କଟକ ସଦର : କଟକ ସଦର କନ୍ଦରପୁର ଥାନା ଅନ୍ତର୍ଗତ ବମ୍ବୁରୀ ଗ୍ରାମର ବାସିନ୍ଦା ତଥା ବରିଷ୍ଠ ନାଗରିକ ଏବଂ ଅବସରପ୍ରାପ୍ତ ସ୍ଵାସ୍ଥ୍ୟକର୍ମୀ ଭୀମ ସାହୁଙ୍କର ୮୬ ବର୍ଷ ବୟସରେ ବିୟୋଗ ଘଟିଛି। ଜଣେ ପରୋପକାରୀ ଏବଂ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତିତ୍ୱ ଭାବେ ପରିଚିତ ଶ୍ରୀ ସାହୁଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସ୍ୱର୍ଗତ ଭୀମ ସାହୁ ସ୍ଵାସ୍ଥ୍ୟ ବିଭାଗରେ ଦୀର୍ଘ ବର୍ଷ ଧରି ନିଷ୍ଠାର ସହ ସେବା ପ୍ରଦାନ କରିଥିଲେ। ସେ ନିଜ କାର୍ଯ୍ୟକାଳ ମଧ୍ୟରେ ଯାଜପୁର ଜିଲ୍ଲାର ଛତିଆ ଓ ବରୀ, ଜଗତସିଂହପୁର ଜିଲ୍ଲାର ବିରିଡ଼ି ଏବଂ କଟକ ସଦର ଅଞ୍ଚଳର କନ୍ଦରପୁର ଓ ବେଣ୍ଟକାର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ଜଣେ ଦକ୍ଷ ସ୍ୱାସ୍ଥ୍ୟକର୍ମୀ ଭାବେ ସେ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଆଦୃତ ଥିଲେ। ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ଜ୍ୟେଷ୍ଠ ପୁତ୍ର ଅଭିରାମ ସାହୁ ମଧ୍ୟ ବର୍ତ୍ତମାନ ସମାଜସେବାରେ ନିଜକୁ ନିୟୋଜିତ ରଖିଛନ୍ତି।
ଗ୍ରାମ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠ ପୁତ୍ର ସାମାଜିକ କର୍ମୀ ଅଭିରାମ ସାହୁ ମୁଖାଗ୍ନୀ ଦେଇଥିଲେ। ମୃତ୍ୟୁ ଶଯ୍ୟା ନିକଟରେ କନିଷ୍ଠ ପୁତ୍ର ନୃସିଂହ ଚରଣ ସାହୁ, କନ୍ଦରପୁର ସରସ୍ଵତୀ କଳା ପରିଷଦର ସମ୍ପାଦକ ତଥା ନାଟ୍ୟକାର ଅଶୋକ ପଟ୍ଟନାୟକ ଏବଂ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ମହାନ ଆତ୍ମାର ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରାଯାଇଛି।
