ବୁଲାଷଣ୍ଢ ଦୁର୍ଘଟଣାରେ ପୋଲିସ ହୋମଗାର୍ଡ ଗୁରୁତର ଆହତ

ରାଜ୍ୟ
Spread the love

ଝଙ୍କଡ଼: କଟକ-ପାରାଦ୍ୱୀପ ରାସ୍ତାର ସାରଳାରୋଡ଼ (ଦୋସଡିକା) ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ବୁଲା ଷଣ୍ଢ ସହ ଧକ୍କା ହୋଇ କନକପୁର ପୋଲିସ ଫାଣ୍ଡିର ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଥିବା ବେଳେ ଘଟଣାସ୍ଥଳରେ ଷଣ୍ଢଟିର ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ, ଗତ ମଙ୍ଗଳବାର ରାତି ପ୍ରାୟ ୭ଟା ୩୦ ମିନିଟ ସମୟରେ କନକପୁର ଫାଣ୍ଡିର ହୋମଗାର୍ଡ ଜାହିର ଖାନ ଏକ ବୁଲେଟ୍ ଯୋଗେ ତିର୍ତ୍ତୋଲ ଥାନାକୁ ଯାଉଥିଲେ। ଝଙ୍କଡ଼ ସତସଙ୍ଗ କେନ୍ଦ୍ର ସମ୍ମୁଖରେ ହଠାତ୍ ଏକ କଳା ରଙ୍ଗର ଷଣ୍ଢ ସହ ତାଙ୍କ ଗାଡ଼ିର ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ଷଣ୍ଢଟିର ମୃତ୍ୟୁ ହୋଇଥିଲା।

ଅନ୍ୟପଟେ, ଦୁର୍ଘଟଣାରେ ହୋମଗାର୍ଡ ଜାହିର ଖାନଙ୍କ ମୁଣ୍ଡ ଓ ଗାଲରେ ଗଭୀର ଆଘାତ ଲାଗିଥିଲା। ପ୍ରବଳ ରକ୍ତସ୍ରାବ ହେବା ଯୋଗୁଁ ସେ ରାସ୍ତା ଉପରେ ସଂଜ୍ଞାହୀନ ହୋଇ ପଡ଼ିଥିଲେ। ଖବର ପାଇ ଫାଣ୍ଡିର ପୋଲିସ ଗାଡ଼ି ତୁରନ୍ତ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା ଏବଂ ପ୍ରାଥମିକ ଚିକିତ୍ସା ପାଇଁ ନିକଟସ୍ଥ ମଣିଜଙ୍ଗା ମେଡିକାଲରେ ଭର୍ତ୍ତି କରିଥିଲା।

ଉଲ୍ଲେଖଯୋଗ୍ୟ ଯେ, ଏହି ରାସ୍ତା ଉପରେ ଦିନକୁ ଦିନ ବୁଲା ଷଣ୍ଢଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି। ରାସ୍ତା ମଝିରେ ପଶୁମାନେ ରହୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରାସ୍ତା ଉପରୁ ଏହି ବୁଲା ପଶୁମାନଙ୍କୁ ହଟାଇ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ବାସିନ୍ଦା ଓ ଯାତ୍ରୀଙ୍କ ପକ୍ଷରୁ ଜୋରଦାର ଦାବି ହୋଇଛି।

Leave a Reply

Your email address will not be published. Required fields are marked *