କଟକ: ଜଣେ ମଣିଷ କିନ୍ତୁ ପରିଚୟ ଅନେକ। କେତେବେଳେ ସେ ଜଣେ ନୀତିନିଷ୍ଠ ଲେଖକ ତ ପୁଣି କେତେବେଳେ ଜଣେ ଦରଦୀ ସମାଜସେବୀ। କେତେବେଳେ ସେ ମୋଟିଭେସନାଲ ସ୍ପିକର ଭାବେ ଯୁବପିଢ଼ିଙ୍କୁ ପ୍ରେରଣା ଦିଅନ୍ତି ତ ପୁଣି କେତେବେଳେ ଆଇଟି ବିଭାଗର ଗବେଷକ ଭାବେ ନୂତନ ଜ୍ଞାନକୌଶଳର ସନ୍ଧାନ କରନ୍ତି। ସେ ହେଉଛନ୍ତି ଯାଜପୁର ଜିଲ୍ଲା ବରୀ ବ୍ଲକ ରାଉତସାହି ଗ୍ରାମର ସୁଯୋଗ୍ୟ ସନ୍ତାନ ଇଂ. ଗୋପାଳ କୃଷ୍ଣ ଦାସ।
ଇଂ. ଦାସ କେବଳ ଜଣେ ବୃତ୍ତିଧାରୀ ଯନ୍ତ୍ରୀ ନୁହନ୍ତି, ବରଂ ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ। ସମାଜ ସଂସ୍କାର ଓ ସେବା କାର୍ଯ୍ୟକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଗୋପାଳ କୃଷ୍ଣ ଏଯାବତ୍ ୬୬ ଥର ରକ୍ତଦାନ କରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇଛନ୍ତି। ବିଶେଷ କରି ଶିଶୁ କର୍କଟ ରୋଗୀଙ୍କ ସେବା ପାଇଁ ସେ ନିଜକୁ ସମ୍ପୂର୍ଣ୍ଣ ସମର୍ପିତ କରିଛନ୍ତି। ଅସହାୟଙ୍କୁ ସହାୟତାର ହାତ ବଢ଼ାଇବା, ଶୀତଦିନେ କମ୍ବଳ ବଣ୍ଟନ, ସ୍ୱାସ୍ଥ୍ୟ ଶିବିର ଆୟୋଜନ ଏବଂ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଭଳି କାର୍ଯ୍ୟକ୍ରମରେ ସେ ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିଥାନ୍ତି।
ସାହିତ୍ୟ ଓ ସଂସ୍କୃତି ପ୍ରତି ତାଙ୍କର ଦୁର୍ବଳତା ଅତ୍ୟନ୍ତ ଗଭୀର। ଆଜିର ଡିଜିଟାଲ ଯୁଗରେ ଓଡ଼ିଆ ଭାଷା ଓ ସାହିତ୍ୟକୁ ଲୋକାଭିମୁଖୀ କରିବା ପାଇଁ ସେ ନିଜସ୍ୱ ଜ୍ଞାନକୌଶଳରେ ଏକ ୱେବସାଇଟ (https://authorgopaldas.in) ଏବଂ “ସ୍ୱାଭିମାନ” ନାମକ ଏକ ଆଣ୍ଡ୍ରଏଡ୍ ଆପ୍ ପ୍ରସ୍ତୁତ କରିଛନ୍ତି। ଏହି ପ୍ଲାଟଫର୍ମ ମାଧ୍ୟମରେ ତାଙ୍କ ଦ୍ୱାରା ଲିଖିତ ସମସ୍ତ ଗଳ୍ପ, ଉପନ୍ୟାସ ଓ କବିତା ପାଠକମାନଙ୍କ ପାଇଁ ବିନା ମୂଲ୍ୟରେ ଉପଲବ୍ଧ ହେଉଛି। ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ତାଙ୍କର ଏହି ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଇଛି।
ନିଜର ନୀତିନିଷ୍ଠ ଜୀବନଶୈଳୀ, ସୁବକ୍ତା ଭାବେ ଚମତ୍କାର ବାଗ୍ମିତା ଏବଂ ଧର୍ମପ୍ରାଣ ବ୍ୟକ୍ତିତ୍ୱ ପାଇଁ ସେ ଆଜି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। ଜଣେ ଆଦର୍ଶ ମଣିଷ ଭାବେ ସମାଜ ଗଠନରେ ତାଙ୍କର ଏହି ନିରନ୍ତର ସାଧନା ଓଡ଼ିଶାର ସାମାଜିକ ଓ ସାହିତ୍ୟିକ କ୍ଷେତ୍ରକୁ ଋଦ୍ଧିମନ୍ତ କରୁଛି।
