ତେଲ ସଙ୍କଟକୁ ନେଇ ରାଜ୍ୟ ସରକାରଙ୍କୁ ନିନ୍ଦିଲେ ଟ୍ରକ୍‌ ମାଲିକ ମହାସଂଘ

ରାଜ୍ୟ
Spread the love

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅପରାଗତା ଯୋଗୁଁ ରାଜ୍ୟରେ ତେଲ ସଙ୍କଟ ଓ ଇନ୍ଧନର କଳାବଜାରୀ ବୃଦ୍ଧି ପାଇଛି ବୋଲି ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ ଅଭିଯୋଗ କରିଛି। ରାଜ୍ୟରେ ମାନବକୃତ ତେଲ ସଙ୍କଟ ଟ୍ରକ ମାଲିକମାନଙ୍କ ଉପରେ “ବୋଝ ଉପରେ ନଳିତା ବିଡ଼ା” ସଦୃଶ ହୋଇଛି। ଯଦି ସରକାର ତୁରନ୍ତ ପଦକ୍ଷେପ ନନିଅନ୍ତି, ତେବେ ସାରା ରାଜ୍ୟରେ ପରିବହନ ସେବା ବନ୍ଦ କରିଦିଆଯିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି।
ମହାସଂଘ ଅଭିଯୋଗ କରିଛି, ଗୋଟିଏ ପଟେ ଡିଜେଲ ଦର ବଢୁଥିବା ବେଳେ ଅନ୍ୟପଟେ ବଜାରରେ ଡିଜେଲର ଅଭାବ ପରିବହନ କ୍ଷେତ୍ରକୁ ବିପର୍ଯ୍ୟସ୍ତ କରିଛି। ପେଟ୍ରୋଲ ପମ୍ପ ଗୁଡ଼ିକରେ ତେଲ ମିଳୁନଥିବାରୁ ଶହ ଶହ ଟ୍ରକ ରାସ୍ତା କଡ଼ରେ ଅଟକି ରହିଛି। ଯେଉଁଠି ତେଲ ମିଳୁଛି, ସେଠାରେ ସୀମିତ ପରିମାଣରେ ତେଲ ଦିଆଯାଉଥିବାରୁ ଗାଡ଼ିଗୁଡ଼ିକ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରୁନାହାନ୍ତି। ଏହାଦ୍ୱାରା ମାଲିକମାନେ ବ୍ୟାଙ୍କ କିସ୍ତି (ଇଏମ୍‌ଆଇ) ସୁଝିବାକୁ ମଧ୍ୟ ଅକ୍ଷମ ହେଲେଣି।
ଅପରପକ୍ଷରେ, ସର୍ବନିମ୍ନ ଭଡ଼ା ନିର୍ଦ୍ଧାରଣ ପାଇଁ ମହାସଂଘ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ସରକାର କେବଳ ମନ୍ତ୍ରୀ ଓ ପଦସ୍ଥ ଅଧିକାରୀଙ୍କ ଆଶ୍ୱାସନାରେ ଏହାକୁ ସୀମିତ ରଖିଛନ୍ତି। ବିଗତ ତିନି ବର୍ଷ ମଧ୍ୟରେ କେନ୍ଦ୍ର ସରକାର କମ୍ ଦରରେ ଅଶୋଧିତ ତୈଳ କ୍ରୟ କରି ଅଧିକ ଦରରେ ବିକ୍ରି କରୁଥିବା ବେଳେ ରାଜ୍ୟ ସରକାର ଭାଟ୍ (ଭାଟ୍‌) ହ୍ରାସ କରିବାକୁ କୌଣସି ପଦକ୍ଷେପ ନନେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମହାସଂଘର ସାଧାରଣ ସଂମ୍ପାଦକ ପ୍ରଣବ କୁମାର ପରିଜା କହିଛନ୍ତି।
ସେହିଭଳି ମହାସଂଘର ସଭାପତି ବିଭୂତି ପ୍ରସାଦ ଦାସ ମହାସଂଘର ପ୍ରମୁଖ ଦାବି ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟ ସରାକର ପଦକ୍ଷେପ ନେଇ ତୁରନ୍ତ ଡିଜେଲ ଯୋଗାଣ ସ୍ୱାଭାବିକ କରନ୍ତୁ। ଟ୍ରକ ପରିବହନ ପାଇଁ ପର୍ଯ୍ୟାପ୍ତ ଡିଜେଲ ଯୋଗାଣ ସୁନିଶ୍ଚିତ କରାଯାଉ, ଡିଜେଲ ଉପରୁ ଭାଟ୍‌ ହ୍ରାସ କରି ସାଧାରଣ ଟ୍ରକ ମାଲିକଙ୍କୁ ଆଶ୍ୱସ୍ତି ଦିଆଯାଉ, ସର୍ବନିମ୍ନ ଭଡ଼ା ନିର୍ଦ୍ଧାରଣ କରଯାଉ। ଏହା ନହେଲେ ମହାସଂଘ ପକ୍ଷରୁ ପରିବ‌ହନ ସେବାକୁ ବନ୍ଦ କରିଦିଆଯିବ।

Leave a Reply

Your email address will not be published. Required fields are marked *