ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଏବଂ ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦୁର୍ଘଟଣାର ସ୍ଥିତି, ଦୁର୍ଘଟଣାର କାରଣ ଏବଂ ଏହାକୁ କମ୍ କରିବା ଦିଗରେ କ’ଣ ସବୁ ପଦକ୍ଷେପ ନିଆଯାଇପାରିବ ସେଥିନେଇ ଆଲୋଚନା ହୋଇଥିଲା
ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଦୁର୍ଘଟଣାପ୍ରବଣ ଅଞ୍ଚଳ ଚିହ୍ନଟ ସହ ଏହାର ସଠିକ୍ ପରିଚାଳନା, ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଉନ୍ନତ ତଥା ଦୁର୍ଘଟଣାମୁକ୍ତ ରାସ୍ତା ନିର୍ମାଣ, ଜାତୀୟ ରୋଡ୍ କଂଗ୍ରେସ୍ ମାର୍ଗଦର୍ଶିକା ଅନୁସାରେ ପାଦଚଲା ରାସ୍ତା ନିର୍ମାଣ ଏବଂ ବିଭିନ୍ନ ବିଭାଗ ସମନ୍ୱୟରେ ଜିଲ୍ଲାଗୁଡ଼ିକରେ ସଡ଼କ ଦୁର୍ଘଟଣା ହ୍ରାସ ଲାଗି ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱାରୋପ କରିଥିଲେ।
ରାସ୍ତାକଡ଼ରେ ଭାରିଯାନ ରହିବା ସ୍ଥାନ ଏବଂ ରାସ୍ତାପାର୍ଶ୍ବ ଯାତ୍ରୀ ସୁବିଧା କେନ୍ଦ୍ର ନିର୍ମାଣ ସହ ଦୁର୍ଘଟଣାପ୍ରବଣ ଅଞ୍ଚଳରେ ଆମ୍ବୁଲାନ୍ସ ରହଣି ନେଇ ବ୍ୟବସ୍ଥା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଏନ୍ବିଏସ୍ ରାଜପୁତ, ପରିବହନ କମିସନର ଅମିତାଭ୍ ଠାକୁରଙ୍କ ସମେତ ପୂର୍ତ୍ତ ବିଭାଗ, ଜାତୀୟ ରାଜପଥ ପ୍ରାଧିକରଣ, ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
