କାର୍ଯ୍ୟକ୍ଷେତ୍ରରେ ନିର୍ଯାତନା: ବିଷ ପିଇଦେଲେ ମହିଳା, ସାପ୍ତାହିକ ଛୁଟିରୁ ଚାରି ମାସ ହେଲା ବଞ୍ଚିତ ଥିବା ଅଭିଯୋଗ

ଦେଶବିଦେଶ
Spread the love

ବେଙ୍ଗାଲୁରୁ: କର୍ଣ୍ଣାଟକର ମହୀଶୂରରେ ଜଣେ ମହିଳା କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ସୁଇସାଇଡ ନୋଟରୁ କାର୍ଯ୍ୟକ୍ଷେତ୍ରରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି। ନାଗେଶ୍ୱରୀ ନାମକ ଏହି ମହିଳା ହିନାକାଲର ରିଲାଏନ୍ସ ମାର୍ଟରେ ଟାଟା ପ୍ରଡକ୍ଟ ପ୍ରମୋଟର ଭାବରେ କାମ କରୁଥିଲେ। ସେ ଏକ ମାର୍କେଟିଂ କମ୍ପାନୀ ପିପିଏମଏସ ଏଜେନ୍ସି ମାଧ୍ୟମରେ ଚାକିରି ପାଇଥିଲେ। ତାଙ୍କ ପରିବାର ଅନୁଯାୟୀ, ନାଗେଶ୍ୱରୀ ଗତ ୧୫ ଦିନ ଧରି ପ୍ରବଳ ମାନସିକ ଯନ୍ତ୍ରଣାରେ ଥିଲେ ଓ କାର୍ଯ୍ୟ କ୍ଷେତ୍ରରେ ସେ ନିର୍ଯାତନାର ସମ୍ମୁଖୀନ ହେଉଥିବା କହିଥିଲେ।
ନାଗେଶ୍ୱରୀ ତାଙ୍କ ସୁଇସାଇଡ ନୋଟରେ ଲେଖିଥିଲେ ଯେ, ତାଙ୍କ ଉପରିସ୍ଥ ଅଧିକାରୀମାନେ ତାଙ୍କ ଦୋଷ ନଥିଲେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ତାଙ୍କୁ ଟାର୍ଗେଟ କରି ହଇରାଣ କରୁଥିଲେ। ତାଙ୍କୁ ଚାରି ମାସ ଧରି ସାପ୍ତାହିକ ଛୁଟି ଦିଆଯାଇ ନଥିଲା। ଏପରିକି ତାଙ୍କୁ ଜରୁରୀକାଳୀନ ଛୁଟି ପ୍ରଦାନ କରାଯାଉ ନଥିଲା।
ସେ ଆହୁରି ଲେଖିଥିଲେ ଯେ, ତାଙ୍କ ପ୍ରତି ହୋଇଥିବା ବ୍ୟବହାର ଉପରେ ପ୍ରଶ୍ନ ଉଠାଇବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ନାଗେଶ୍ୱରୀ ଡଲି ନାମକ ଜଣେ ସୁପରଭାଇଜରଙ୍କ ନାମ ନେଇ ଅଭିଯୋଗ କରିଛନ୍ତି ଯେ, କାର୍ଯ୍ୟକ୍ଷେତ୍ରରେ ନିର୍ଯାତନା ତାଙ୍କୁ ଏହି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଛି। ନାଗେଶ୍ବରୀଙ୍କ ମାଆ ରଥନାମ୍ମା ତାଙ୍କ ଝିଅକୁ ନ୍ୟାୟ ଦେବା ଓ ଦାୟୀ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୁଲିସ ଆତ୍ମହତ୍ୟା ଓ କର୍ମକ୍ଷେତ୍ରରେ ନିର୍ଯାତନା ଅଭିଯୋଗର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *