ଭୁବନେଶ୍ୱର: ରାଜ୍ୟରେ ଅପରାଧ ଓ ଅପରାଧୀଙ୍କ ମୂଳପୋଛ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ‘ଅପରେସନ ଗରୁଡ଼’କୁ ବଡ଼ ସଫଳତା ମିଳିଛି। ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ଗତ ଅଗଷ୍ଟ ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ଦ୍ୱିତୀୟ ସପ୍ତାହରେ ପୋଲିସ ରାଜ୍ୟବ୍ୟାପୀ ଚଢ଼ାଉ କରି ବିପୁଳ ପରିମାଣର ନିଶା ଦ୍ରବ୍ୟ, ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ହଜାର ହଜାର ୱାରେଣ୍ଟ କାର୍ଯ୍ୟକାରୀ କରିଛି।
ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଥିବା ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW) କାର୍ଯ୍ୟକାରୀ କରିବା, ନିଶା କାରବାର, ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ ଏବଂ ଜୁଆ ଆଡ୍ଡା ଉପରେ ରୋକ ଲଗାଇବାକୁ ଗୁରୁତ୍ୱ ଦିଆଯାଇଛି। ଅଗଷ୍ଟ ୧୬ ତାରିଖ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, ସମୁଦାୟ ୩,୬୪୩ଟି NBW କାର୍ଯ୍ୟକାରୀ କରାଯାଇଛି। ଅବକାରୀ ମାମଲାରେ ୧୮୦୬ଟି ମାମଲା ରୁଜୁ କରାଯାଇ ୪୭,୧୦୫ ଲିଟରରୁ ଅଧିକ ମଦ ଜବତ ହୋଇଛି। ସେହିପରି, ୬୩ଟି ବେଆଇନ ଅସ୍ତ୍ରଶସ୍ତ୍ର ସହ ୯୫ଟି ଗୁଳିଗୋଳା, ୫୭ଟି NDPS ମାମଲାରେ ୩୦୩୦ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଓ ୬୬୪ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଏହା ବ୍ୟତୀତ ୭୦ଟି ଜୁଆ ମାମଲାରେ ୬ ଲକ୍ଷ ୨୮ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜବତ କରାଯାଇଥିବା ବେଳେ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ୪୦୬ ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି।
ଏହି ଅଭିଯାନରେ କେତେକ ଜିଲ୍ଲା ପୋଲିସର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି। ଗଞ୍ଜାମ ଜିଲ୍ଲା ପୋଲିସ ସର୍ବାଧିକ ୩୮୩ଟି NBW କାର୍ଯ୍ୟକାରୀ କରିଥିବା ବେଳେ ୧୧ଟି ବନ୍ଧୁକ ଓ ୫୫ ଗୋଳାବାରୁଦ ଜବତ କରିଛି। ସେହିପରି, ସମ୍ବଲପୁର ଜିଲ୍ଲା ପୋଲିସ ଜୁଆ, ଅବକାରୀ ଏବଂ NDPS ମାମଲାରେ ଆଗୁଆ ରହି ୧୮୨ଟି ଅବକାରୀ ମାମଲା, ୧୨ଟି NDPS ମାମଲା ଏବଂ ୧୦ଟି ଜୁଆ ମାମଲା ରୁଜୁ କରି ବହୁ ଅପରାଧୀଙ୍କୁ ଗିରଫ କରିଛି। ଅନ୍ୟପଟେ, କନ୍ଧମାଳ ଜିଲ୍ଲା ପୋଲିସ ଏକ ବଡ଼ ସଫଳତା ପାଇ ୫ ଟନରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି।
ସାଧାରଣ ଲୋକଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଦେବାକୁ ଓଡ଼ିଶା ପୋଲିସ ପ୍ରତିଶ୍ରୁତିବଦ୍ଧ ଏବଂ ଆଗାମୀ ଦିନରେ ମଧ୍ୟ ଅପରାଧୀମାନଙ୍କ ବିରୁଦ୍ଧରେ ‘ଅପରେସନ ଗରୁଡ଼’ ଅଭିଯାନ ଜାରି ରହିବ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସଞ୍ଜୟ କୁମାର ସୂଚନା ଦେଇଛନ୍ତି।
