Supremecourt

କେତେକ ବେକାର ଯୁବକ, ଯୁବତୀ ଅସରପା ଭଳି: ପ୍ରଧାନ ବିଚାରପତି

ରାଜ୍ୟ
Spread the love

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ କେତେକ ବେକାର ଯୁବକ ଓ ଯୁବତୀଙ୍କୁ ‘ଅସରପା’ ଭଳି ପତଙ୍ଗ ସହ ତୁଳନା କରିଛନ୍ତି। ଶୁକ୍ରବାର ଏକ ଆବେଦନର ଶୁଣାଣି କାଳରେ ପ୍ରଧାନ ବିଚାରପତି କହିଥିଲେ ଯେ କେତେକ ବେକାର ଯୁବକ ଓ ଯୁବତୀ ଗଣମାଧ୍ୟମ ପ୍ରତିନିଧି, ସୋସିଆଲ ମିଡିଆ ବ୍ୟବହାରକାରୀ, ଆରଟିଆଇ କର୍ମୀ କିମ୍ବା ସାମାଜିକ କର୍ମୀ ସାଜି ସମସ୍ତଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରୁଛନ୍ତି। ସେମାନେ ଦେଶର ଗୋଟିଏ ଗୋଟିଏ ବ୍ୟବସ୍ଥାକୁ ନିନ୍ଦିତ କରୁଛନ୍ତି।
ଯେଉଁ ବେକାର ଯୁବକଙ୍କୁ ଅନ୍ୟ କୌଣସି ବୃତ୍ତିରେ ନିଯୁକ୍ତି ମିଳେ ନାହିଁ ସେମାନେ ଏପରି କାର୍ଯ୍ୟକୁ ଆପଣାଇଥାନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗ୍‌ଚୀଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ଜଣେ ଓକିଲଙ୍କ ପକ୍ଷରୁ ଦାୟର ଆବେଦନର ଶୁଣାଣି ବେଳେ ଏପରି ଟିପ୍ପଣୀ ଦେଇଛନ୍ତି। ଓକିଲ ଜଣଙ୍କ ତାଙ୍କ ଆବେଦନରେ ନିଜକୁ ବରିଷ୍ଠ ଓକିଲ ପଦ ଦେବାକୁ ଦାବି କରିଥିଲେ। ପୀଠ କହିଥିଲେ ଯେ ବରିଷ୍ଠ ଓକିଲ ମାନ୍ୟତା ଜଣେ ଓକିଲକୁ ଅଦାଲତ ସ୍ବତଃ ପ୍ରଦାନ କରିଥାନ୍ତି। ଏଥିପାଇଁ କେହି ଜଣେ ବଳପୂର୍ବକ ଦାବି କରିବା ଉଚିତ୍ ନୁହେଁ।
ଆବେଦନକାରୀ ଓକିଲଙ୍କୁ ଲକ୍ଷ୍ୟ କରି ପୀଠ କହିଥିଲେ ଯେ ଆପଣ ବରିଷ୍ଠ ଓକିଲ ମାନ୍ୟତା ପାଇଁ ଦାବି କରିଛନ୍ତି ଏହା କ’ଣ ଆପଣଙ୍କୁ ଠିକ୍ ଲାଗୁଛି। ଶୁଣାଣି ସମୟରେ ସୁପ୍ରିମକୋର୍ଟ ଅଧିକାଂଶ ଓକିଲଙ୍କ ଆଇନ ଡିଗ୍ରୀର ବୈଧତାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟଙ୍କ ଏପରି ଟିପ୍ପଣୀ ପରେ ଆବେଦନକାରୀ ଓକିଲ କ୍ଷମା ପ୍ରାର୍ଥନା କରି ନିଜର ଆବେଦନ ପ୍ରତ୍ୟାହାର କରିନେଇଥିଲେ।

Leave a Reply

Your email address will not be published. Required fields are marked *