କଟକ, ୧୬।୧୧: କଟକ ସଦର ବ୍ଲକ୍ ଅନ୍ତର୍ଗତ ଝାରକଟା ଉପ୍ରା ବିଦ୍ୟାଳୟ ପରିସରରେ ପବିତ୍ର ଶିଶୁ ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ କୁମାର ଦାଶଙ୍କ ପୌରୋହିତ୍ୟରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବୀନ୍ଦ୍ର ଦାସ ଓ ସମ୍ମାନିତ ଅତିଥି ଭାବେ ପ୍ରସିଦ୍ଧ ବ୍ୟଙ୍ଗକାର ଲକ୍ଷ୍ମୀଛଡ଼ା ଯୋଗ ଦେଇଥିଲେ। ଅତିଥିଦ୍ୱୟ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ, ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସମୟାନୁବର୍ତ୍ତୀ, କର୍ମନିଷ୍ଠ ଓ ଦାୟିତ୍ୱସମ୍ପନ୍ନ ନାଗରିକ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଜଣାଇଥିଲେ।
ଏହି ଅବସରରେ ସଭାପତିତ୍ୱ କରୁଥିବା ପ୍ରଧାନ ଶିକ୍ଷକ ଜିତେନ କୁମାର ଦାଶ ଛାତ୍ରଛାତ୍ରୀମାନଙ୍କୁ ଦେଶଭକ୍ତ ଓ ଅଧ୍ୟୟନ ତତ୍ପର ହେବା ସହ ପଣ୍ଡିତ ନେହେରୁଙ୍କ ପରି ସମସ୍ତଙ୍କୁ ନିଜର କରିବା ନିମନ୍ତେ ଚେଷ୍ଟା କରିବା ପାଇଁ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ତଥା କ୍ଷେତ୍ରରେ ଚମ୍ପିୟାନ ହୋଇଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପ୍ରମାଣପତ୍ର ଓ କପ୍ ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ଶିକ୍ଷକ ବିକାଶ କୁମାର ମହାରଣା ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ଦେଇଥିବା ବେଳେ ଶିକ୍ଷୟିତ୍ରୀ ଗୌରୀ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।
