ଭୁବନେଶ୍ବର, ୭/୧୧: କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରି ଆଜି ଭୁବନେଶ୍ବରରେ ଆୟୋଜିତ ଭାରତୀୟ ରୋଡ କଂଗ୍ରେସର ୮୪ତମ ଅଧିବେଶନରେ ଯୋଗଦେଇ କହିଛନ୍ତି। ଏହି ଅବସରରେ ସେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି, ଭାରତକୁ ବିଶ୍ବଗୁରୁ କରାଯିବାର ଲକ୍ଷ୍ୟ ରଖାଯାଇଛି। ଭାରତ ଏବେ ଅନ୍ୟ ଦେଶରୁ ତେଲ ଆମଦାନୀ କରୁଛି। କିନ୍ତୁ ଭାରତର ଲକ୍ଷ୍ୟ ଯେ, ଆଗାମୀ ଦିନରେ ତେଲ ରପ୍ତାନୀ କରିବ। ଭାରତରେ ଇଥାନୋଲ, ମେଥାନୋଲ, ବାଓ-ଏଲ୍ଏନ୍ଜି, ସିଏନ୍ଜି ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବ। ଦେଶର କିଛି ରାଜ୍ୟରେ ପ୍ରଥମେ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବ, ଯେଉଁଥିରେ ଓଡ଼ିଶା ମଧ୍ୟ ସାମିଲ ରହିଛି।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସରକାର ସଡ଼କୁ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏଥି ପାଇଁ ଅତ୍ୟାଧୁନିକ ଶୈଳୀରେ ରାସ୍ତା ନିର୍ମାଣ କରୁଛନ୍ତି। ଜନସାଧାରଣଙ୍କର ସୁରକ୍ଷା ପାଇଁ ଇଣ୍ଟଲିଜିଏଣ୍ଟ ପରିବହନ ବ୍ୟବସ୍ଥା ଏବଂ ଜାତୀୟସ୍ତରରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରୂପାନ୍ତରୀକରଣ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଦେଖାଯାଇଛି। ଆମର ଲକ୍ଷ୍ୟ ହେଉଛି ବିଶ୍ବସ୍ତରୀୟ ଭିତ୍ତିଭୂମିର ନିର୍ମାଣ। ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଦେଶବିଦେଶର ୩୫୦୦ରୁ ଅଧିକ ଇଞ୍ଜିନିୟର, ବୈଷୟିକ ବିଶେଷଜ୍ଞ, ପ୍ରଦର୍ଶକ, ପ୍ରତିନିଧି ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଛନ୍ତି। ଅଧିବେଶନକୁ ଉଦଘାଟନ କରି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ କହିଛନ୍ତି, ସଡ଼କ, ସେତୁ, ସୁଡ଼ଙ୍ଗ ଭଳି ଭିତ୍ତିଭୂମି ନିର୍ମାଣ ଲାଗି ବିଚାରବିମର୍ଶ କରିବା ନିମନ୍ତେ ଏହା ହେଉଛି ଭାରତର ସବୁଠୁ ବଡ଼ ଜ୍ଞାନବିନିମୟ କାର୍ଯ୍ୟକ୍ରମ। ସେ କହିଛନ୍ତି, ସଡ଼କ ଯୋଗାଯୋଗ ଭିତ୍ତିଭୂମି କ୍ଷେତ୍ରରେ ପ୍ରଯୁକ୍ତି, ଗବେଷଣା ଏବଂ ନବସୃଜନ ଲାଗି ବର୍ତ୍ତମାନ ହିଁ ପ୍ରକୃଷ୍ଟ ସମୟ। ଭାରତ ଏବେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା। ଏହାକୁ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକଳ୍ପ ନେଇଛନ୍ତି । ଆମେ ଏବେ ବିଶ୍ୱଗୁରୁ ହେବାର ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛୁ। ଏଥିପାଇଁ ଆମକୁ ବିଶ୍ୱସ୍ତରୀୟ ଭିତ୍ତିଭୂମିର ଆବଶ୍ୟକତା ରହିଛି। ମିତବ୍ୟୟୀ, ଉନ୍ନତ ମାନର ଭିତ୍ତିଭୂମି ନିର୍ମାଣ କରିବା ଆବଶ୍ୟକତା ରହିଥିବା ବେଳେ ନିର୍ମାଣ ଖର୍ଚ୍ଚ କମାଇବା ପାଇଁ ଯୋଜନା ପ୍ରଣୟନ କରାଯିବା ଉଚିତ୍ ବୋଲି ଶ୍ରୀ ଗଡ଼କରୀ ଗୁରୁତ୍ୱାରୋପ କହିଛନ୍ତି
ଶ୍ରୀ ଗଡ଼କରୀ କହିଥିଲେ, ଭାରତର ସଡ଼କ ନେଟୱର୍କ ବିଶ୍ୱରେ ଏକ ନମ୍ବର ହେବାକୁ ଯାଉଛି। ଉନ୍ନତ ସଡ଼କ ବିକଶିତ ହେଲେ ବାଣିଜ୍ୟ, ବ୍ୟବସାୟ ଓ ଶିଳ୍ପର ଆଗମନ ହୋଇଥାଏ। ଏସବୁକୁ ପ୍ରୋତ୍ସାହନ ମିଳିଲେ ପୁଞ୍ଜିନିବେଶ, ରୋଜଗାର ସୃଜନ ଏବଂ ଆର୍ଥିକ ଅଭିବୃଦ୍ଧିର ମାର୍ଗ ପ୍ରଶସ୍ତ ହୁଏ। ଆଇଆରସି ଅଧିବେଶନରେ ଶ୍ରେଷ୍ଠ କାର୍ଯ୍ୟପଦ୍ଧତି, ଗବେଷଣା, ନବସୃଜନ ଏବଂ କ୍ଷେତ୍ରୀୟ ଅଭିଜ୍ଞତାର ବିନିମୟ ଲାଗି ସେ ପରାମର୍ଶ ଦେଇଥିଲେ।
ଗଡ଼କରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ସଡ଼କ ନିର୍ମାଣରେ ଐତିହାସିକ ପ୍ରଗତି ହାସଲ କରିଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ୨ ଲକ୍ଷ ୮୭ ହଜାର କୋଟି ଟଙ୍କାର ବଜେଟ୍ ଆବଣ୍ଟନ ହାସଲ କରିଛି। ସଡ଼କ ନିର୍ମାଣ କ୍ଷେତ୍ରରେ ଅର୍ଥ କିମ୍ବା ସମ୍ବଳର ଅଭାବ ନାହିଁ। ସଡ଼କ ନେଟୱର୍କର ମୁଦ୍ରୀକରଣ ଦ୍ୱାରା ୧୫ ଲକ୍ଷ କୋଟି ଟଙ୍କାରୁ ଅଧିକ ସଂଗ୍ରହ କରାଯାଇପାରିବ। ତେବେ ଏଥିପାଇଁ ସ୍ୱଚ୍ଛତା, ସଚ୍ଚୋଟତା, ସକାରାତ୍ମକ ଆଭିମୁଖ୍ୟ ଏବଂ ଦ୍ରୁତ ନିର୍ଣ୍ଣୟ ପ୍ରକ୍ରିୟାର ଆବଶ୍ୟକତା ରହିଛି। କେନ୍ଦ୍ର ମନ୍ତ୍ରୀ କହିଥିଲେ, ସରକାର ଦ୍ରୁତଗତିରେ ରାଜପଥ ନିର୍ମାଣ କରୁଛନ୍ତି। ୨୧୪ରେ ୯୧ ହଜାର୨୮୭ କିଲୋମିଟର ରାଜପଥ ଥିବା ବେଳେ ବର୍ତ୍ତମାନ ଏହା ୬୦% ବୃଦ୍ଧି ପାଇ ୧,୪୬,୩୪୨ କିଲୋମିଟରରେ ପହଞ୍ଚିଛି। ଶ୍ରୀ ଗଡ଼କରୀ କହିଥିଲେ, ଦେଶରେ ଉନ୍ନତ ସଡ଼କ ନିର୍ମାଣ କାରଣରୁ ଆର୍ଥିକ ବିକାଶ ତ୍ୱରାନ୍ୱିତ ହୋଇଛି। ଉପାନ୍ତ ଏବଂ ଆଦିବାସୀ ଅଞ୍ଚଳରେ ମଧ୍ୟ ଭଲ ରାସ୍ତା ନିର୍ମିତ ହୋଇଛି । ଭଲ ସଡ଼କ ନିର୍ମାଣ କାରଣରୁ ଦେଶରେ ଲଜିଷ୍ଟିକ୍ସ ଖର୍ଚ୍ଚ ୧୬ ପ୍ରତିଶତରୁ ୧୧ ପ୍ରତିଶତକୁ ହ୍ରାସ ପାଇଥିବା ପ୍ରତିଷ୍ଠିତ ଆଇଆଇଟିଗୁଡ଼ିକର ଅଧ୍ୟୟନ ରିପୋର୍ଟରୁ ଜଣାପଡ଼ିଛି। ସଡ଼କ ଭିତ୍ତିଭୂମି ଦେଶର ଶିଳ୍ପ, ରପ୍ତାନି, ବ୍ୟବସାୟ ବାଣିଜ୍ୟକୁ ଗତିଶୀଳ କରିବ। ଏହା ଲୋକଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି କରିବ
