ରଘୁପତି ଆଇଡିଆଲ ସ୍କୁଲ ଅଫ ଏଜୁକେସନର ୨୦ତମ ବାର୍ଷିକ ମହୋତ୍ସବ ‘ସମ୍ପର୍କ’ ଅନୁଷ୍ଠିତ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼/ତିର୍ତ୍ତୋଲ  : ତିର୍ତ୍ତୋଲ ବ୍ଲକ ନାଉସିରାସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠ ପରିସରରେ, ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ସ୍ୱର୍ଗତ ରଘୁପତି ସ୍ୱାଇଁଙ୍କ ସ୍ମୃତିରେ ପ୍ରତିଷ୍ଠିତ ‘ରଘୁପତି ଆଇଡିଆଲ ସ୍କୁଲ ଅଫ ଏଜୁକେସନ’ର ବିଂଶତମ ବାର୍ଷିକ ମହୋତ୍ସବ ‘ସମ୍ପର୍କ-୨୦୨୬’ ଗତ ଶନିବାର ସନ୍ଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠାନର ପ୍ରତିଷ୍ଠାତା ଉମାକାନ୍ତ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଛାତ୍ରନେତା ଦେବପ୍ରସାଦ ନାୟକ ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ଆଇନଜୀବୀ ଗତିକୃଷ୍ଣ ଶତପଥୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିବେକାନନ୍ଦ ହୋତା, ଅଧ୍ୟାପକ ଅଜିତ କୁମାର ସ୍ୱାଇଁ, ତିର୍ତ୍ତୋଲ କୁମାରୋତ୍ସବ ସମିତିର ସଭାପତି ବିମଳକାନ୍ତ ମହାପାତ୍ର ଏବଂ ଇଞ୍ଜିନିୟର ତୃପ୍ତିରଞ୍ଜନ ଦାସ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଅନୁଷ୍ଠାନ ପକ୍ଷରୁ ଅତିଥିମାନଙ୍କୁ ମାଲ୍ୟାର୍ପଣ ଓ ବ୍ୟାଚ୍ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସରରେ ଅତିଥିମାନେ ନିଜ ଅଭିଭାଷଣରେ କହିଥିଲେ ଯେ, ଦୀର୍ଘ ୨୦ ବର୍ଷ ଧରି ଏହି ଅନୁଷ୍ଠାନ ସ୍ଥାନୀୟ ଅଞ୍ଚଳର ଶହ ଶହ ଛାତ୍ରଛାତ୍ରୀଙ୍କୁ ନୃତ୍ୟ, ସଙ୍ଗୀତ ଓ ବାଦ୍ୟ ଆଦି କଳା ଶିକ୍ଷା ପ୍ରଦାନ କରି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି। ଗ୍ରାମାଞ୍ଚଳରେ କଳା ଓ ସଂସ୍କୃତିର ପ୍ରସାର ଦିଗରେ ଏହି ବିଦ୍ୟାଳୟର ଅବଦାନ ଅତୁଳନୀୟ ବୋଲି ମତପ୍ରକାଶ ପାଇଥିଲା।

ସଭା ପରେ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରଶଂସାପତ୍ର, ଶିଲ୍ଡ ଓ ଉପଢୌକନ ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା।

ଶେଷରେ ଶିକ୍ଷକ ନୃସିଂହ ଚରଣ ରାଉତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା, ଉପଦେଷ୍ଟା, ଅଭିଭାବକ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନେ ସକ୍ରିୟ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *