ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ନିଜର ପ୍ରାର୍ଥୀଙ୍କ ନାମ ଗୁରୁବାର ଘୋଷଣା କରିଛି। ଦେବାଶିଷ ସାମନ୍ତରାୟଙ୍କ ନାମରେ ବିଜେପି ମୋହର ମାରିଛି। ଫଳରେ ଦେବଶିଷ ବିଜେପିର ପ୍ରାର୍ଥୀ ହୋଇଛନ୍ତି।
ବିଜେପିରୁ ଟିକଟ ମିଳିବା ପରେ ଦେବାଶିଷ ସାମନ୍ତରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବିଜେପି ମୋ ଉପରେ ଭରସା ରଖିଛି। ରାଜ୍ୟର ବିକାଶ ପାଇଁ ଯାହା ଦରକାର ତାହା କରିବି।
ସୂଚନାଯୋଗ୍ୟ, ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ୨୭ଟି ରାଜ୍ୟସଭା ଆସନ ଓ ୩ଟି ରାଜ୍ୟରେ ବିଧାନ ପରିଷଦ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ସୋମବାର ଘୋଷଣା ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ ଜୁନ୍ ୧୮ରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ କମିସନ ଅନୁଯାୟୀ, ସମସ୍ତ ନିର୍ବାଚନ ପାଇଁ ମତଦାନ ଜୁନ୍ ୧୮ ତାରିଖ ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭୋଟ ଗଣତି ସେହି ଦିନ ସନ୍ଧ୍ୟା ୫ଟାରୁ କରାଯିବ।
ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ ଜୁନ୍ ୧ ତାରିଖ ସକାଳ ୧୧ ଟାରୁ ଆରମ୍ଭ ହୋଇଯାଇଛି। ନାମାଙ୍କନ ଦାଖଲର ଶେଷ ତାରିଖ ଜୁନ୍ ୮ ତାରିଖ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ରହିଛି। ନାମାଙ୍କନ ଯାଞ୍ଚ ଜୁନ୍ ୯ ତାରିଖ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଜୁନ୍ ୧୧ ତାରିଖ ରହିଛି। ଭୋଟ୍ ଗ୍ରହଣ ଜୁନ୍ ୧୮ ତାରିଖ ସକାଳ ୮ ଟାରୁ ଅପରାହ୍ଣ ୪ ଟା ପର୍ଯ୍ୟନ୍ତ ଓ ଭୋଟ୍ ଗଣତି ସେହି ଦିନ ସନ୍ଧ୍ୟା ୫ ଟାରୁ ଆରମ୍ଭ ହେବ। ଇସିଆଇ ଆହୁରି କହିଛନ୍ତି ଯେ, ରାଜ୍ୟସଭାର ୧୦ଟି ରାଜ୍ୟର ୨୪ଟି ଆସନରେ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହେବ। ମହାରାଷ୍ଟ୍ର, ତାମିଲନାଡୁ ଓ ଓଡ଼ିଶାରେ ୩ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ବିହାରର ନଅଟି ଆସନ ପାଇଁ ରାଜ୍ୟ ବିଧାନସଭା ପରିଷଦ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ଅନୁଷ୍ଠିତ ହେବ ଓ ଗୋଟିଏ ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ। କର୍ଣ୍ଣାଟକରେ ବିଧାନସଭା ପରିଷଦର ସାତଟି ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।
