କଟକ: ୪୨ ମୌଜା ରାଉତରାପୁର ସ୍ଥିତ ଲିଲି ଇଣ୍ଟରନ୍ୟାସନାଲ୍ ସ୍କୁଲରେ ପବିତ୍ର ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ସାଗରିକା ପତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଡକ୍ଟର କଲ୍ଲିମୁଲ୍ଲା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।
ଏହି ଅବସରରେ ପାର୍ବତୀ ବିଦ୍ୟାପୀଠର ଅବସରପ୍ରାପ୍ତ ଶିକ୍ଷକ ଅଶୋକ ପତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ସମ୍ପାଦକ ସକିଲ୍ ଅକତର୍ ଖାଁ, ସଭାପତି ଡକ୍ଟର ଜାହିର ବେଗ ଏବଂ ଡକ୍ଟର ଜମାଲ ଆରା ପ୍ରମୁଖ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶଗ୍ରହଣ କରି ଅତିଥିମାନଙ୍କୁ ଅଭିବାଦନ ଜଣାଇଥିଲେ ।
ଉପସ୍ଥିତ ଅତିଥିବୃନ୍ଦ ନିଜ ବକ୍ତବ୍ୟରେ ସ୍ୱାଧୀନତା ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିବା ସହ ଜଣେ ଭଲ ନାଗରିକ ହୋଇ ଏକ ସୁସ୍ଥ ସମାଜ ଗଠନ ଦିଗରେ ଛାତ୍ରଛାତ୍ରୀମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଅଭିଭାବକ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଶେଷରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
