୍ଦେହ ଘନିଭୂତ ହେବାରେ ଲାଗିଛି। ଚଳିତ ଆର୍ଥିକ ବର୍ଷରେ ମାଆଙ୍କ ପ୍ରମୁଖ ଆୟ ରୂପେ ପରିଗଣିତ ନିଲାମପ୍ରାପ୍ତ ଭୋଗଦୋକାନ ଓ ଦୀପଦୋକାନରୁ, ୨କୋଟି ୬୮ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଆସୁଥିବା ବେଳେ, ବିଭିନ୍ନ ଦାନବାକ୍ସ ଓ ହୁଣ୍ଡି ମାନଙ୍କରୁ ମଧ୍ୟ ୧ କୋଟି ରୁ ଉର୍ଦ୍ଧ୍ବ ଟଙ୍କା ମନ୍ଦିର ପାଣ୍ଠିକୁ ଆସିଥା ଏ । ଏତତ୍ ବ୍ୟତିତ ଗାଡିପାର୍କିଂ, ଚାଷ ଜମି ର ଉତ୍ପାଦନ, ବାଡି ବଗିଚା, ପୋଷ୍ଟାଲ୍ ମନିଅଡର ସହିତ , ହାଟ ବଜାରର ସ୍ଥାୟୀ ଓ ଅସ୍ଥାୟୀ ଦୋକାନ ମାନଙ୍କ ଠାରୁ ଆୟ ଓ ଯାତ୍ରୀ ମାନଙ୍କ ଦ୍ଵାରା ପ୍ରଦତ୍ତ ଘିଅ, ଘଣ୍ଟ , ସୁନା ରୂପା, ଦାନ ଓ ମାନ ମାନସିକ ବାବତରେ ମଧ୍ୟ କୋଟି କୋଟି ଟଙ୍କା ଆୟ ହେଉଥିବା ବେଳେ, ଏହାର ସଠିକ୍ ତଥ୍ୟ ସର୍ବସାଧାଣରେ କାହିଁକି ପ୍ରକାଶ କରାଯାଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପର ପକ୍ଷରେ ବିଗତ ୨ ଦଶନ୍ଧି ମଧ୍ୟରେ ଭୋଗ ଓ ଦୀପ ଦୋକାନ ଆଦି ନିଲାମଧାରୀ ଦୋକାନୀ ମାନଙ୍କ ଉପରେ କୋଟି କୋଟି ଟଙ୍କା ବାକି ପଡିଥିବା ବେଳେ, ଏହିସବୁ ବକେୟା ଅର୍ଥର ଆଦାୟ ପାଇଁ, ଦେବୋତ୍ତର ବିଭାଗ ତରଫରୁ ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଆଇନିଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ, ପ୍ରଶାସନ ଓ ବକେୟା ଅର୍ଥ ଦେଉ ନଥିବା ଦୋକାନୀ ମାନଙ୍କ ମଧ୍ୟରେ କିଛି ଫିକସିଂ କାରବାର ରହିଛି ବୋଲି ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ବିଶେଷ କରି ସାରଳା ମନ୍ଦିରର ସୁପରିଚାଳନା ନିମନ୍ତେ ଏଠାରେ ଏକ ଟ୍ରଷ୍ଟ ବୋର୍ଡ ଗଠନ କରିବା ନିମନ୍ତେ ଦୀର୍ଘ ବର୍ଷ ବର୍ଷ ଧରି ଦାବୀ ହୋଇ ଆସୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଆଇନିବିଭାଗ ଓ ଦେବୋତ୍ତର ବିଭାଗ ଏହାକୁ ନକରିବାର କାରଣ କଣ ?

ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ଙ୍କୁ ଏକମାତ୍ର ସୋଲ ଟ୍ରଷ୍ଟି ରଖାଯାଇଥିଲେ ମଧ୍ୟ ସେ ମନ୍ଦିରର ପ୍ରସାଶନିକ କାମରେ ଆଦୌ ଦୃଷ୍ଟି ଦେଉନାହାନ୍ତି। ଯାହା ଫଳରେ ଅନିତି, ଦୁର୍ନୀତି ଓ ଅନିୟମିତା ବଢି ବଢି ଚାଲିଛି। ସତେ ଯେମିତି ମନେହୁଏ ମନ୍ଦିର ପ୍ରଶାସନର ମାଆ ବାପ କେହି ନାହିଁ। ଯେଉଁଥି ପାଇଁ ସାରଳା ମନ୍ଦିରର ଗାରୀମାମୟ ସଂସ୍କୃତି ଓ ପରମ୍ପରା ବିଲୁପ୍ତ ହେବାକୁ ବସିଲାଣି। ମନ୍ଦିରର ସୁରକ୍ଷା ଓ ବିକାଶ ପାଇଁ, ରାଜ୍ୟ ସରକାରଙ୍କ ଆଇନୀମନ୍ତ୍ରୀ ସ୍ବତନ୍ତ୍ର ଦୃଷ୍ଟି ଦେଇ ଯେତେ ଶୀଘ୍ର ଯଦି ଟ୍ରଷ୍ଟ ବୋର୍ଡ ଟିଏ ଗଠନ ନକରନ୍ତି ତେବେ ପରିସ୍ଥିତି ଅଣାୟତ୍ତ ହୋଇଯିବ। ସବୁଠାରୁ ବଡ କଥା ହେଉଛି ଯେ, ଯେଉଁ ଶ୍ରଦ୍ଧାଳୁ ଭକ୍ତ ଓ ଯାତ୍ରୀ ମାନଙ୍କ ଦାନରେ ଏ ମନ୍ଦିରର ସବୁକିଛି ଚାଲିଛି, ସେମାନେ ଆଜି ନିଜନିଜକୁ ଅସୁରକ୍ଷିତ ମନେ କରୁଛନ୍ତି !ପ୍ରତିଦିନ ଜେଜମାନ ବଣ୍ଟରାକୁ ନେଇ କେତେକ ମୁଷ୍ଟିମେୟ ସେବାୟତ ମନ୍ଦିରର ବେଢା ମଧ୍ୟରେ ମହାଭାରତ ସୃଷ୍ଟି କରୁଛନ୍ତି !ଏହାର ସ୍ଥାୟୀ ନିରାକରଣ ପାଇଁ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି !ଜିଲ୍ଲାପାଳ ଟ୍ରଷ୍ଟ ବୋର୍ଡ ର ସଭାପତି ରହିବା ସହିତ ଯଦି ତିର୍ତ୍ତୋଲ ତହସିଲଦାର , ତିର୍ତ୍ତୋଲ ବ୍ଲକ ବିଡିଓ, ତିର୍ତ୍ତୋଲଥାନା ଆଇ ଆଇ ସି ଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ଓ ସେବାୟତ ମାନଙ୍କ ପ୍ରତନିଧି ଙ୍କୁ ନେଇ ଏକ ଟ୍ରଷ୍ଟ ବୋର୍ଡ ଗଠନ କରାଯାଏ ତେବେ ହୁଏତ ଏହି ଲାଗି ରହିଥିବା ଏସବୁ ସମସ୍ୟାର ଆଶୁ ସମାଧାନ ହୋଇ ପାରନ୍ତା ବୋଲି ସାଧାରଣରେ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *