ପାରାଦୀପ : ମଧ୍ୟପ୍ରାଚ୍ୟରେ ଯୁଦ୍ଧ କାରଣରୁ ଜିଲ୍ଲାରେ ରନ୍ଧନ ଗ୍ୟାସ୍ ସଂକଟ ପରିସ୍ଥିତି ଉପୁଜିଥିବା ବେଳେ କଂଗ୍ରେସ ନେତାଙ୍କ ଘରି ୧୦୯ ସିଲିଣ୍ଡର ଜବତ ହେବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।ବ୍ଳକ୍ ଏନ୍ଫୋର୍ସମେଣ୍ଟ ଟିମ୍ ପକ୍ଷରୁ ବାଲିତୁଠ ଅଞ୍ଚଳରେ ଅତର୍କିତ ଚଢ଼ଉ କରି ବିପୁଳ ପରିମାଣର ରନ୍ଧନ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି।ଏହି କାରବାରରେ ସଂପୃକ୍ତି ରହିଥିବା ନେଇ ପୁଲିସ ବଡ଼ବୁଦାର ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ସବୁଠୁ ଗୁରୁତ୍ବପୂର୍ଣ ହେଲା ଏହି ଗ୍ୟାସ୍ ସିଲିଣ୍ଡର ବାଲିତୁଠ ଅଞ୍ଚଳର ଜଣେ ପ୍ରଭାବଶାଳୀ କଂଗ୍ରେସ ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ପିନାକୀ ନାରାୟଣ ଦାସଙ୍କ ମାଲିକାନାରେ ଥିବା ମାର୍କେଟ କମ୍ପ୍ଲେକ୍ସରୁ ମିଳିଥିବାରୁ ଏହା ବିବାଦର ବିଷୟ ପାଲଟିଛି। ଥାନାରେ ଅଟକ ଥିବା ଗ୍ୟାସ୍ ସିଲିଣ୍ଡର ଚୋରା ବ୍ୟବସାୟୀ ସାରଦା ନାମକ ଯୁବକ ଜିଲ୍ଲା ପରିଷଦ ସଭ୍ୟଙ୍କ ନିକଟ ସମ୍ପର୍କୀୟ ହୋଇଥିବାରୁ ତାଙ୍କ ଭୂମିକାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
ବଡ଼ବୁଦା ଅଞ୍ଚଳର ସାରଦା ପ୍ରସନ୍ନ ନାୟକ ବେଆଇନ ଭାବେ ଦୀର୍ଘ ଦିନରୁ ଚୋରା ରନ୍ଧନ ଗ୍ୟାସ ବେପାର କରିବା ସହ ବେଆଇନ ଭାବେ ଗ୍ୟାସ ଫିଲିଂ କରୁଥିଲେ। କୁଜଙ୍ଗ ପୁଲିସ ସୂତ୍ରରୁ ଖବର ପାଇ ଆଜି ଅତର୍କିତ ଚଢ଼ଉ କରିଥିଲେ। ସାରଦା ଚଳାଇଥିବା ଦୋକାନ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ଘରେ କରିଥିବା ଗୋଦାମ ଗୃହ ଉପରେ ଚଢ଼ଉ କରି ୧୦୯ଟି ଗ୍ୟାସ ସିଲିଣ୍ଡର (୧୪.୦୨ କେଜି ଓଜନ ବିଶିଷ୍ଟ) ଜବତ କରିଥିବା ଥାନା ଅଧିକାରୀ ବଂଶୀଧର ପ୍ରଧାନ କହିଛନ୍ତି।ସେଥିମଧ୍ୟରୁ ପ୍ରାୟ ୭ଟି ଗ୍ୟାସ୍ ଭର୍ଜି ସିଲିଣ୍ଡର୍ ଥିବା ବେଳେ ଖାଲି ସିଲିଣ୍ଡର୍ ୧୦୨ ଟି ରହିଛି। ଏହି ଜବତ ଗ୍ୟାସ୍ ସିଲିଣ୍ଡର୍ର କୌଣସି ବୈଧ କାଗଜପତ୍ର ସାରଦା ପ୍ରସନ୍ନ ଦେଖାଇ ପାରି ନ ଥିଲେ। ବେଆଇନ୍ ଭାବେ ଏତେ ପରିମାଣର ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ ସାରଦା ନିକଟରୁ ମିଳିବା କାରଣରୁ ପୁଲିସ ତାକୁ ଉଠାଇ ଆଣି ଥାନାରେ ଅଟକ ରଖିଛି।
ଏହି ଚଢ଼ଉ ସମୟରେ ଜିଲ୍ଲା ଅତିରିକ୍ତ ଯୋଗାଣ ନୀରିକ୍ଷକ ନରସିଂହ ବେହେରା,ଏରସମା ଯୋଗାଣ ନିରୀକ୍ଷକ ଅମୀୟ ପ୍ରଧାନ,କୁଜଙ୍ଗ ଯୋଗାଣ ନିରୀକ୍ଷକ ଦୀପକ କୁମାର ପାତ୍ର,ଥାନା ଅଧୁକାରୀ ବଂଶୀଧର ପ୍ରଧାନ, ପୁଲିସ ଅଫିସର ରଶ୍ମିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ବେଆଇନ ଗ୍ୟାସ୍ ସିଲିଣ୍ଡର୍ ଜବତ ଓ ଚାରା ବେପାରୀକୁ ଅଟକ ରଖିବା ସମ୍ପର୍କରେ ଜଗତସିଂହପୁର ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି।ଏ ସଂପର୍କରେ ଜିଲ୍ଲା ପରିଷଦ ସଭ୍ୟ ପିନାକୀ ନାରାୟଣ ଦାସଙ୍କୁ ପଚାରିବାରେ ସେ କହିଛନ୍ତି ଗ୍ୟାସ୍ ବ୍ୟବସାୟୀ ସାରଦା ସମ୍ପର୍କରେ ତାଙ୍କ ମାମୁ।ତେଣୁ ସେ ବିନା ଏଗ୍ରିମେଣ୍ଟରେ ଘର ଭଡ଼ା ସୂତ୍ରରେ ଦେଇଥିଲେ।ସେ ଚୋରା ଗ୍ୟାସ୍ କାରବାର କରନ୍ତି କି ନାହିଁ ତାହା ସେ ଜାଣି ନ ଥିଲେ ବୋଲି କହିଛନ୍ତି ।
