ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ଦେଶବିଦେଶ
Spread the love

ମୁମ୍ବଇ, ୧୩/୧୨: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ ୩୦ରୁ ପୁଣି ଆମରଣ ଅନଶନରେ ବସିବେ ବୋଲି ଘୋଷଣା କରିଛନ୍ତି। ମହାରାଷ୍ଟ୍ର ସରକାର ଲୋକାୟୁକ୍ତ ଆଇନକୁ କାର୍ଯ୍ୟକାରୀ କରୁନଥିବା ପ୍ରତିବାଦରେ ଏଭଳି ଅନଶନ ଆରମ୍ଭ କରିବେ ବୋଲି ଆନ୍ନା କହିଛନ୍ତି। ପୈତୃକ ଗ୍ରାମ ରାଲେଗାଓଁ ସିଦ୍ଧିରେ ଆରମ୍ଭ ହେବାକୁ ଥିବା ଏହି ଅନଶନ ଚୂଡାନ୍ତ ତଥା ନିର୍ଣ୍ଣାୟକ ହେବ ବୋଲି ଆନ୍ନା କହିଛନ୍ତି। ୨୦୨୨ରେ ଲୋକାୟୁକ୍ତ ଆଇନ ପ୍ରଣୟନ ଦାବିରେ ଆନ୍ନା ଆମରଣ ଅନଶନ ଆରମ୍ଭ କରିଥିଲେ। ତେବେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କ ଅନୁରୋଧକ୍ରମେ ଆନ୍ନା ଅନଶନରୁ ଓହରି ଯାଇଥିଲେ। ପରବର୍ତ୍ତୀ ସମୟରେ ଲୋକାୟୁକ୍ତ ବିଲ୍‌ ମହାରାଷ୍ଟ୍ରର ଉଭୟ ଗୃହରେ ଗୃହୀତ ହେବାସହିତ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ତେବେ ଏ ପର୍ଯ୍ୟନ୍ତ ଏହି ଆଇନକୁ କାହିଁକି କାର୍ଯ୍ୟକାରୀ କରାଯାଉନାହିଁ, ସେଥି​‌େ​‌ନଇ ଆନ୍ନା ପ୍ରଶ୍ନ ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀ ଫଡ୍‌ନବିସଙ୍କ ନିକଟକୁ ଆନ୍ନା ଏ ପ୍ରସଙ୍ଗରେ ଏକାଧିକ ପତ୍ର ଲେଖିଥିଲେ ମଧ୍ୟ ସୁଫଳ ମିଳିନଥିବା ସେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଲୋକପାଳ ବିଲ୍‌ ପ୍ରଣୟନ ଦାବିରେ ୨୦୧୧ରେ ଆନ୍ନାଙ୍କ ନେତୃତ୍ବରେ ଦିଲ୍ଲୀର ଜନ୍ତର ମନ୍ତରରେ ଯେଉଁ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା, ତାହା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା।

Leave a Reply

Your email address will not be published. Required fields are marked *