ଚାମେଲିଙ୍କୁ ମେଡିକାଲରେ ଭେଟିଲେ ପିସିସି ସଭାପତି

ରାଜ୍ୟ
Spread the love

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହକାଳପଡ଼ା ବ୍ଲକ ଅଧୀନ ତିଖିରି ସରପଞ୍ଚ ଚାମେଲି ଓଝାଙ୍କୁ ଦୁବ୍ୟବହାର ଓ ମାଡ ଘଟଣାକୁ ନେଇ ରାଜନୀତି ଜୋର ଧରିଛି।  ଆଜି ଜିଲ୍ଲା କଂଗ୍ରେସ ମହାକାଳପଡା ଥାନା ଆଗରେ ଧାରଣାରେ ବସିଥିବା ବେଳେ ଅପରାହ୍ନରେ ପିସିସି ସଭାପତି ଭକ୍ତ ଚରଣ ଦାସ କେନ୍ଦ୍ରାପଡାରେ ପହଞ୍ଚି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଅସୁସ୍ତ ଚାମେଲି ଓଝାଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଆଲୋଚନା କରିବା ସହ ଉତ୍ତମ ଚିକିତ୍ସା ପାଇଁ କଟକ ବଡ ମେଡିକାଲ୍ କିମ୍ବା ଏମଏସକୁ ସ୍ଥାନତରିତ କରିବା ପାଇଁ ପରାମର୍ଶ ଦେଇଛନ୍ତି।
ଜିଲ୍ଲାପାଳଙ୍କ ବାସଭବନ କାର୍ଯ୍ୟଳୟରେ ଜିଲ୍ଲାପାଳ ରଘୁରାମ ଆର ଆୟର ଓ ଏସପି ସିଦ୍ଧାର୍ଥ କଟାରିଆଙ୍କ ସହ ଆଲୋଚନା କରି ବିଡିଓ ଓ ମହାକାଳପଡା ପୁଲିସ୍ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି। ତିଖିରୀର ମହିଳା ସରପଞ୍ଚ କେଉଁ ଅପରାଧ କଲା ଯେ ତାଙ୍କୁ ଜାମିନ ବିହୀନ ଦଫାରେ ଜେଲ୍ ପଠାଗଲା? ତରବରିଆ ଭାବେ କାହିଁକି କୋର୍ଟକୁ ନିଆଯାଇଥିଲା ବୋଲି ପିସିସି ସଭାପତି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି।  ବଡବଡିଆଙ୍କ କୁକର୍ମର ପ୍ରମାଣ ଯଦି ମହିଳା ସରପଞ୍ଚଙ୍କ ପାଖରେ ଥିବ ତାକୁ ମାରି ଦେବାର ଷଡଯନ୍ତ୍ର କରିପାରନ୍ତି ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ସରକାର ତାକୁ ନ୍ୟାୟ ଦେବାକୁ ପଡିବ ଓ ତୁରନ୍ତ ତାକୁ ଜାମିନ ଦେବାର ବ୍ୟବସ୍ଥା କରନ୍ତୁ ବୋଲି  ସେ ଦାବି କରିଛନ୍ତି। ମହିଳା ସରପଞ୍ଚ ତାର ଅଧିକାର ପରିସର ଭିତରେ ସ୍ବର ଉଠାଇଛନ୍ତି। ଫକରମୋହନ ସେନାପତି ମହାବିଦ୍ୟାଳୟରେ ତାଙ୍କ ଦଳର ଛାତ୍ରୀଙ୍କୁ ପୋଡି ମାରିବା ଭଳି ତାଙ୍କ ଦଳର ସରପଞ୍ଚଙ୍କୁ ଅତ୍ୟାଚାର କରାଯାଉଛି ବୋଲି କହିଛନ୍ତି। ଏହା ପଛରେ କେଉଁ କ୍ଷମତାଶାଳୀ ଲୋକଙ୍କ ହାତ ଅଛି ବୋଲି ପୀଡ଼ିତା ସରପଞ୍ଚ କରିଥିବା ଅଭିଯୋଗ ଉପରେ କାହିଁକି କାର୍ଯ୍ୟନୁଷ୍ଠାନ ନିଆଯାଇନି ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି।
ପିସିସି ସଭାପତି ଶ୍ରୀ ଦାସଙ୍କ ସହିତ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ନଗେନ୍ଦ୍ର ପ୍ରଧାନ, ଯୁବ ନେତା ସିଦ୍ଧାର୍ଥ ସ୍ୱରୂପ ଦାସ, ଶିବାନନ୍ଦ ରାୟ, ପୂର୍ବତନ ବିଧାୟକ ସିପ୍ରା ମଲ୍ଲିକ, ଚିନ୍ମୟ ପ୍ରସାଦ ବେହୁରା, ଜିଲ୍ଲା ସଭାପତି ଦେବସ୍ମିତା ଶର୍ମା, କଂଗ୍ରେସ ସେବା ଦଳର ମୁଖ୍ୟ ଶୁଭେନ୍ଦୁ ମହାନ୍ତି, କିଶାନ ମୋର୍ଚ୍ଚା ମୁଖ୍ୟ ଅଭୟ ସାହୁ, ପିସିସି ଉପସଭାନେତ୍ରୀ ସସ୍ମିତା ବେହେରା, ଯୁବ କଂଗ୍ରେସ ଜିଲ୍ଲା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ପ୍ରଶାନ୍ତ କୁମାର ରାଉତ, ଆକବର ଅଲ୍ଲୀ, ହଲଧର ସେଠୀ, ସତ୍ୟପ୍ରିୟ ସାମଲ, ରତିକାନ୍ତ କାନୁନଗୋ , ପ୍ରଫୁଲ ଦାସ ପ୍ରମୁଖ କଂଗ୍ରେସନେତାମାନେ ପୀଡ଼ିତା ସରପଞ୍ଚ ଚାମେଲିଙ୍କୁ ସାକ୍ଷାତ କରିଥିଲେ।

Leave a Reply

Your email address will not be published. Required fields are marked *