ସାରଳା ମନ୍ଦିରପ୍ରଶାସନ ର ଅବହେଳା ଯୋଗୁଁ ଦୁଇବର୍ଷ ପୂର୍ବରୁ ଭରଚୁଆଲ ଉଦଘାଟନ ହୋଇଥିବା, କୌଣସି ପ୍ରକଳ୍ପ କିଛି କାମରେ ଲାଗୁନି

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼, ୨୦/୧୧: ଦୀର୍ଘ ଦୁଇବର୍ଷ ପୂର୍ବରୁ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ସାରଳାପୀଠ ରେ ବିସ୍ଥାପିତ ମାନଙ୍କୁ ଥଇଥାନ କରିବାପାଇଁ ଯେଉଁ ଶତାଧିକ ଦୋକାନଗୃହ ( ମାର୍କେଟ କପ୍ଲେକ୍ସ ) ନିର୍ମାଣ କରାଯାଇଥିଲା, ସେଥିମଧ୍ୟରୁ ଆଜିପର୍ଯ୍ୟନ୍ତ କୌଣସି ଗୋଟିଏ ହେଲେ ଦୋକାନଘର, ପର୍ଯାୟ କ୍ରମେ ଉଠାଇଦିଆଯାଇଥିବା ଦୋକାନୀ ଙ୍କୁ ହସ୍ତାନ୍ତର କରାଯାଇନାହିଁ l ଯାହାଫଳରେ ସେହି ଦୋକାନୀମାନେ ଠେଲାଗାଡି ରେ ଦୋକାନଖୋଲି ବହୁ ଦୁଃଖକଷ୍ଟ ରେ ଜୀବନଜୀବିକା ନିର୍ବାହ କରୁଛନ୍ତି l ସେମାନଙ୍କ ମଧ୍ୟରୁ କେତେକ ରୋଜଗାର ହରାଇ ଭୋକ ଉପାସରେ ରହି ମରିଗଲେଣି l ତଥାପି ମଧ୍ୟ ମନ୍ଦିର ପ୍ରଶାସନର ଚେତା ପଶୁନାହିଁ l ଠିକ ସେହିପରି ରାଜ୍ୟସରକାର ଙ୍କ ବୟାଳିଶି କୋଟିଟଙ୍କା ଆର୍ଥିକ ଅନୁଦାନରେ ସାରଳାପୀଠର ନବୀକରଣ କାର୍ଯ୍ୟ ଆରମ୍ଭ ହେବାପୂର୍ବରୁ, ଏଠାରେ ଥିବା କରୁଣାନିବାସ ଧର୍ମଶାଳା, କୁବେରପୁତ୍ର ଧର୍ମଶାଳା ଆଦି ଯାତ୍ରୀବିଶ୍ରାମଗାର ଭାଙ୍ଗି ଦିଆଯାଇଥିଲା l ପରେ ପରେ ଆଉଏକ ଯାତ୍ରୀନିବାସ ନିର୍ମାଣ କରାଯିବା ସହିତ, ପୂର୍ବରୁ ନିର୍ମାଣ ସରିଥିବା ଓ ଟି ଡି ସି ପାନ୍ଥନିବାସ ଓ ଜଳସମ୍ପଦ ବିଭାଗଦ୍ୱାରା ଶୀତତାପ ନିୟନ୍ତ୍ରିତ ଝଙ୍କଡ଼ ବିଶ୍ରାମାଗାର ଓ ଏହାର ତଳଭାଗରେ ଥିବା, ପାଠାଗାର ଓ ସୂଚନାକେନ୍ଦ୍ର କୁ ଦୀର୍ଘ ଦୁଇବର୍ଷ ପୂର୍ବରୁ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଭରଚୁଆଲ ଉଦଘାଟନ ସରିଥିଲେ ମଧ୍ୟ ମନ୍ଦିର ପ୍ରଶାସନ ଏହାର ଦାଇତ୍ୱ ନେଇ ନଥିବାରୁ ଏସବୁ ମଧ୍ୟ କୌଣସି କାମରେ ଲାଗୁନି l ବିଶେଷକରି ପ୍ରତିଦିନ ଏଠାକୁ ସହସ୍ରାଧିକ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନେ ଆସୁଥିବା ବେଳେ ସେମାନଙ୍କର ରାତ୍ରୀଯାପନ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନଥିବାବେଳେ, ନବନିର୍ମିତ ଲାଟିନ ବାଥ ଆଟାଚ ଯାତ୍ରୀ ନିବାସ ରେ ରିଜର୍ଭପୋଲିସ ମାନେ ମାସ ମାସ ଧରି ଡେରାପକାଇ ରହୁଥିବାର ଦେଖିବାକୁ ମିଳୁଛି l

ସାରଳା ମନ୍ଦିର ପ୍ରଶାସନ ର ଏକମାତ୍ର ସୋଲଟ୍ରଷ୍ଟି, ଖୋଦ ଜଗତସିଂହପୁର ଜିଲ୍ଲାପାଳ ଥିଲାବେଳେ, ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ପୀଠ ରେ ଏହି ଅବ୍ୟବସ୍ଥା ଓ ଅଚଳାବସ୍ଥା ଲାଗି ରହିଥିବାରୁ ଦୂରଦୁରାନ୍ତ ରୁ ଆସୁଥିବା ଶ୍ରଦ୍ଧାଳୁଭକ୍ତ, ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି l ଯେଉଁ ଯାତ୍ରୀମାନଙ୍କ ଦାନରେ କୋଟିକୋଟି ଟଙ୍କା, ପ୍ରତିବର୍ଷ ମନ୍ଦିର ପାଣ୍ଠି କୁ ଆସୁଛି, ସେମାନଙ୍କପାଇଁ, ଶୌଚାଳୟ, ପାନୀୟଜଳ ଯୋଗାଣ, ରାତ୍ରୀଯାପନ ଆଦି ସର୍ବନିମ୍ନ ଆବଶ୍ୟକତା ପ୍ରତି ଆଦୌ ଦୃଷ୍ଟି ଦିଆଯାଉନଥିବାରୁ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଇଛି l ଜିଲ୍ଲାପ୍ରଶାସନ, ଦେବୋତ୍ତର ବିଭାଗ ଓ ସର୍ବୋପରି ଓଡିଶା ସରକାର ଏଥି ପ୍ରତି ଯଥାର୍ଥ ଦୃଷ୍ଟିଦେଇ ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି l ବିଶେଷକରି ମନ୍ଦିରର ସୁପରିଚାଳନା ପାଇଁ ଦୀର୍ଘ ଦୁଇଦଶନ୍ଧି ଧରି ଏଠାରେ ଏକ ଟ୍ରଷ୍ଟବୋର୍ଡ ନଥିବାରୁ, ଏସବୁ ଅଭାବ ଅସୁବିଧା ଓ ସମସ୍ୟା ବଢ଼ି ବଢ଼ି ଚାଲିଛି l ତେଣୁ ରାଜ୍ୟ ଦେବୋତ୍ତର ବିଭାଗ ଯେତେଶୀଘ୍ର ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଓ ସେବାୟତ ଙ୍କ ପ୍ରତିନିଧି ମାନଙ୍କୁ ନେଇ ଏକ ପାଞ୍ଚ /ସାତ ଜଣିଆ ଟ୍ରଷ୍ଟ ବୋର୍ଡ ଗଠନ ର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇ ପଡିଛି l

Leave a Reply

Your email address will not be published. Required fields are marked *