ଝଙ୍କଡ଼, ୧୬/୧୧ (ଇମିସ): ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଇନସାଫ’ ଓ ଭୁବନେଶ୍ୱରସ୍ଥିତ ‘ଜନ ବିଜ୍ଞାନ ସଂଗଠନ’ର ମିଳିତ ଆନୁକୂଲ୍ୟରେ ମଣିଜଙ୍ଗା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଶିଶୁ ଦିବସ ଅବସରରେ ଶିଶୁମାନଙ୍କ ପାଇଁ ଜଳବାୟୁ ପଦକ୍ଷେପ ସମ୍ପର୍କିତ ଏକ ବୈଷୟିକ ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି।
ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମେଳନର ପ୍ରଥମ ଅଧିବେଶନରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ତିର୍ତ୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଅନନ୍ତ ଚରଣ ଆଚାର୍ଯ୍ୟ ଯୋଗଦେଇ ଏହି ସମ୍ମେଳନକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜକ ତଥା ପରିବେଶବିତ୍ ଉତ୍କଳ ରଞ୍ଜନ ମହାନ୍ତି ସମ୍ମେଳନର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସନ୍ତୋଷ ସ୍ୱାଇଁ ଓ ସମ୍ମାନିତ ବକ୍ତା ଭାବେ ପରିବେଶ କର୍ମୀ ତଥା ସୁଲେଖକ କୈଳାସ ଚନ୍ଦ୍ର ପ୍ରଧାନ ଯୋଗଦେଇ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ଶେଷରେ ପ୍ରକୃତି ବନ୍ଧୁ କନକଲତା ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
ଦ୍ୱିତୀୟ ପର୍ଯ୍ୟାୟ ବୈଷୟିକ ସମ୍ପାନରେ କୃତୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅତୁଲ୍ୟ ବିକ୍ରମ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ତଥା ପ୍ରମୁଖ ଆଲୋଚକ ଭାବେ ଓଡ଼ିଶାର ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ. ବିଜୟ କେତନ ପଟ୍ଟନାୟକ, ବରେଣ୍ୟ ଆଲୋଚକ ଭାବେ ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ଅଧୀନ ଉଠା ଜଳସେଚନର ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ଡ. ଅଜୟ ମହାକୁଡ଼ ଏବଂ ଜଳ ଓ ପରିମଳ ବିଭାଗର ଅବସରପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକ ଅଜିତ୍ ସାମଲ ଯୋଗଦେଇଥିଲେ। ବର୍ତ୍ତମାନ ସମୟରେ ଜଳବାୟୁର ଅହେତୁକ ପରିବର୍ତ୍ତନ ଯୋଗୁଁ ଉପୁଜିଥିବା ବହୁବିଧ ସମସ୍ୟା ସମଗ୍ର ବିଶ୍ୱବାସୀଙ୍କ ସମେତ ସମସ୍ତ ଜୀବଜଗତର ସ୍ଥିତି, ପ୍ରଗତି ଓ ଜୀବନଶୈଳୀକୁ କିପରି ପ୍ରଭାବିତ କରୁଛି, ସେ ନେଇ ଅତିଥିମାନେ ଉଦ୍ବେଗ ପ୍ରକାଶ କରିଥିଲେ। ଆଜିର ଶିଶୁ ଆଗାମୀ ଦିନର ଭବିଷ୍ୟତ ହୋଇଥିବାରୁ ସେମାନଙ୍କ ପାଇଁ ଏକ ସବୁଜ ଓ ନିରନ୍ତର ବିକାଶ ନିମନ୍ତେ କେତେକ ସରଳ ପଦକ୍ଷେପ—ଯଥା ଶକ୍ତି ଓ ଜଳ ସଞ୍ଚୟ କରିବା, ନିଜ ଅଞ୍ଚଳର ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ବ୍ୟାପକ ଚାରା ରୋପଣ କରିବା ଆଦି ବିଷୟରେ ସେମାନେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଆଲୋଚନା ଚକ୍ରରେ ପ୍ରତିବାଦକ ଭାବେ ପ୍ରଧାନ ଶିକ୍ଷକ ରୋହିତ ମହାପାତ୍ର ଓ ସାମ୍ବାଦିକ ଚନ୍ଦ୍ରକାନ୍ତ ବାରିକ ଯୋଗଦେଇ ନିଜର ମତ ରଖିଥିଲେ। ଏହି ଅଧିବେଶନ ଶେଷରେ ଡ. ଶରତ ଚନ୍ଦ୍ର ପରିଡ଼ା ଧନ୍ୟବାଦ ଦେଇଥିଲେ।
ଶେଷ ପର୍ଯ୍ୟାୟରେ ଶିକ୍ଷାବିତ୍ ପ୍ରକାଶ ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଉଦ୍ଯାପନୀ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଝିମାଣିସ୍ଥିତ ନାରାୟଣ ବୀରବର ସାମନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା ‘ସବୁଜିମା’ର ମୁଖ୍ୟ ସମ୍ପାଦିକା ଡ. ବନପ୍ରଭା ପରିଡ଼ା, ମୁଖ୍ୟ ବକ୍ତା ଭାବେ ଶ୍ରୀ ମା’ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ରାଜଶ୍ରୀ ସ୍ୱାଇଁ ଓ ସମ୍ମାନିତ ଅତିଥି ଭାବେ ଆଲୁମିନି କମିଟି ସଭାପତି ଫକୀର ଚରଣ ସ୍ୱାଇଁ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ଲିଖିତ କୁଇଜ୍ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହା ସହିତ ଅତିଥି, ବିଚାରକ, ପ୍ରତିବାଦକ, ସ୍ୱେଚ୍ଛାସେବୀ ମନୋଜ ନାୟକ, କନକଲତା ପରିଡ଼ା ଏବଂ ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ଶିକ୍ଷୟିତ୍ରୀ ରୋଜାଲିନ ସେଠୀ ଧନ୍ୟବାଦ ଦେଇଥିଲେ।
