59edf68e 9fab 4294 9f8b 708212324a6f

ସାରଳା ସାହିତ୍ୟ ର ଆନ୍ତର୍ଜାତୀୟ ମୂଲ୍ୟାୟନ କରାଯାଉ ସାରଳା ସାହିତ୍ୟ ସଂସଦ ମୁମ୍ବାଇ ଶାଖାର ସାରସ୍ୱତ ଉତ୍ସବରେ ମତ ପ୍ରକାଶ

ରାଜ୍ୟ
Spread the love

ଝଙ୍କଡ଼: ମୁମ୍ବାଇ ବିଶ୍ୱବିଦ୍ୟାଳୟର ଭାଷା ସମ୍ମିଳନୀ କକ୍ଷରେ ସାରଳା ସାହିତ୍ୟ ସଂସଦ, ମୁମ୍ୱାଇ ଶାଖା ଆନୁକୁଲ୍ୟରେ ଏକ ଭବ୍ୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି। ସଂସଦର ପ୍ରତିଷ୍ଠାତା ସଭାପତି ଇଂ. ଡଃ ପ୍ରଭାକର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ହିନ୍ଦୀ ସାହିତ୍ୟିକ ଡଃ ସୂର୍ଯ୍ୟ ବାଳାଙ୍କୁ ସାହିତ୍ୟ ଏକାଡେମୀ ଓ ବ୍ୟାସ ସମ୍ମାନ ପ୍ରଦାନ କରାଯାଇଛି।

ଉଦ୍ଘାଟକ ଭାବେ ଯୋଗଦେଇ ଡଃ ସୂର୍ଯ୍ୟ ବାଳା ମତପ୍ରକାଶ କରିଥିଲେ ଯେ, ଓଡ଼ିଆ ଭାଷା ସାହିତ୍ୟର ପ୍ରାଣ ପ୍ରତିଷ୍ଠାତା ଆଦିକବି ଶୂଦ୍ରମୁନି ସାରଳା ଦାସଙ୍କ ରଚିତ ମହାଭାରତ ଆଞ୍ଚଳିକ ଭାଷାର ପ୍ରଥମ ପୂର୍ଣ୍ଣାଙ୍ଗ ମହାଭାରତ ଏବଂ ଏହି ମହାକାବ୍ୟର ଆନ୍ତର୍ଜାତୀୟ ମୂଲ୍ୟାୟନ ହେବାର ଆବଶ୍ୟକତା ରହିଛି। ସମ୍ମାନିତ ଅତିଥି ଭାବେ ମରାଠୀ ସାହିତ୍ୟିକ ଓ ପ୍ରଶାସକ ଉମେଶ କାଶୀକର ଓଡ଼ିଶା ଓ ମହାରାଷ୍ଟ୍ରର ସାହିତ୍ୟିକ ଓ ସାଂସ୍କୃତିକ ସମ୍ପର୍କ ଉପରେ ଆଲୋଚନା କରିଥିବା ବେଳେ ବମ୍ବେ ଓଡ଼ିଆ ସମାଜର ଅଧ୍ୟକ୍ଷ ଡଃ ବିପିନ ବିହାରୀ ମିଶ୍ର କହିଥିଲେ ଯେ ଏହି ସାରସ୍ୱତ ଆଲୋଚନା ଚକ୍ର ଜାତୀୟ ସଂହତି ଓ ମୈତ୍ରୀ ଭାବ ପ୍ରତିଷ୍ଠାରେ ସହାୟକ ହେବ।

ସଭାପତି ଇଂ. ପ୍ରଭାକର ସ୍ୱାଇଁ, ସାରଳା ସାହିତ୍ୟ ସଂସଦର ଯୁଗାନ୍ତକାରୀ ପଦକ୍ଷେପ ଓ ଆଭିମୁଖ୍ୟ ବିଷୟରେ ଆଲୋକପାତ କରି ଏହି କାର୍ଯ୍ୟକ୍ରମ ମରାଠୀ ଓ ଓଡ଼ିଆ ସାହିତ୍ୟ ମଧ୍ୟରେ ବନ୍ଧୁତାର ସେତୁ ପ୍ରତିଷ୍ଠା କରିବ ବୋଲି କହିଥିଲେ। ପାଲି ବିଭାଗର ମୁଖ୍ୟ ପ୍ରଫେସର ଡଃ ଯୋଜନା ଭଗତ୍ କଳିଙ୍ଗର ବୌଦ୍ଧ ଧର୍ମର ପରମ୍ପରା ଏବଂ ଓଡ଼ିଆ କବିତା ଉପରେ ଏହାର ପ୍ରଭାବ ଉପରେ ଆଲୋଚନା କରିଥିବା ବେଳେ ସଂସଦର ମୁମ୍ବାଇ ଶାଖାର ଆବାହକ ପ୍ରଫେସର ଡଃ ରାଜେଶ କର ସ୍ୱାଗତ ଭାଷଣ ଦେବା ସହିତ କଳିଙ୍ଗର ମହାନ ଐତିହ୍ୟ, ସଂସ୍କୃତି ଓ ମହାର୍ଘ୍ୟ ପରମ୍ପରାର ସ୍ମୃତିଚାରଣ କରିଥିଲେ।

ଏହି ଅବସରରେ ଇଂ. ଡଃ ପ୍ରଭାକର ସ୍ୱାଇଁଙ୍କ ରଚିତ ଓଡ଼ିଆ ଗଳ୍ପ ସଙ୍କଳନ ଏବଂ ପ୍ରଫେସର ସତ୍ୟନାରାୟଣ ପଣ୍ଡାଙ୍କ ହିନ୍ଦୀ ଅନୁଦିତ ଗଳ୍ପ ସଙ୍କଳନ “ଆଠରୀ ମୁସ୍କାନ”କୁ ମୁଖ୍ୟଅତିଥିଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଆଶୁତୋଷ କଦମ୍ ଓ ମିତା ଖରାସ ପ୍ରମୁଖ ବିଶେଷଜ୍ଞମାନେ ସାରଳା ସାହିତ୍ୟକୁ ବିଶ୍ୱସ୍ତରରେ ପହଞ୍ଚାଇବା କ୍ଷେତ୍ରରେ ସାରଳା ସାହିତ୍ୟ ସଂସଦର ଭୂମିକା ଓ ଅବଦାନ ଅବିସ୍ମରଣୀୟ ଓ ପ୍ରଶଂସନୀୟ ବୋଲି ମତ ବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *