କାମାକ୍ଷାନଗର: କାମାକ୍ଷାନଗର ଏନଏସି ୩ ନମ୍ବର ଓ୍ବାର୍ଡ ମହିମାନଗର ସାହିରେ ବୁଧବାର ସକାଳେ ଜନଗଣନା କାର୍ଯ୍ୟ କରିବାକୁ ଯାଇଥିବା ୪ କର୍ମଚାରୀଙ୍କୁ ଗୋଟିଏ ପରିବାର ଲୋକ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ମରଣାତ୍ମକ ଆକ୍ରମଣ କରିବାସହ ମହିଳା କର୍ମଚାରୀଙ୍କ ସ୍କୁଟି ଭାଙ୍ଗି ଚୁରମାର କରିଥିଲେ। ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରୀଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରୀ ଅଛନ୍ତି।
ଆହତ ଅଧିକାରୀମାନେ ହେଲେ ରଘୁନାଥ ଦୀକ୍ଷିତ, ମଧୁସ୍ମିତା ବେହେରା,ସ୍ବର୍ଣ୍ଣଲତା ସାହୁ ଓ ସତିଶ ବିରେନ ବେହେରା। ପ୍ରକାଶ କର୍ମଚାରୀ ମାନେ ଜନଗଣନା କାର୍ଯ୍ୟ ପାଇଁ ନିକୁଞ୍ଜ ରମଣ ଶତପଥୀଙ୍କ ଘରେ ପହଞ୍ଚି ଗେଟ ଠକ୍ ଠକ୍ କରିବା ମାତ୍ରେ ନିକୁଞ୍ଜ ଓ ତାଙ୍କ ଦୁଇ ପୁଅ ଭାନୁ ପ୍ରସାଦ ଶତପଥୀ,ଉଦିତ ସ୍ବପ୍ନ ଶତପଥି ହଠାତ ଦୁଇ ପୁରୁଷ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ ଗାଳି କରିବାସହ ସଂଘବଦ୍ଧ ଆକ୍ରମଣ କରିଥିଲେ।ଏଥିରେ ସର୍କଲ ୨ ଜନଗଣନା ସୁପରଭାଇଜର ମଧୁସ୍ମିତା ବେହେରା ବିରୋଧ କରିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନଥିଲେ। ଫଳରେ ତାଙ୍କର ମୁହଁରେ ଆଘାତ ଲାଗିବା ସହ ଅନ୍ୟ କର୍ମଚାରୀଙ୍କୁ ପଥର ଧରି ମାରିବାକୁ ଗୋଡାଇଥିବା କହିଛନ୍ତି।
ସେମାନଙ୍କ ଆକ୍ରମଣରେ ମଧୁସ୍ମିତାଙ୍କ ସ୍କୁଟିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଅଭିଯୋଗ ପରେ ବାପା ଓ ଦୁଇ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଛି କାମାକ୍ଷାନଗର ଥାନା ପୁଲିସ।
