କଟକ ବଡ଼ ଡାକ୍ତରଖାନା ଚିକିତ୍ସା ବ୍ୟବସ୍ତା ସଙ୍କଟରେ: ୨୯ ବିଭାଗରେ ୯୧ଟି ମେସିନ୍‌ କାମ କରୁନି

କଟକ ଜିଲା ଖବର ରାଜ୍ୟ
Spread the love

କଟକ, ୨୨/୧୦: କଟକ ଏସସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ରେ ଚିକିତ୍ସା ବ୍ୟବସ୍ଥା ଏବେ ସଙ୍କଟରେ। ଓଡ଼ିଶା ରାଜ୍ୟ ମେଡିକାଲ ନିଗମରୁ ମିଳିଥିବା ତଥ୍ୟ ଅନୁସାରେ ୨୯ଟି ବିଭାଗରେ ୯୧ଟି ମେସିନ ଏବେ ଅଚଳ। ଯେଉଁଥିରେ ସେଣ୍ଟ୍ରାଲ ଆଇସିୟୁ, ଆଇସିୟୁ, ଏସ୍‌ଏନ୍‌ସିୟୁ, ସର୍ଜରୀ ଓ ଟ୍ରମା ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ମେସିନ୍‌ ସବୁ ରହିଛି। ରୋଗୀଙ୍କ ଜୀବନ ବଞ୍ଚାଇବା ଦିଗରେ ଏହି ଯନ୍ତ୍ରାଂଶଗୁଡ଼ିକର ବିଶେଷ ଆବଶ୍ୟକତା ଥିବା ବେଳେ ଏହା କାର୍ଯ୍ୟକ୍ଷମ ହେଉନଥିବାରୁ ରୋଗୀ ସେବା କେମିତି ହେଉଛି ତାହା ଜଣାପଡ଼ୁଛି।ସୂଚନା ଅନୁସାରେ ବାୟୋକେମିଷ୍ଟ୍ରିରେ ୨ଟି, ବ୍ଲଡ୍‌ ବ୍ୟାଙ୍କରେ ୫ଟି, ସିଟିଭିଏସ୍‌ରେ ୩ଟି, କାର୍ଡ଼ିଓଲୋଜିରେ ୩ଟି, କାଜୁଆଲ୍‌ଟିରେ ୨ଟି, ସେଣ୍ଟ୍ରାଲ୍‌ ଆଇସିୟୁରେ ୩ଟି, କୋଭିଡ଼ ହସପିଟାଲରେ ୩ଟି, ସିଏସଏସଡ଼ିରେ ୨ଟି, ଡେଣ୍ଟାଲରେ ଗୋଟିଏ, ଇଏନ୍‌ଟିରେ ୩ଟି, ଗେଷ୍ଟ୍ରୋରେ ଗୋଟିଏ, ଗାୟନୋକୋଲୋଜିରେ ଗୋଟିଏ, ଆଇସିୟୁରେ ୬ଟି, ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନରେ ଗୋଟିଏ, ଲିଭର ଟ୍ରାନ୍ସପ୍ଲାଣ୍ଟରେ ୭ଟି, ମେଲ୍‌ ସର୍ଜରୀରେ ଗୋଟିଏ, ମେଡ଼ିସିନ୍‌ରେ ୱାର୍ଡ଼ରେ ଗୋଟିଏ ଓ ଆଇସିୟୁରେ ଗୋଟିଏ, ନ୍ୟୁରୋଲୋଜିରେ ଗୋଟିଏ, ଓଆଣ୍ଡଜିରେ ଗୋଟିଏ, ଚକ୍ଷୁ ବିଭାଗରେ ୨ଟି, ଅସ୍ଥିଶଲ୍ୟରେ ୨ଟି, ଫାର୍ମାକୋଲୋଜିରେ ୩ଟି, ସାଇକୋଲୋଜିରେ ୧୨ଟି, ପ୍ଲାଷ୍ଟିକ୍‌ ସର୍ଜରୀରେ ଗୋଟିଏ, ପଲମୁନାରୀରେ ଗୋଟିଏ, ରେଡ଼ିଓଲୋଜିରେ ୨ଟି, ଏସ୍‌ଏନ୍‌ସିୟୁରେ ୫ଟି, ସର୍ଜରୀ ଓଟିରେ ୬ଟି, ଟ୍ରମା ଆଇସିୟୁରେ ୮ଟି, ୟୁରୋଲୋଜିରେ ୨ଟି ମେସିନ ଖରାପ ହୋଇଛି।ଗୁରୁତର ରୋଗୀଙ୍କ ଜୀବନ ବଞ୍ଚାଉ ଥିବା ମେସିନଗୁଡ଼ିକ କାମ କରୁ ନଥିବାରୁ ଚିକିତ୍ସା କ୍ଷେତ୍ରରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି, ଯାହା ଚିନ୍ତାର ବିଷୟ। ଅଚଳ ହୋଇଥିବା ଅଧିକାଂଶ ଯନ୍ତ୍ରାଂଶ ବିଦେଶୀ ତଥା ନାମୀଦାମୀ କମ୍ପାନୀର। ବିଦେଶରୁ ଆମଦାନୀ ହୋଇଥିବା ଦାମୀ ମେସିନ୍‌ ଗୁଡ଼ିକ ଉପଯୁକ୍ତ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଖରାପ ହୋଇ ଯାଇଥିବା ଚର୍ଚ୍ଚା ହେଉଛି। କୋଟି କୋଟି ଟଙ୍କାର ମେସିନ ନଷ୍ଟ ହୋଇଥିବାରୁ ଏହାର ଉତ୍ତର ଦାୟିତ୍ବ କାହାର ତାହା ନେଇ ମଧ୍ୟ ପ୍ରଶ୍ନବାଚୀ। ଦାୟିତ୍ବରେ ଥିବା ଅଧିକାରୀ ଓ ରକ୍ଷଣାବେକ୍ଷଣ କରୁଥିବା କମ୍ପାନୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇ ପଡ଼ିଛି। ଅନ୍ୟ ପକ୍ଷରେ ସହସ୍ରାଧିକ ସଂଖ୍ୟାରେ ରୋଗୀ ବଡ଼ ଡାକ୍ତରଖାନାକୁ ଆସୁଥିବାରୁ ଜାଣିଶୁଣି ଏହି ମେସିନଗୁଡ଼ିକ ଖରାପ କରାଯାଉଥିବା ଅଭିଯୋଗ ମଧ୍ୟ ହେଉଛି। ଯାହା ଦ୍ବାରା ରୋଗୀଙ୍କ ରୋଗ ନିରୂପଣ ଓ ଚିକିତ୍ସା ବିଳମ୍ବିତ ହେବ ଓ ବାଧ୍ୟ ହୋଇ ରୋଗୀ ବେସରକାରୀ ଚିକିତ୍ସାଳୟ ଆଡ଼କୁ ମୁହଁାଇବ। ଏଭଳି ଦାୟିତ୍ବହୀନତା ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *