ବୟାଳିଶ ମୌଜା: କଟକ ଜିଲ୍ଲା ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗ୍ରାମରେ ଥିବା କେନ୍ଦ୍ର ସରକାରଙ୍କ ପରିଚାଳିତ ଉପ-ଡାକଘରେ ସ୍ୱାଧୀନତା ଦିବସରେ ଜାତୀୟ ପତାକା ଉତ୍ତୋଳନ କରାନଯିବା ଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଡାକଘରର ପୋଷ୍ଟମାଷ୍ଟରଙ୍କ ଏଭଳି ବେପରୁଆ ମନୋଭାବ ଓ ଜାତୀୟ ପର୍ବ ପ୍ରତି ଅସମ୍ମାନକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଅଭିଯୋଗ ଅନୁଯାୟୀ, ବର୍ତ୍ତମାନର ପୋଷ୍ଟମାଷ୍ଟର ବେଣ୍ଟକାର ଡାକଘରକୁ ବଦଳି ହୋଇ ଆସିବା ଦିନଠାରୁ ସ୍ଥାନୀୟ ଲୋକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେ ଲୋକଙ୍କ ସହ ଭଲ ଭାବରେ କଥାବାର୍ତ୍ତା କରୁନାହାନ୍ତି କିମ୍ବା କୌଣସି ବିଷୟରେ ପଚାରିଲେ ସଠିକ୍ ଉତ୍ତର ଦେଉନାହାନ୍ତି । ତାଙ୍କର ଏଭଳି ଅସହଯୋଗ ମନୋଭାବ ଯୋଗୁଁ ବହୁ ଗ୍ରାହକ ଡାକଘରୁ ମୁହଁ ଫେରାଇ ଅନ୍ୟ ବ୍ୟାଙ୍କମାନଙ୍କରେ ନିଜର ଜମାଖାତା ଖୋଲିବାକୁ ବାଧ୍ୟ ହେଉଛନ୍ତି ।
ସ୍ୱାଧୀନତା ଦିବସ ଭଳି ଏକ ପବିତ୍ର ଦିବସରେ ଜାତୀୟ ପତାକା ନ ଉଡ଼ାଇବା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ୪୨ ମୌଜାର ବୁଦ୍ଧିଜୀବୀମାନେ ଏହି ଘଟଣାର ତୁରନ୍ତ ବିଭାଗୀୟ ତଦନ୍ତ କରି ସମ୍ପୃକ୍ତ ପୋଷ୍ଟମାଷ୍ଟରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ।
