ପାରାଦୀପ: ପାରାଦୀପ ତାରିଣୀଗଡ଼ା ଅଞ୍ଚଳରେ ଏକ ହୃଦୟବିଦାରକ ତଥା ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି। ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।
ସୂଚନା ଅନୁଯାୟୀ, ମୃତ ଯୁବତୀଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଞ୍ଚଳରେ। ଜଣେ ଅଣଓଡ଼ିଆ ଭଡ଼ାଟିଆ ଯୁବକ ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ନିଜ ସହ ପାରାଦୀପକୁ ନେଇ ଆସିଥିଲା। ସେଠାରେ ଏକ ୪ ମହଲା ବିଶିଷ୍ଟ କୋଠା ଉପରେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ତାଙ୍କୁ ଛାତ ଉପରୁ ତଳକୁ ଠେଲି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଯୁବତୀଙ୍କ ମୃତ୍ୟୁ ଘଟିଥିଲା।
ଗତକାଲି ତାରିଣୀଗଡ଼ା ଅଞ୍ଚଳରୁ ଯୁବତୀଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍କୁ ଆଧାର କରି ପୋଲିସ ଖୁବ୍ କମ୍ ସମୟ ମଧ୍ୟରେ ଏହି ରହସ୍ୟ ଉପରୁ ପରଦା ହଟାଇବାରେ ସଫଳ ହୋଇଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ଅଣଓଡ଼ିଆ ଯୁବକକୁ ପୋଲିସ କାବୁ କରିଥିବା ବେଳେ ବର୍ତ୍ତମାନ ତାକୁ ପାରାଦୀପ ଆଦର୍ଶ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି।
