ବିଶ୍ୱ ଶାନ୍ତି ପାଇଁ ବନଗୁରୀଆରେ ହରିନାମ ସଂକୀର୍ତ୍ତନ: ଶ୍ରଦ୍ଧାଳୁଙ୍କ ଗହଳିରେ କମ୍ପିଲା ବାନା ବଟେଶ୍ୱରଙ୍କ ପୀଠ

କଟକ ରାଜ୍ୟ
Spread the love
ନିଶ୍ଚିନ୍ତକୋଇଲି : ବର୍ତ୍ତମାନ ସମୟରେ ବିଶ୍ୱରେ ଦେଖାଦେଇଥିବା ଯୁଦ୍ଧର ବିଭୀଷିକା ଓ ଅଶାନ୍ତି ମଧ୍ୟରୁ ମାନବ ସମାଜକୁ ଶାନ୍ତି ଓ ମୁକ୍ତିର ମାର୍ଗ ଦେଖାଇବା ପାଇଁ ବନଗୁରୀଆ ଗ୍ରାମରେ ଆୟୋଜିତ ହୋଇଯାଇଛି ଭବ୍ୟ ଅଷ୍ଟପ୍ରହରୀ ନାମଯଜ୍ଞ। ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବାନା ବଟେଶ୍ୱରଙ୍କ ପୀଠରେ ଏହି ଆଧ୍ୟାତ୍ମିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଗ୍ରାମ୍ୟ ଜୀବନରେ ଶାନ୍ତି, ମୈତ୍ରୀ, ପ୍ରୀତି ଏବଂ ସଦଭାବନା ବଜାୟ ରଖିବା ପାଇଁ ଏଭଳି ଆୟୋଜନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୋଇଛି। ସୂଚନାଯୋଗ୍ୟ ଯେ, ବନଗୁରୀଆ ଗ୍ରାମରେ ଦୀର୍ଘ ୭୬ ବର୍ଷ ଧରି ରାଧାକୃଷ୍ଣଙ୍କ ପ୍ରେମଲୀଳାକୁ ନେଇ ଏହି ପରମ୍ପରା ପାଳିତ ହୋଇଆସୁଛି। ଚଳିତ ବର୍ଷ ଏହି ଉତ୍ସବରେ ଜିଲ୍ଲା ଏବଂ ଜିଲ୍ଲା ବାହାରୁ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ସଂକୀର୍ତ୍ତନ ମଣ୍ଡଳୀଙ୍କୁ ଆମନ୍ତ୍ରଣ କରାଯାଇଥିଲା। କୋଠପଦା ବଜାରରୁ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ରାଧାକୃଷ୍ଣଙ୍କ ପ୍ରେମଲୀଳାକୁ ନୃତ୍ୟ ଓ ସଙ୍ଗୀତର ତାଳେ ତାଳେ ଗାୟନ କରି ବାନା ବଟେଶ୍ୱରଙ୍କ ପୀଠ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଆସିଥିଲେ। ପୀଠରେ ପହଞ୍ଚିବା ପରେ ସ୍ଥାନୀୟ ସମିତି ସଭ୍ୟା ସୁପ୍ରଭା ସାମଲ ସଂକୀର୍ତ୍ତନ ମଣ୍ଡଳୀର ସଦସ୍ୟମାନଙ୍କୁ ଉତ୍ତରୀୟ, ଉପଢୌକନ, ମିଷ୍ଟାନ୍ନ ହାଣ୍ଡି, ରାଧାକୃଷ୍ଣଙ୍କ ଫଟୋଚିତ୍ର ଏବଂ ପୁଷ୍ପମାଲ୍ୟ ପ୍ରଦାନ କରି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ବିଶିଷ୍ଟ ସଂକୀର୍ତ୍ତନ ଗୁରୁ ଗଙ୍ଗାଧର ସାହୁଙ୍କ ଶିଷ୍ୟ ଗୋବିନ୍ଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉତ୍ସବ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଅନନ୍ତ ସାହୁ, ଶଙ୍କର୍ଷଣ ସାହୁ, ଗୌତମ ସାହୁ, କ୍ଷୀରୋଦ ବିହାରୀ, ନିରୋଦ ସାହୁ, ଅଭିମନ୍ୟୁ ସାହୁ, ଗଣେଶ ବିହାରୀ, ସନାତନ ସାହୁ, ସୁକାନ୍ତ ପୃଷ୍ଟି, ରଞ୍ଜନ ପୃଷ୍ଟି, ଖଗେଶ୍ୱର ସାହୁ, ନିରଞ୍ଜନ ବିହାରୀ, ନଙ୍ଗୁଳୀ ବିହାରୀ, ବିଜୟ ପୃଷ୍ଠି, ମଦନ ବିହାରୀ, ରାଜେଶ ଦାସ, କାର୍ତ୍ତିକ ବେହେରା, ହେମନ୍ତ ଓଝା, ବୀରେନ୍ଦ୍ର ମହାରଣା ଏବଂ ପରମାନନ୍ଦ ମହାନ୍ତି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଏହି ଉତ୍ସବରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ହରିନାମ ସଂକୀର୍ତ୍ତନର ଆଧ୍ୟାତ୍ମିକ ପରିବେଶରେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା।

Leave a Reply

Your email address will not be published. Required fields are marked *