ହେଲିପ୍ୟାଡରେ ଫସିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର

ଦେଶବିଦେଶ ରାଜ୍ୟ
Spread the love

ନୂଆଦିଲ୍ଲୀ, ୨୨/୧୦: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୪ ଦିନିଆ କେରଳ ଗସ୍ତରେ ଅଛନ୍ତି । ଆଜି ରାଷ୍ଟ୍ରପତିଙ୍କ ସାବରିମାଲା ଦର୍ଶନ କାର୍ଯ୍ୟକ୍ରମ ରହିଛି । ତେଣୁ ବୁଧବାର ସକାଳୁ ସକାଳୁ ସାବରିମାଲାଗସ୍ତରେ ବାହାରିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଛି । ତୀର୍ଥଯାତ୍ରାରେ ଯାଉଥିବା ରାଷ୍ଟ୍ରପତିଙ୍କ ହେଲିକପ୍ଟର ଚକ କେରଳର ପ୍ରମାଦମରେ ନବନିର୍ମିତ କଂକ୍ରିଟ ହେଲିପ୍ୟାଡରେ ହଠାତ ଫସି ଯାଇଥିଲା। ଏହି ଘଟଣା ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂତ୍ର ଅନୁଯାୟୀ, ମଙ୍ଗଳବାର (ଅକ୍ଟୋବର ୨୧) ସନ୍ଧ୍ୟାରେ ହେଲିପ୍ୟାଡ ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ପାଇଲଟଙ୍କ ନିର୍ଦ୍ଦେଶରେ ରାତାରାତି କଂକ୍ରିଟ୍ ଢଳା ଆରମ୍ଭ ହୋଇଥିଲା। ସକାଳ ସୁଦ୍ଧା କାର୍ଯ୍ୟକୁ ସମାପ୍ତ କରାଯାଇଥିଲା। କାରଣ ବୁଧବାର ରାଷ୍ଟ୍ରପତିଙ୍କ ହେଲିକପ୍ଟର ସେଠାରେ ଅବତରଣ କରିବାର ଥିଲା।

ତେବେ ରାତାରାତି ହେଲିପ୍ୟାଡ ନିର୍ମାଣକୁ ନେଇ ରାଜ୍ୟ ଗୁଇନ୍ଦା ବିଭାଗ ପୂର୍ବରୁ ସତର୍କ କରାଇ ଦେଇଥିଲା ଯେ ହେଲିପ୍ୟାଡରେ କଂକ୍ରିଟ୍ ସମ୍ପୂର୍ଣ୍ଣ ଶୁଖିଲା ନାହିଁ, ତେଣୁ ହେଲିକପ୍ଟରକୁ ସେଠାରେ ଅବତରଣ କରାଯିବା ଉଚିତ୍ ନୁହେଁ। କିନ୍ତୁ ଏହି ଚେତାବନୀକୁ କେହି ଗୁରୁତ୍ବ ନଦେଇ ରାଷ୍ଟ୍ରପତିଙ୍କ ହେଲିକପ୍ଟରକୁ ଓଦା ଥିବା କଂକ୍ରିଟ୍ ରାସ୍ତାରେ ଅବତରଣ କରି ଦେଇଥିଲେ ଯଦ୍ବାରା ଏହି ଘଟଣା ଘଟିଲା। ସମୟ ବିଳମ୍ବ ନକରି ପୁଲିସ ଓ ଅଗ୍ନିଶମବାହିନୀ ହେଲିକପ୍ଟରକୁ ଠେଲି ଘଟଣାସ୍ଥଳରୁ ବାହାର କରି ସୁରକ୍ଷିତ ସ୍ଥାନକୁ ନେଇଥିଲେ। ଏହି ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି।

Leave a Reply

Your email address will not be published. Required fields are marked *