ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଜ୍ୟ
Spread the love

ରାଇରଂଗପୁର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ନେଇ ଜନ୍ମମାଟିରେ ଉତ୍ସାହ ଦେଖାଯାଇଛି। ‘ରାଷ୍ଟ୍ରପତି ତ ଆମ ଗାଁ ଝିଅ। ସାନବେଳୁ ତାଙ୍କୁ ଦେଖି ଆସୁଛୁ। ହେଲେ ପ୍ରଧାନମନ୍ତ୍ରୀଙ୍କୁ କେବେ ପାଖରେ ପାଇନଥିବାରୁ ତାଙ୍କୁ ଦେଖିବାକୁ ପାହାଡ଼ପୁରବାସୀ ବେଶ୍‌ ଉତ୍ସାହିତ’ ବୋଲି କହିଛନ୍ତି ଏହି ଗାଁର ସୋନା ମୁର୍ମୁ। ପ୍ରଥମଥର ପାଇଁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଅପରାହ୍‌ଣରେ ମୟୂରଭଞ୍ଜ ମାଟିରେ ପାଦ ଦେଇ ସାରିଥିବା ବେଳେ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚିବେ। ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ନିମନ୍ତ୍ରଣ ରକ୍ଷାକରି ପ୍ରଧାନମନ୍ତ୍ରୀ ୨୦ ତାରିଖରେ ରାଷ୍ଟ୍ରପତିଙ୍କ ଗାଆଁ ପାହାଡ଼ପୁରକୁ ଆସୁଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ଲଗି ପୂରା ପାହାଡ଼ପୁର ସଜେଇ ହୋଇଛି। ୨୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ସାଙ୍ଗରେ ଧରି ରାଷ୍ଟ୍ରପତି ପ୍ରଥମେ ଗାଁର ଆଦିବାସୀଙ୍କ ସାମାଜିକ ତଥା ଧାର୍ମିକକେନ୍ଦ୍ର ଗୋଷାଣୀ ପୀଠକୁ ଯାଇ ପୂଜାର୍ଚ୍ଚନା କରିବେ।
ସେଠାରୁ ଦୁହେଁ ସାନ୍ତାଳୀ ଜାହିରା ପୀଠ ଦର୍ଶନ କରିବା ପରେ ହୋ-ମୁଣ୍ଡା ଜାହିରା ପୀଠକୁ ଯିବେ। ସେଠାରୁ ଦିନ ୧୧.୨୫ରେ ନିକଟସ୍ଥ ଦକ୍ଷତା ବିକାଶକେନ୍ଦ୍ରକୁ ଯାଇ ପ୍ରଶିକ୍ଷଣ ପରେ ଚାକିରି ପାଇଥିବା ଯୁବକଯୁବତୀଙ୍କ ସହିତ ବାର୍ତ୍ତାଳାପ କରିବେ। ରାଷ୍ଟ୍ରପତିଙ୍କ ସ୍ୱର୍ଗତ ସ୍ୱାମୀ ଓ ଦୁଇପୁତ୍ରଙ୍କ ସ୍ମୃତିରେ ପାହାଡ଼ପୁରରେ ପ୍ରତିଷ୍ଠିତ ଏସ୍‌ଏଲ୍‌ଏସ୍‌ ମେମୋରିଆଲ୍‌ ସ୍କୁଲକୁ ଯାଇ ସେମାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ସହିତ ଭାବ ବିନିମୟ କରିବେ। ସ୍କୁଲ ପଡ଼ିଆରେ ଆୟୋଜିତ ଆଞ୍ଚଳିକ ହସ୍ତଶିଳ୍ପ ମେଳା ବୁଲି ଦେଖିବା ପରେ ଦାଣ୍ଡବୋଷରେ ଏକ ବିଶାଳ ସାଧାରଣ ସଭାକୁ ଉଭୟ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଗୋଟିଏ ମଞ୍ଚରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଓଡ଼ିଶା ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ୫୦ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ୪୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ଦୁଇ ରାଷ୍ଟ୍ରମୁଖ୍ୟଙ୍କ ବହୁ ପ୍ରତୀକ୍ଷିତ ଏହି ଗସ୍ତ ଲାଗି ରାଜ୍ୟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କାର୍ଯ୍ୟ ସରିଥିବାବେଳେ ପାହାଡ଼ପୁର ଗ୍ରାମବାସୀ ଅତିଥିଙ୍କୁ ଭବ୍ୟ ସ୍ୱାଗତ କରିବା ଲାଗି ଅପେକ୍ଷା କରିଛନ୍ତି। ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ୫୦ ହଜାର କୋଟି ଟଙ୍କାରେ ନିର୍ମିତ ୪୦ରୁ ଊର୍ଦ୍ଧ୍ବ ପ୍ରକଳ୍ପ ଉଦ୍‌ଘାଟନ, ଲୋକାର୍ପଣ ଏବଂ ଶିଳାନ୍ୟାସ ହେବ।
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ୧୩୫ ପ୍ଲାଟୁନ୍‌ ପୁଲିସ ଫୋର୍ସ, ୫ କମ୍ପାନି କେନ୍ଦ୍ରୀୟ ଫୋର୍ସ, ଦୁଇଜଣ କମାଣ୍ଡାଣ୍ଟ, ୧୦ ଜଣ ବରିଷ୍ଠ ଆଇପିଏସ୍‌ ଅଫିସରଙ୍କୁ ନିୟୋଜିତ କରାଯାଇଛି। ଜିଲ୍ଲାପାଳ ହେମକାନ୍ତ ସୟ ଓ ଏସ୍‌ପି ବରୁଣ ଗୁଣ୍ଡୁପାଲୀ ରାଇରଙ୍ଗପୁରରେ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରୁଛନ୍ତି।


ଓଡ଼ିଶା ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଜନ୍ମମାଟିରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଏବଂ ଉଦ୍‌ଘାଟନ କରିଛନ୍ତି। ଶ୍ରୀମତୀ ମୁର୍ମୁ ରାଇରଂଗପୁର ପୁଲିସ ଜିଲ୍ଲା, ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟର ଏକ କାର୍ଯ୍ୟାଳୟ, ପାନୀୟ ଜଳ ପ୍ରକଳ୍ପ ଏବଂ ସ୍ବତନ୍ତ୍ର ସର୍କିଟ ହାଉସ୍‌ ଉଦ୍‌ଘାଟନ କରିଛନ୍ତି। ଏଥି ସହିତ ସେ ଏମ୍ସ ସାଟେଲାଇଟ୍‌ ସେଣ୍ଟର ମଧ୍ୟ ଲୋକାର୍ପଣ କରିଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଇରଂଗପୁର ଉପଖଣ୍ଡ ଡାକ୍ତରଖାନା ପରିସରରେ ବହୁ ପ୍ରତୀକ୍ଷିତ ଏମ୍‌ସ ସାଟେଲାଇଟ୍‌ ସେଣ୍ଟର ଉଦ୍‌ଘାଟନ କରିଛନ୍ତି। ଏଥି ସହିତ ସେ ଏକ ମେଗା ସ୍ବାସ୍ଥ୍ୟ ଶିବିରକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ମହାମହିମ ଡାକ୍ତର ଏବଂ ରୋଗୀମାନଙ୍କ ସହିତ କଥା ହୋଇଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତର ପ୍ରଥମ ଦିନରେ ରାଇରଂଗପୁର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଛନ୍ତି। ସେ ଏଠାରେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏଥି ସହିତ ଡାକ୍ତରଖାନାର ଅନ୍ୟ ଭିତ୍ତିଭୂମି ସଂପର୍କରେ ଅବଗତ ହୋଇଛନ୍ତି। ଏହି ଅବସରରେ ତାଙ୍କର ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉପସ୍ଥିତ ଅଛନ୍ତି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ ରାଇରଂଗପୁର ପହଞ୍ଚିଛନ୍ତି। ସେ ଏଠାରେ ପରେ ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୟୂରଭଂଜ ସାଂସଦ ନବଚରଣ ମାଝୀ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ରାଇରଂପଗୁର ବିଧାୟକ ଜଲେନ ନାଏକ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ବାଗତ ଏବଂ ସମ୍ବର୍ଦ୍ଧନା ଜଣାଇଛନ୍ତି। ଏହି ଅବସରରେ ଏମ୍‌ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ଏବଂ ତାଙ୍କର ଟିମ୍‌ ମଧ୍ୟ ମହାମହିମଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ରାଇରଂଗପୁର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାରେ ପହଞ୍ଚିଚିଛନ୍ତି। ଦୁଇଦିନିଆ ଓଡ଼ିଶାଗସ୍ତରେ ଆସିଥିବା ମହାମହିମ ଜନ୍ମମାଟିରେ ପାଦ ରଖିଛନ୍ତି। ସେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ପଶ୍ଚିମବଙ୍ଗର କଲେଇକୁଣ୍ଡା ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ରାଇରଂଗପୁରକୁ ହେଲିକ୍ୟାପଟର ଯୋଗେ ଆସିବାର ଥିଲା। କିନ୍ତୁ ପାଗ ଖରାପ ଥିବାରୁ ସେ ସଡ଼କପଥରେ ବାହାରିଥିଲେ। ରାଷ୍ଟ୍ରପତି ଏବେ ମୟୂରଭଂଜ ଜିଲ୍ଲାର ରାଇରଂଗପୁର ଅଭିମୁଖେ ବାହାରିଛନ୍ତି। ସେ ରାଇରଂପୁର ହସ୍‌ପିଟାଲରେ ଅଳ୍ପ ସମୟ ମଧ୍ୟରେ ପହଞ୍ଚିବେ।

Leave a Reply

Your email address will not be published. Required fields are marked *