ନୂଆଦିଲ୍ଲୀ, ୨୪/୧୦: ବିନା କୌଣସି ଲ’ସୁଟ୍ (ମକଦ୍ଦମା) ରେ ପିତାମାତାଙ୍କ ଦ୍ବାରା ହୋଇଥିବା ସମ୍ପତ୍ତି ବୁଝାମଣାକୁ ନାବାଳକ ସନ୍ତାନ ସାବାଳକ ହେବା ପରେ ବାତିଲ କରିପାରିବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସନ୍ତାନ ନାବାଳକ ଥିବା ସମୟରେ ତା’ର ପିତାମାତା ଯଦି କାହାକୁ ସମ୍ପତ୍ତି ବିକ୍ରି କରିଥାନ୍ତି କିମ୍ବା ହସ୍ତାନ୍ତର କରିଥାନ୍ତି ତେବେ ତାହାକୁ ସନ୍ତାନ ସାବାଳକ ହେବା ପରେ ଚାଲେଞ୍ଜ କରିପାରିବ। ଏପରି କି ଉକ୍ତ ସମ୍ପତ୍ତିକୁ ସନ୍ତାନ ଅନ୍ୟ କାହାକୁ ବିକ୍ରି କରିପାରିବ। ତେଣୁ ସନ୍ତାନ ନାବାଳକ ଥିବା ସମୟରେ ପିତାମାତା ଯଦି କାହାକୁ ସମ୍ପତ୍ତି ବିକ୍ରି କିମ୍ବା ସ୍ଥାନାନ୍ତର କରିବାକୁ ଚାହଁୁଥାନ୍ତି ତେବେ ଏଥିପାଇଁ ଏକ ମକଦ୍ଦମା କରିବା ଦରକାର।ମକଦ୍ଦମା ମାଧ୍ୟମରେ ସମ୍ପତ୍ତି ବିକ୍ରି କିମ୍ବା ହସ୍ତାନ୍ତର କରାଯାଇଥିଲେ ଏହା ବୈଧ ବିବେଚିତ ହେବ ବୋଲି ସୁପ୍ରିମକୋର୍ଟ ବିଚାରପତି ପଙ୍କଜ ମିତ୍ତଲ ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି। ମାମଲାଟି ହେଉଛି ୧୯୭୧ରେ କର୍ଣ୍ଣାଟକ ସାମନୌର ଗାଁର ଦୁଇଟି ପ୍ଲଟ୍କୁ ରୁଦ୍ରପ୍ପା ନାମକ ଜଣେ ବ୍ୟକ୍ତି ତାଙ୍କର ତିନିଟି ନାବାଳକ ସନ୍ତାନଙ୍କ ନାମରେ କ୍ରୟ କରିଥିଲେ। ପରବର୍ତ୍ତୀ ସମୟରେ ରୁଦ୍ରପ୍ପା ଏହି ଦୁଇଟି ପ୍ଲଟ୍କୁ ନିଲମ୍ମା ନାମକ ମହିଳାଙ୍କୁ ବିକ୍ରି କରିଦେଇଥିଲେ। ରୁଦ୍ରପ୍ପା ପ୍ଲଟ୍ ଦୁଇଟିକୁ ନିଲମ୍ମାଙ୍କୁ ବିକ୍ରି କରିବା ସମୟରେ ପିଲାମାନେ ନାବାଳକ ଥିଲେ। ଏହି ବିକ୍ରି ପାଇଁ ରୁଦ୍ରପ୍ପା କୋର୍ଟଙ୍କ ଅନୁମତି ନେଇ ନଥିଲେ। ରୁଦ୍ରପ୍ପାଙ୍କ ପିଲାମାନେ ସାବାଳକ ହେବା ପରେ ଏହି ୨ଟି ପ୍ଲଟ୍କୁ କେଏସ୍ ଶିବପ୍ପା ନାମକ ଜଣେ ବ୍ୟକ୍ତିକୁ ପୁନର୍ବାର ବିକ୍ରି କରିଥିଲେ। ଫଳରେ ପ୍ଲଟ୍ର ମାଲିକାନାକୁ ନେଇ ନିଲମ୍ମା ଓ ଶିବପ୍ପାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା।
