ଓଡ଼ିଶା ପ୍ରଶାସନିକ ସେବା (OAS)ର ପ୍ରଶିକ୍ଷଣରତ ଅଧିକାରୀମାନଙ୍କୁ ମିଳିଲା ନୂତନ ଦାୟିତ୍ୱ; ବିଭିନ୍ନ ଜିଲ୍ଲାରେ ଡେପୁଟି କଲେକ୍ଟର ଓ ଜିଲ୍ଲା ଉପ-ନିବନ୍ଧକ ଭାବେ ନିଯୁକ୍ତି

ରାଜ୍ୟ
Spread the love

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (OAS)ର ୧୯ ଜଣ ପ୍ରଶିକ୍ଷଣରତ ଅଧିକାରୀଙ୍କୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡେପୁଟି କଲେକ୍ଟର ଓ ଜିଲ୍ଲା ଉପ-ନିବନ୍ଧକ (District Sub-Registrar) ଭାବେ ନୂତନ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଜି ନଭେମ୍ବର ୧୬ ତାରିଖରେ ପ୍ରକାଶିତ ବିଜ୍ଞପ୍ତି (ସଂଖ୍ୟା: ୪୬୫୧୮/ଆର୍ ଆଣ୍ଡ ଡିଏମ୍) ଅନୁଯାୟୀ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ପୂର୍ବରୁ ୨୦୨୫ ମସିହା ଡିସେମ୍ବର ୨୯ ତାରିଖର ବିଜ୍ଞପ୍ତି ଅନୁସାରେ ବିଭିନ୍ନ ଜିଲ୍ଲାରେ ଟ୍ରେନିଂ ରିଜର୍ଭ ଅଫିସର (TRO) ଭାବେ କାର୍ଯ୍ୟ କରୁଥିବା ଏହି ଅଧିକାରୀମାନଙ୍କୁ ଏବେ ପ୍ରତ୍ୟକ୍ଷ ପ୍ରଶାସନିକ ଦାୟିତ୍ୱ ଦିଆଯାଇଛି।

ବିଭାଗୀୟ ବିଜ୍ଞପ୍ତି ଅନୁସାରେ, ଓପିଏସ୍‌ସି (OPSC) ର‍୍ୟାଙ୍କ-୧ ପ୍ରିୟାଂଶୁ ପାଲ ଏବଂ ର‍୍ୟାଙ୍କ-୨ ଅନନ୍ୟା ମିଶ୍ରଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ମିଳିଥିବା ବେଳେ ଶୋଭନ ପଟ୍ଟନାୟକଙ୍କୁ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ମିର୍ଜା ଫୈଜ ଅହମ୍ମଦ କାଦ୍ରୀଙ୍କୁ କେନ୍ଦୁଝରର ଚମ୍ପୁଆ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଚିନ୍ମୟ ସାହୁଙ୍କୁ କନ୍ଧମାଳର ଫୁଲବାଣୀ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ଅନ୍ତିମ ସ୍ୱାଇଁଙ୍କୁ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ଦାୟିତ୍ୱ ଦିଆଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଶୈଳେଶ କୁମାର ଭୋଇ ଓ ଚିନ୍ମୟ କୁମାର ପାଢ଼ୀଙ୍କୁ ନୂଆପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ମହମ୍ମଦ ନାଜିଫ ହାତିଫଙ୍କୁ ବଲାଙ୍ଗୀର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ମିଲନ ମହାପାତ୍ରଙ୍କୁ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ନିଯୁକ୍ତି ମିଳିଛି। ସ୍ୱରୂପିଣୀ ପଟ୍ଟନାୟକ ଓ ସୋନାଲି ତ୍ରିପାଠୀଙ୍କୁ କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୃଷ୍ଣ ଗୋପାଳ ସ୍ୱାଇଁଙ୍କୁ ମାଲକାନଗିରି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସ୍ନେହା ଦାସ ମହାପାତ୍ରଙ୍କୁ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଦୀପ୍ସିତା ବେହେରାଙ୍କୁ ଗଜପତିର ପାରଳାଖେମୁଣ୍ଡି ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସନ୍ଦୀପ କୁମାର ଶୁଭଦର୍ଶୀଙ୍କୁ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ସୌମ୍ୟଶ୍ରୀ ବେହେରାଙ୍କୁ ମୟୂରଭଞ୍ଜର ଉଦଳା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ ଅବସ୍ଥାପିତ କରାଯାଇଛି।

ଏହା ବ୍ୟତୀତ ବର୍ଷା ସେନାପତିଙ୍କୁ ମୟୂରଭଞ୍ଜ ଜିଲ୍ଲା ଉପ-ନିବନ୍ଧକ (District Sub-Registrar) ଏବଂ ପ୍ରିୟବ୍ରତ ଜେନାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ଉପ-ନିବନ୍ଧକ ଭାବେ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି। ନୂତନ ଦାୟିତ୍ୱ ଗ୍ରହଣ କରିଥିବା ଏହି ଅଧିକାରୀମାନେ ନିଜ ନିଜ କାର୍ଯ୍ୟକ୍ଷେତ୍ରରେ ନିଷ୍ଠା, ଦକ୍ଷତା ଓ ଉତ୍ତରଦାୟିତ୍ୱବୋଧର ସହ ନ୍ୟସ୍ତ ଦାୟିତ୍ୱ ନିର୍ବାହ କରି ଜନସାଧାରଣଙ୍କୁ ସ୍ୱଚ୍ଛ, ସମୟୋଚିତ, ଗୁଣାତ୍ମକ ଓ ଲୋକାଭିମୁଖୀ ସେବା ପ୍ରଦାନ ଦିଗରେ କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି। ସମସ୍ତ ନବନିଯୁକ୍ତ ଅଧିକାରୀମାନଙ୍କୁ ସେମାନଙ୍କର ଏହି ନୂତନ ପ୍ରଶାସନିକ ଦାୟିତ୍ୱ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଛି।

Leave a Reply

Your email address will not be published. Required fields are marked *