କଟକ, ୪/୬: କଟକ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ ମାହାଙ୍ଗା ଥାନା ଅନ୍ତର୍ଗତ ଅଲିନଗର ଗ୍ରାମରେ ଏକ ବଡ଼ଧରଣର ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ଅଲିନଗର ଗ୍ରାମର ଅଭିଯୁକ୍ତ ସୁକୁଦେବ ସାମଲ ଓ ବିଦୁଲତା ସାମଲଙ୍କ ଘରୁ ବିପୁଳ ପରିମାଣର ବେଆଇନ ନକଲି ମଦ ଏବଂ ଏହାକୁ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ସରଞ୍ଜାମ ଜବତ କରାଯାଇଛି।
ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୧୪ ଲିଟର ସ୍ପିରିଟ, ୧୮୦ଟି ବୋତଲରେ ସମୁଦାୟ ୩୨.୪୦୦ ଲିଟର ନକଲି ଦେଶୀ ମଦ, ମ୍ୟାକଡୋୱେଲ୍ ସମେତ ବିଭିନ୍ନ ନାମୀ କମ୍ପାନୀର ୧୦୦୦ଟି ନକଲି ଲେବୁଲ, ୧୧୪୦ଟି ଇଏଏଲ (EAL), ରୟାଲ ହୁଇସ୍କି ସହ ଅନ୍ୟାନ୍ୟ ନାମୀ କମ୍ପାନୀର ୨୮୦ଟି ଖାଲି କାଚ ବୋତଲ ଏବଂ ୪୧୦ଟି ବୋତଲ ଠିପି ରହିଛି। ଜବତ ହୋଇଥିବା ଏହି ସମସ୍ତ ସାମଗ୍ରୀର ଆନୁମାନିକ ବଜାର ମୂଲ୍ୟ ୧,୭୯,୩_୬୦ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଆକଳନ କରାଯାଇଛି।
ଏହି ବେଆଇନ କାରବାର ସଂକ୍ରାନ୍ତରେ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ଉକ୍ତ ଘରୁ ସଂପୃକ୍ତ ଦମ୍ପତିଙ୍କୁ ଗିରଫ କରାଯାଇଛି। ଏହି ସଫଳ ଚଢ଼ାଉରେ ଅବକାରୀ ବିଭାଗର ଆଇ.ଆଇ.ସି. ଭକ୍ତ ବତ୍ସଳ ବର୍ମା, ଜିଲ୍ଲା ମୋବାଇଲ ୟୁନିଟର ଅକ୍ଷୟ କୁମାର ଜେନା, ଏସ.ଆଇ. ଜୟପ୍ରକାଶ ବେହୁରିଆ, ଏ.ଏସ.ଆଇ. ଅଜୟ କୁମାର ଜେନାଙ୍କ ସମେତ ଅବକାରୀ କର୍ମଚାରୀ ଦେବବ୍ରତ, ଶଙ୍କର ସିଂ ଏବଂ ମୋନାଲିଶା ସାହୁ ପ୍ରମୁଖ ଉପସ୍ଥିତ ରହି ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି।
