ନେପାଳ-ଚୀନ୍ ସୀମାରେ ଧ୍ୱଂସଲୀଳା, ୪୦ କିମି ରାସ୍ତା ଓ ୧୯ଟି ସେତୁ ଭାସିଗଲା, ୫୫ ମୃତ

ଦେଶବିଦେଶ
Spread the love

କାଠମାଣ୍ଡୁ: ନେପାଳ ଏବଂ ଚୀନ୍ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରଳୟଙ୍କରୀ ଆକସ୍ମିକ ବନ୍ୟା ଯୋଗୁଁ ବ୍ୟାପକ ପ୍ରାଣହାନି ଏବଂ ଭୟାବହ କ୍ଷୟକ୍ଷତି ଘଟିଛି। ଚୀନ୍ତିର ତିବ୍ଦତ ଏବଂ ନେପାଳକୁ ଯୋଡ଼ୁଥିବା ପ୍ରମୁଖ ଗିରୋଙ୍ଗ୍ ଲ୍ୟାଣ୍ଡ୍ ପୋର୍ଟରେ ଥିବା ଚୀନ୍ କଷ୍ଟମ୍ସ କାର୍ଯ୍ୟାଳୟର ବହୁମହଲା ଭବନଟି ବନ୍ୟାର ପ୍ରଚଣ୍ଡ ଜଳସ୍ରୋତ ଧକ୍କାରେ କିଛି ମୁହୂର୍ତ୍ତ ମଧ୍ୟରେ ଧ୍ବସ୍ତ ହୋଇଯାଇଛି। ଚୀନ୍ ଗଣମାଧ୍ୟମ ପକ୍ଷରୁ ଏହି ଦୃଶ୍ୟର ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେଠାରେ ଥିବା ଲୋକମାନେ ଆତ୍ମରକ୍ଷା ପାଇଁ ଦୌଡ଼ୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଭାରତରୁ ମାନସରୋବର ଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁମାନେ ଚୀନ୍‌ରେ ପ୍ରବେଶ କରିବା ପାଇଁ ଏହି ପ୍ରମୁଖ ମାର୍ଗର ହିଁ ବ୍ୟବହାର କରିଥାନ୍ତି।
ରିପୋର୍ଟ ଅନୁଯାୟୀ, ଭୋଟେ କୋଶୀ ନଦୀର ଜଳସ୍ତର ହଠାତ୍ ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଏହି ପ୍ରଳୟ ସୃଷ୍ଟି ହୋଇଛି। ପ୍ରଚଣ୍ଡ ଜଳପ୍ଲାବନ ଯୋଗୁଁ ସୀମାନ୍ତ ଅଞ୍ଚଳର ପ୍ରାୟ ୪୦ କିଲୋମିଟର ଦୀର୍ଘ ସଡ଼କ ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯାଇଛି ଏବଂ ମାର୍ଗରେ ଥିବା ୧୯ଟି ବଡ଼ ସେତୁ ବନ୍ୟା ଜଳରେ ଭାସିଯାଇଛି। ଚୀନ୍ ସୀମାନ୍ତରେ ଏହି ପ୍ରଳୟ ରଚିବା ପରେ ବନ୍ୟା ଜଳ ନେପାଳ ସୀମାର ରସୁୱା, ତିମୁରେ ସମେତ ୫ଟି ଜିଲ୍ଲାକୁ ମାଡ଼ିଚାଲିଛି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଏହି ବିପର୍ଯ୍ୟୟକୁ ଅତ୍ୟନ୍ତ ସମ୍ବେଦନଶୀଳ ଦର୍ଶାଇ ପ୍ରଭାବିତ ଅଞ୍ଚଳରେ ସେନା ମାଧ୍ୟମରେ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଜରୁରୀ ଆଦେଶ ଦେଇଛନ୍ତି। ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ, ଉଚ୍ଚ ହିମାଳୟ ପାର୍ଶ୍ୱରେ ଥିବା ଏକ ବିଶାଳ ଗ୍ଲେସିୟର ଓ ମାଟିର ଅଂଶ ନଦୀରେ ଖସିପଡ଼ିବା ଯୋଗୁଁ ଏହି ଆକସ୍ମିକ ବନ୍ୟା ଆସିଛି।
ଭୟଙ୍କର ଆକସ୍ମିକ ବନ୍ୟାରେ ନେପାଳରେ ଅତି କମ୍‌ରେ ୯୫ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଶତାଧିକ ଲୋକ ନିଖୋଜ ଅଛନ୍ତି। ଏଭଳି ଏକ ଜଟିଳ ସ୍ଥିତିରେ ଭାରତ ନେପାଳକୁ ରିଲିଫ୍ ସାମଗ୍ରୀ ପଠାଇବା ପାଇଁ ପ୍ରସ୍ତୁତ ହେଉଛି। ଭାରତୀୟ ବାୟୁସେନା ନେପାଳରେ ଯେକୌଣସି ଉଦ୍ଧାର ଓ ରିଲିଫ୍ ଅଭିଯାନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି। ବାୟୁସେନାର ସି-୧୭ ଓ ସି-୧୩୦ ବିମାନ ରିଲିଫ୍‌ ସାମଗ୍ରୀ, ଔଷଧ ଓ ମାଟି ଖୋଳିବା ଯନ୍ତ୍ରପାତି ସହ ନେପାଳ ଯିବା ପାଇଁ ପ୍ରସ୍ତୁତ ରଖାଯାଇଛି। ମିଳିଥିବା ସୂଚନାନୁଯାୟୀ, ସି-୧୩୦ ବିମାନ ଆଜି ନେପାଳ ଯିବ ଏବଂ ସି-୧୭ ବିମାନ ଗୁରୁବାର ଅପରାହ୍ଣରେ ରିଲିଫ୍ ଅଭିଯାନର ଅଂଶ ହେବ। ଏନ୍‌ଡିଆର୍‌ଏଫ୍‌କୁ ମଧ୍ୟ ନେପାଳରେ ଆବଶ୍ୟକ ହେଲେ ରିଲିଫ୍ ଓ ଉଦ୍ଧାର ଅଭିଯାନ ପାଇଁ ପ୍ରସ୍ତୁତ ରଖାଯାଇଛି। ନିଖୋଜ ଭାରତୀୟମାନଙ୍କ ସହାୟତା ଓ ସୂଚନା ପାଇଁ ନେପାଳସ୍ଥିତ ଭାରତୀୟ ଦୂତାବାସ ଜରୁରିକାଳୀନ ଫୋନ୍ ନମ୍ବର ଜାରି କରିଛି।
ସଦ୍‌ଗୁରୁଙ୍କ ଇଶା ଫାଉଣ୍ଡେସନ୍‌ରୁ ପ୍ରାୟ ୭୭ ଜଣ ଶ୍ରଦ୍ଧାଳୁ ଆଜି ନେପାଳରେ ପ୍ରଳୟଙ୍କରୀ ବନ୍ୟାରେ ଭାସି ଯାଇଛନ୍ତି। ଆଧ୍ୟାତ୍ମିକ ନେତା ସଦ୍‌ଗୁରୁ ଏକ ଅନଲାଇନ୍‌ ପୋଷ୍ଟ୍‌ କରି ଏନେଇ ସୂଚନା ପ୍ରଦାନ କରିଛନ୍ତି। ସଦ୍‌ଗୁରୁ କହିଛନ୍ତି, ଇଶା ଫାଉଣ୍ଡେସନ୍‌ର ଏକ କୈଳାସ ତୀର୍ଥଯାତ୍ରା ଗ୍ରୁପ୍‌ର ୭୭ ଜଣ ଶ୍ରଦ୍ଧାଳୁ କୈଳାସ ତୀର୍ଥଯାତ୍ରାରୁ ଫେରୁଥିଲେ ଏବଂ ସେମାନେ ତିବ୍ଦତର ଗିରୋଙ୍ଗସ୍ଥିତ ଇମିଗ୍ରେସନ୍‌ ସେଣ୍ଟର୍‌ରେ ଅଟକିଥିବାବେଳେ ହଠାତ୍ ପ୍ରଳୟଙ୍କରୀ ବନ୍ୟା ସହରରେ ଆତଙ୍କ ରଚି ଏକ ବିଶାଳ ଅଂଶକୁ ଭସାଇ ନେଇଥିଲା। ସେମାନଙ୍କ ସଂକ୍ରାନ୍ତରେ କୌଣସି ସୂଚନା ଏପର୍ଯ୍ୟନ୍ତ ମିଳିନଥିବା ସଦ୍‌ଗୁରୁ କହିଛନ୍ତି। ତେବେ ଉଦ୍ଧାରକାରୀ ଦଳ ଉଦ୍ଧାର ଅପରେସନ୍‌ ଚଳାଇଥିବା ସେ କହିଛନ୍ତି। ତାଙ୍କ ଟିମ୍‌ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଯୋଡ଼ି ହୋଇଥିବା ସଦ୍‌ଗୁରୁ କହିଛନ୍ତି।
ପଡୋଶୀ ରାଷ୍ଟ୍ର ନେପାଳର ଉତ୍ତର ଭାଗରେ ଅବସ୍ଥିତ ରସୁୱା ଜିଲ୍ଲାରେ ଆଜି ଅଚାନକ ଆସିଥିବା ବନ୍ୟା ପ୍ରଳୟଙ୍କରୀ କ୍ଷତି ଘଟାଇଛି। ତିବ୍ଦତ ପାର୍ଶ୍ୱରୁ ଭୋଟେକୋଶୀ ନଦୀରେ ଆସିଥିବା ଏହି ଭୟାବହ ବନ୍ୟା‌ରେ ଅତିକମ୍‌ରେ ୫୫ ଜଣ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ଏହାସହ ୧୩୩ ଜଣ ଭାରତୀୟଙ୍କ ସମେତ ୪୦୦ରୁ ଅଧିକ ବିଦେଶୀ ପର୍ଯ୍ୟଟକ ନିଖୋଜ ଅଛନ୍ତି। ବନ୍ୟା ଯୋଗୁଁ ନେପାଳର ଅନେକ ସୀମାନ୍ତ ଗ୍ରାମ ସମ୍ପୂର୍ଣ୍ଣ ଭାସି ଯାଇଛି। ବର୍ତ୍ତମାନ ସୁଦ୍ଧା କେବଳ ନୁଆକୋଟ ଓ ଧାଦିଙ୍ଗ ଜିଲ୍ଲାରୁ ୩୦ରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି। ନେପାଳ ପର୍ଯ୍ୟଟନ ବୋର୍ଡ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ବନ୍ୟା ପ୍ରଭାବିତ ଅଞ୍ଚଳରୁ ୪୦୦ରୁ ଅଧିକ ପର୍ଯ୍ୟଟକ ନିଖୋଜ ଅଛନ୍ତି। ଏହି ନିଖୋଜ ଲୋକଙ୍କ ମଧ୍ୟରେ ୩୦୫ ଜଣ ବିଦେଶୀ ନାଗରିକ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଭାରତରୁ ସର୍ବାଧିକ୧୩୩ ଜଣ ଥିବାରୁ ଉଦ୍ଧାର କାର୍ଯ୍ୟ ଉପରେ ଭାରତର ଅହରହ ନଜର ରହିଛି। ବନ୍ୟା ପରିସ୍ଥିତିକୁ ନେଇ ଭାରତ ପକ୍ଷରୁ ସହଯୋଗର ହାତ ବଢ଼ାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ସହ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ହୋଇଥିବା ବ୍ୟାପକ ଜୀବନହାନି ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗଭୀର ଶୋକ ବ୍ୟକ୍ତ କରିବା ସହ ସଙ୍କଟ ସମୟରେ ଭାରତ ସମସ୍ତ ପ୍ରକାର ମାନବୀୟ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ସୁରକ୍ଷା ବାହିନୀ ମଧ୍ୟ ଏହି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛନ୍ତି। ରସୁୱା ଜିଲ୍ଲାରେ କାର୍ଯ୍ୟରତ ଥିବା ପ୍ରାୟ ୨୬ ଜଣ ନେପାଳ ପୁଲିସ କର୍ମଚାରୀ ଏବଂ ୭ ଜଣ ଯବାନ ମଧ୍ୟ ନିଖୋଜ ଅଛନ୍ତି। ନେପାଳ ସେନା ପକ୍ଷରୁ ପ୍ରଭାବିତ ପାର୍ବତ୍ୟ ଅଞ୍ଚଳରେ ହେଲିକପ୍ଟର ଏବଂ ବିପର୍ଯ୍ୟୟ ପରିଚାଳନା ଦଳକୁ ମୁତୟନ କରାଯାଇଛି। ସେନା ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ବନ୍ୟଜନିତ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି।
ଏହି ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ନେପାଳର ୬ଟି ପ୍ରମୁଖ ଜଳବିଦ୍ୟୁତ ପ୍ରକଳ୍ପ ଏବଂ ବିଦ୍ୟୁତ ଗ୍ରୀଡ଼ ପ୍ରତିଷ୍ଠାନ ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ନେପାଳ ବିଦ୍ୟୁତ ପ୍ରାଧିକରଣ (ଏନଇଏ) ଅନୁସାରେ, ରସୁୱାଗାଡ଼ି, ଚିଲିମେ, ତ୍ରିଶୂଳୀ ୩ଏ, ତ୍ରିଶୂଳୀ ୩ବି ହବ୍ ୨୨୦ କେଭି ସବଷ୍ଟେସନ, ତ୍ରିଶୂଳୀ ଏବଂ ଦେବୀଘାଟ ଜଳବିଦ୍ୟୁତ କେନ୍ଦ୍ର ବନ୍ୟା ପାଣିରେ ବୁଡ଼ି ଯାଇଛି। ବିଦ୍ୟୁତ ଉତ୍ପାଦନ, ସଞ୍ଚାରଣ ଏବଂ ବିତରଣ ଭିତ୍ତିଭୂମି ଧ୍ୱଂସ ହେବା କାରଣରୁ ଦେଶର ଏକ ବଡ଼ ଅଞ୍ଚଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି। ବନ୍ୟା ମାଡ଼ିଆସିବା ଯୋଗୁଁ ନେପାଳର କେତେକ ପ୍ରମୁଖ ଜାତୀୟ ରାଜପଥକୁ ମଧ୍ୟ ସାଧାରଣ ଯାତାୟାତ ପାଇଁ ବନ୍ଦ କରିଦିଆଯାଇଛି। ଜାତୀୟ ରାଜପଥ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ପରିବହନ ଠପ୍‌ ହୋଇଯାଇଛି।
ତିବ୍ଦତ ସୀମାନ୍ତରେ ଥିବା ପାର୍ବତ୍ୟ ଉପତ୍ୟକାରେ କାଦୁଅ ମିଶ୍ରିତ ବନ୍ୟା ଜଳ ଅତି ତୀବ୍ର ଗତିରେ ପ୍ରବାହିତ ହେଉଛି। ବନ୍ୟାର ବ୍ୟାପକତା ଏତେ ଅଧିକ ଯେ ବହୁ ସଂଖ୍ୟକ ନଦୀତଟ ବସତି ଏଥିରେ ଲୀନ ହୋଇଯାଇଥିବା ଆଶଙ୍କା କରାଯାଉଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଶାହ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା ପ୍ରାଧିକରଣର ଏକ ଜରୁରୀକାଳୀନ ସମୀକ୍ଷା ବୈଠକ ଡକାଇଛନ୍ତି। ମେଡିକାଲ ଟିମ୍, ସ୍କାଉଟ୍ସ ଏବଂ ରେଡକ୍ରସ ସହ ସମନ୍ୱୟ ରକ୍ଷା କରି ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *