ନୂଆପଡାରେ ନବୀନ

ଜିଲା ଖବର ନୂଆପଡ଼ା ରାଜ୍ୟ
Spread the love

ନୂଆପଡ଼ା, ୩/୧୧: ଏ ସକରାର କେବଳ ମିଛି ପ୍ରଚାରରେ ହିରୋ, କିନ୍ତୁ କାମରେ ଜିରୋ। ନୂଆପଡ଼ାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଆୟୋଜିତ ପ୍ରଚାର ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ଏଭଳି କଟାକ୍ଷ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। କୋମନା ବ୍ଲକର ତାରାବୋଡ଼, ଧାନମଣ୍ଡି ପଡିଆରେ ଆୟୋଜିତ ବିରାଟ ନିର୍ବାଚନୀ ସଭାରେ ଯୋଗଦେଇଥିବା ହଜାର ହଜାର ଲୋକଙ୍କୁ ଉଦବୋଧନ ଦେଇ ନୂଆପଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ ଚି଼ହ୍ନରେ ଭୋଟ ଦେବା ପାଇଁ ନବୀନ ଅନୁରୋଧ କରିଥିଲେ।

ନବୀନ ତାଙ୍କ ଉଦବୋଧନରେ ପ୍ରଥମେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନୂଆପଡା ଜିଲ୍ଲା ଗଠନରେ ବିଜୁ ବାବୁଙ୍କ ଅବଦାନ ବିଷୟରେ ସ୍ମରଣ କରିଥିଲେ।ନବୀନ କହିଥିଲେ ଯେ, ବିଜେଡି ସରକାର ସମୟରେ ନୂଆପଡା ଜିଲ୍ଲାର ପ୍ରଭୁତ ଉନ୍ନତି ହୋଇଥିଲା। ବିଜୁ ଏକ୍ସପ୍ରେସ ଓ୍ବେଠାରୁ ଆରମ୍ଭ କରି ଭଲ ପିଇବା ପାଣି, ୧୦ହଜାର ହେକ୍ଟରରୁ ଅଧିକ ଜମିକୁ ଜଳସେଚନ, ସୁନାବେଡା ଅଭୟାରଣ୍ୟର ଲୋକଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ବିଜେପି ସରକାର ଆସିବା ପରେ ପରିସ୍ଥିତି ପୂରା ବଦଳି ଯାଇଛି ବୋଲି ନବୀନ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ସାରା ରାଜ୍ୟରେ ଏଵେ ବିକାଶ କାମ ପୂରା ବନ୍ଦ ହୋଇଯାଇଛି। ଆଇନ ଶୃଙ୍ଖଳା ପୂରା ଭୁଶୁଡିଯାଇଛି। ନାରୀ ଅତ୍ୟାଚାର ସବୁ ସୀମା ଟପିଲାଣି। ଭାଇଚାରାର ରାଜ୍ୟ ଓଡିଶାର ସୁନାମ ଆଜି ନଷ୍ଟ ହୋଇଗଲାଣି।ମିଶନ ଶକ୍ତି ମା’ମାନେ ରାଜ୍ୟରେ ଏକ ନୀରବ ଆନ୍ଦୋଳନ ଆଣିଥିଲେ। କିନ୍ତୁ ଏ ସରକାରରେ ମିଶନ ଶକ୍ତି ମା’ମାନେ ଆଜି ଋଣ ପାଉନାହାନ୍ତି। ୮ ମାସ ହେଲା ମିଶନ ଶକ୍ତି ମା’ମାନେ ଦରମା ପାଉ ନ ଥିବାରୁ ନବୀନ ଦୁଃଖ ପ୍ରକାଶ କରିଥିଲେ। ଏ ସରକାର କେବଳ ମିଛ ପ୍ରଚାରରେ ମାତିଛି। ମିଛ ପ୍ରଚାରରେ ହିରୋ। କିନ୍ତୁ କାମରେ ଜିରୋ। ଏ ସରକାର ଗେମ୍‌ ଚେଞ୍ଜର ନୁହେଁ, ନେମ୍‌ ଚେଞ୍ଜର। ରଙ୍ଗ ମରା ସରକାର।

ନବୀନ ତାଙ୍କ ଭାଷଣରେ ସରକାରଙ୍କ ପ୍ରତିଶ୍ରୁତି, ଯଥା ୩୦୦ ୟୁନିଟ ମାଗଣା ବିଜୁଳି, ସବୁ ବୃଦ୍ଧାବୃଦ୍ଧଙ୍କୁ ୩୫୦୦ ଟଙ୍କା ଭତ୍ତା, ସବୁ ପଂଚାୟତର ୧୦୦ ଯୁବକଙ୍କୁ ଚାକିରି, ଚାଷୀଙ୍କୁ ୟୁରିଆ ସାର ମିଳିବା, କଟନୀ ଛଟନୀ ବନ୍ଦ ହେବା, BSKY ଭଲ କି ଆୟୁଷ୍ମାନ କାର୍ଡ ଭଲ ସେ ବିଷୟରେ ପଚାରି ବୁଝିଥିଲେ। ନବୀନ କହିଥିଲେ ଯେ ବିଜେପି ଭୋଟ ଚୋରି କରି ସରକାର ଗଢ଼ିଥିଲା। ଏଵେ ପ୍ରାର୍ଥୀ ଚୋରି କରିଛନ୍ତି। ନୂଆପଡାବାସୀଙ୍କ ସହ, ବିଜୁ ଜନତା ଦଳ ସହ ଓ ତାଙ୍କ ସହ ବେଇମାନି ହୋଇଛି। ଏଥି ପାଇଁ ଲୋକମାନଙ୍କ ମନରେ କ୍ରୋଧ ରହିଛି।

ଏ ବିଶ୍ୱାସଘାତକତାର ଜବାବ ନୂଆପଡ଼ାବାସୀ ଭୋଟରେ ଦେଵେ ବୋଲି ନବୀନ ଦୃଢୋକ୍ତି ପ୍ରକାଶ କରିଥିଲେ।ସଭାରେ ବିଜେଡି ର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ମନୋଜ ମିଶ୍ର, ସାଂସଦ ନିରଞ୍ଜନ ବିଶି, ଟୁକୁନି ସାହୁ, ଅବନୀ ଯୋଶୀ, ବିଧାୟକ ଅଧୀରାଜ ପାଣିଗ୍ରାହୀ, ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଭାଷଣ ଦେଇ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ

Leave a Reply

Your email address will not be published. Required fields are marked *