ଝଙ୍କଡ଼ : ଦେଶରେ ମୋବାଇଲଫୋନ ର ପ୍ରଚଳନ ହେବାଦିନଠାରୁ, ପ୍ରତିଦିନ ମା ସାରଳା ଠାକୁରାଣୀ ଙ୍କ ସକାଳବେଳାରେ ଏକ ଅଭିନଵ ବେଶଫଟୋ ଉତ୍ତୋଳନ କରି, ମାଆଙ୍କର ଅଗଣିତ ଅକଳିତ ଶ୍ରଦ୍ଧାଳୁଭକ୍ତ ମାନଙ୍କ ନିକଟକୁ ପ୍ରେରଣ କରିବା ସହିତ, ପର୍ବପର୍ବାଣୀ ଓ ଯାନିଯାତ୍ରା ସମୟରେ ସ୍ୱତନ୍ତ୍ରବେଶଫଟୋ ମଧ୍ୟ ପଠାଇଆସୁଥିଲେ l ପ୍ରତିଦିନ ମାଆଙ୍କ ଦିବ୍ୟଦର୍ଶନ ଲାଭକରି ଭକ୍ତମାନେ ମଧ୍ୟ କୃତ୍ୟକୃତ୍ୟ ହୋଇ ପରମଆନନ୍ଦ ଲାଭକରିଥିଲେ l ଏହି ବ୍ୟବସ୍ଥା ଫଳରେ ଦେଶବିଦେଶ ରେ ମଧ୍ୟ ମାଆଙ୍କ ଅନୁଗତ ଭକ୍ତମାନେ ମଧ୍ୟ ନିଜନିଜକୁ ଭାଗ୍ୟବାନ ବୋଲି ମନେକରୁଥିଲେ l ଏହାଦ୍ୱାରା ମା ସାରଳା ଠାକୁରାଣୀ ଙ୍କର ସୁଦୂରପ୍ରସାରି ପ୍ରଚାରପ୍ରସାର ହୋଇଆସୁଥିଲା l
ମାତ୍ର କିଛିଦିନ ପୂର୍ବରୁ ସାରଳା ମନ୍ଦିର ପ୍ରଶାସନ ତରଫରୁ ମନ୍ଦିରବେଢାରେ ମୋବାଇଲ ଓ ଫଟୋଉଠାଇବା ନିଷିଦ୍ଧ ବୋଲି ଘୋଷଣା କରି ଚତୁଃପାର୍ଶ୍ଵରେ ବିଜ୍ଞl ପନ ଲଗାଇଦେବା ପରେ, ସମସ୍ୟା ବଢ଼ିଚାଲିଲା l ମନ୍ଦିରବେଢାରେ ନିଲାମପ୍ରାପ୍ତ ଭୋଗଦୋକାନ ଓ ଦୀପଦୋକାନ ରୁ ପୂଜାସାମଗ୍ରୀ କିଣିଲା ବେଳେ ଅନଲାଇନ ର ବ୍ୟବସ୍ଥା ନଥିବାରୁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁପଡିଲା l ପୁନଃଶ୍ଚ ଏହି ନିୟମ କୁ କୋହଳକରି ପ୍ରଶାସନ ପକ୍ଷରୁ କେବଳ ବେଢାମଧ୍ୟରେ ଫଟୋ ଉଠାଇପାରିବେ ବୋଲି ଆଉ ଏକ ନୂଆନିୟମ ପ୍ରଣୟନ କଲେ l ତା ସହିତ କୌଣସି ସେବାୟତ ମଧ୍ୟ ଗର୍ଭଗୃହ ମଧ୍ୟରେ ମାଆଙ୍କ ବେଶଫଟୋ ଉଠାଇପାରିବେନାହିଁ ଆଉ ଯେଉଁ ମାନେ ଫଟୋ ଉଠାଇବେ ସେମାନଙ୍କ ଠାରୁ ପାଞ୍ଚହଜାରଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ଆଉ ଏକ ନିୟମ ପ୍ରଣୟନ କଲେ l ଯାହା ଫଳରେ କୋଟିକୋଟି ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭାବାବେଗ ଉପରେ କୁଠାରଘାତ କରାଗଲା l
ସୂଚନାଯୋଗ୍ୟ କଟକଚଣ୍ଡୀ, ଗଡ଼ ଚଣ୍ଡୀ, କାକଟପୁର ମଙ୍ଗଳା, ବାବା ଧବଳେଶ୍ୱର, ବାବା ଆଖଣ୍ଡଳମଣି ଆଦି ଓଡିଶାର ବହୁ ଦେବଦେବୀ ଙ୍କ ପ୍ରତିଦିନ ର ବେଶଫଟୋ ମୋବାଇଲରେ ଆସୁଥିଲା ବେଳେ, ସାରଳା ମନ୍ଦିର ପ୍ରଶାସନ ର ଏହି ଅଜବ ନୀତି ଯୋଗୁଁ ଓ ପ୍ରସିଦ୍ଧ ବାଣୀକ୍ଷେତ୍ର ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମହିମା ପ୍ରଚାର ପ୍ରସାର କ୍ଷେତ୍ରରେ ବାଧାସୃଷ୍ଟି ହୋଇଛି l ଯେତେଶୀଘ୍ର ସାରଳାମନ୍ଦିର ପ୍ରଶାସନ ଲୋକମତ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭାବାବେଗ କୁ ଦୃଷ୍ଟିରେ ରଖି, ନିର୍ଦିଷ୍ଟସେବାୟତ ଙ୍କ ଦ୍ୱାରା ହେଉ ଅଥବା ପ୍ରଶାସନିକ ଅଧିକାରୀ ଙ୍କ ଦ୍ୱାରା ମାଆଙ୍କ ବେଶଫଟୋ ଉଠାଇ ତାହାକୁ ସାର୍ବଜନୀନ କରାଯିବାର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି l ତାନହେଲେ ଭବିଷ୍ୟତରେ ଏହା ଉଗ୍ରରୂପ ଧାରଣ କରି ଜନଆନ୍ଦୋଳନ ର ରୂପନେବାର ଆଶଙ୍କା କୁ କଦାପି ଏଡେଇ ଦିଆଯାଇନପାରେ l
