ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ: ନୀତୀଶଙ୍କ ପରେ ସମ୍ରାଟ ଚୌଧୁରୀ ହେବେ ନୂଆ ମୁଖ୍ୟମନ୍ତ୍ରୀ, କାଲି ଶପଥ ଗ୍ରହଣ

ଦେଶବିଦେଶ
Spread the love

ପାଟନା: ବିହାର ରାଜନୀତିରେ ଏକ ବଡ଼ ଧରଣର ଅଦଳବଦଳ ଦେଖିବାକୁ ମିଳିଛି। ନୀତୀଶ କୁମାରଙ୍କ ପରେ ଏବେ ରାଜ୍ୟର ଶାସନ ଭାର ସମ୍ଭାଳିବାକୁ ଯାଉଛନ୍ତି ବିଜେପିର ଶକ୍ତିଶାଳୀ ନେତା ସମ୍ରାଟ ଚୌଧୁରୀ। ସମ୍ରାଟ ଚୌଧୁରୀଙ୍କ ନାମରେ ବିଜେପି ବିଧାୟକ ଦଳର ମୋହର ବାଜିବା ପରେ ସେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି। ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ସେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।

ସମ୍ରାଟ ଚୌଧୁରୀଙ୍କ ରାଜନୈତିକ ଜୀବନ ବେଶ୍ ଘଟଣାବହୁଳ। ୧୯୯୦ ମସିହାରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ତାଙ୍କର କ୍ୟାରିୟର ଆରଜେଡି (RJD) ରୁ ଆରମ୍ଭ ହୋଇଥିଲା। ରାଜନୈତିକ ଉତ୍ଥାନ ପତନ ମଧ୍ୟରେ ୧୯୯୫ ମସିହାରେ ସେ ଏକ ମାମଲାରେ ଛନ୍ଦି ହୋଇ ଜେଲ୍‌ ମଧ୍ୟ ଯାଇଥିଲେ। କିନ୍ତୁ ସେ ହାର ମାନିନଥିଲେ। ୧୯୯୯ ମସିହାରେ ସେ ରାବଡ଼ି ଦେବୀଙ୍କ ସରକାରରେ କୃଷି ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ।

୨୦୦୦ ଏବଂ ୨୦୧୦ ମସିହାରେ ସେ ପରବତ୍ତା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୫ରେ ଦଳରୁ ବହିଷ୍କୃତ ହେବା ସତ୍ତ୍ୱେ ସେ ସଂଗଠନ ସହ ଜଡ଼ିତ ରହିଥିଲେ। ପରେ ୨୦୧୪ରେ ସେ ଜେଡିୟୁ (JDU) ରେ ଯୋଗ ଦେଇଥିଲେ। କିନ୍ତୁ ୨୦୧୮ ମସିହାରେ ସେ ପଦ୍ମ ଧରିଥିଲେ ଅର୍ଥାତ୍ ବିଜେପିରେ ସାମିଲ ହୋଇଥିଲେ। ଏହାପରେ ଏନଡିଏ ସରକାରରେ ସେ ପଞ୍ଚାୟତିରାଜ ମନ୍ତ୍ରୀ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ।

ନୀତୀଶଙ୍କ ଇସ୍ତଫା ପରେ ବିଜେପି ବିଧାୟକ ଦଳ ପକ୍ଷରୁ ସମ୍ରାଟ ଚୌଧୁରୀଙ୍କ ନାମ ଘୋଷଣା କରାଯାଇଛି। ୨୦୨୫ ନିର୍ବାଚନ ପାଇଁ ତାଙ୍କୁ ତାରାପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିଜେପି ଟିକେଟ୍ ପ୍ରଦାନ କରିଥିବା ବେଳେ ଏବେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଗୁରୁ ଦାୟିତ୍ୱ ମିଳିବାକୁ ଯାଉଛି। ଆସନ୍ତାକାଲି ଦିନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଉପରେ ଏବେ ସାରା ଦେଶର ନଜର ରହିଛି। ସମ୍ରାଟଙ୍କ ନେତୃତ୍ୱରେ ବିହାରରେ ବିଜେପି ଏକ ନୂଆ ଯୁଗର ଆରମ୍ଭ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *