ବାୟା ଅବଧୂତ ମହାବିଦ୍ୟାଳୟର ୩୯ତମ ବାର୍ଷିକ ସାରସ୍ୱତ ଉତ୍ସବ: ସାହିତ୍ୟ ହିଁ ସମାଜର ପ୍ରତିଫଳନ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼  : “ସାହିତ୍ୟକୁ ବାଦ୍ ଦେଇ ଏକ ସୁନ୍ଦର ସମାଜର ପରିକଳ୍ପନା ଅସମ୍ଭବ। ଜୀବନକୁ ଶାନ୍ତ, ସରଳ ଓ ସୁନ୍ଦର ଭାବେ ଗଢ଼ିବା ସହ ମଣିଷର ଦୁଃଖ ହରଣ କରି ହସ ଭରିଦେବାର ଅମୋଘ ଶକ୍ତି ସାହିତ୍ୟ ପାଖରେ ରହିଛି।” ବାୟା ଅବଧୂତ ମହାବିଦ୍ୟାଳୟର ୩୯ତମ ବାର୍ଷିକ ସାରସ୍ୱତ ଉତ୍ସବରେ ଯୋଗଦେଇ ଅତିଥି ଓ ବକ୍ତାମାନେ ଏହି ମତବ୍ୟକ୍ତ କରିଛନ୍ତି।

ମହାବିଦ୍ୟାଳୟର ପ୍ରତିଷ୍ଠାତା ଡଃ ଇଂ ପ୍ରଭାକର ସ୍ୱାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମବିଭୂଷଣ ସ୍ଥପତି ସୁଦର୍ଶନ ସାହୁ ଯୋଗଦେଇଥିଲେ। ସେ ନିଜ ଉଦବୋଧନରେ କହିଥିଲେ ଯେ, ଭାରତୀୟ ମୁନିଋଷିଙ୍କ ଦ୍ୱାରା ରଚିତ ବେଦ, ବେଦାନ୍ତ ଓ ଉପନିଷଦ ପରି ଆଦି ସାହିତ୍ୟ ସମଗ୍ର ବିଶ୍ୱକୁ ଦିଗଦର୍ଶନ ଦେଇଆସିଛି। ଆଧୁନିକ ଯୁଗରେ ମଧ୍ୟ ଏହାର ପ୍ରାସଙ୍ଗିକତା ଅତୁଟ ରହିଛି, ତେଣୁ ଛାତ୍ର ସମାଜ ଏହି ମହାନ ପରମ୍ପରା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ।

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଗାଳ୍ପିକ ତଥା ବରିଷ୍ଠ ସାମ୍ବାଦିକ ମାନସ ପଣ୍ଡା ଯୋଗଦେଇ କହିଥିଲେ ଯେ, ସାହିତ୍ୟ ହେଉଛି ସମୟର ‘ଚଳନ୍ତି ଇତିହାସ’। ଏହା ସବୁ ଯୁଗରେ ସମାଜର ନିଛକ ଚିତ୍ର ବହନ କରିବା ସହ ମଣିଷର ଜଣେ ବିଶ୍ୱସ୍ତ ସହଯାତ୍ରୀ ଭାବେ କାର୍ଯ୍ୟ କରିଥାଏ।

ଏହି ଅବସରରେ କବି ପିତାମ୍ବର ତରାଇଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସମ୍ମାନଜନକ ‘ସାରଳା ସାରସ୍ୱତ ସମ୍ମାନ’ ପ୍ରଦାନ କରାଯାଇଥିଲା। ସଞ୍ଜୟ ଦାସ ମାନପତ୍ର ପାଠ କରିଥିବା ବେଳେ କବି ଶ୍ରୀ ତରାଇ ନିଜ ପ୍ରତିକ୍ରିୟାରେ ଶିକ୍ଷାନୁଷ୍ଠାନକୁ ଜୀବନ ଓ ଜଗତର ନିକଟତର ହେବାର ଏକ ମାଧ୍ୟମ ବୋଲି ବର୍ଣ୍ଣନା କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ପ୍ରଶାସକ କବି ମନୋରଞ୍ଜନ ମହାପାତ୍ର ଓ ପ୍ରଶାସିକା ଲିପିକା ଦାସ ଯୋଗଦେଇ ମହାବିଦ୍ୟାଳୟକୁ ‘ମଣିଷ ତିଆରି କାରଖାନା’ ବୋଲି ଅଭିହିତ କରିଥିଲେ।

ସଭାପତି ଇଂ ସ୍ୱାଇଁ ମହାବିଦ୍ୟାଳୟର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀମାନେ ମହାପୁରୁଷଙ୍କ ତ୍ୟାଗ ଓ ବଳିଦାନ ଦ୍ୱାରା ଅନୁପ୍ରାଣିତ ହୋଇ ଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଥିଲେ।

ମହାବିଦ୍ୟାଳୟର +୩ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ +୨ ର ଅଧ୍ୟକ୍ଷ ଡଃ ବିବେକାନନ୍ଦ ସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପକ ଅଜୟ କୁମାର ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *