ମକର ସଂକ୍ରାନ୍ତିରେ ଝଙ୍କଡ଼ ସାରଳା ପୀଠରେ ୬୦ହଜାରରୁ ଉର୍ଦ୍ଧ୍ବ ଭକ୍ତସମାଗମ

ରାଜ୍ୟ
Spread the love

ଝଙ୍କଡ଼ :  ପବିତ୍ର ମକର ସଂକ୍ରାନ୍ତି ପର୍ବ ଉପଲକ୍ଷେ, ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ପ୍ରାୟ ୬୦ ହଜାର ରୁ ଅଧିକ ଭକ୍ତସମାଗମ ଦେଖିବାକୁ ମିଳିଥିଲା ।  ପ୍ରାତଃ ୪ ଟାରେ ମାଆଙ୍କ ପହୁଡ଼ ଖୋଲିଲାପରେ ମଙ୍ଗଳ ଆଳତି, ମାର୍ଜ୍ଜନl , ସକାଳବେଶ, ମହାପ୍ରସାଦ ସମର୍ପଣ, ପାର୍ଶ୍ଵ ଦେବଦେବୀପୂଜା, ଦଶଦିଗପାଳ ପୂଜା, ପାଞ୍ଜିପାଠ, ବାଳଭୋଗ ପୂଜା, ଚଣ୍ଡୀପାଠ, ପ୍ରଥମପ୍ରହର ଧୂପ ପରେ, ମାଆଙ୍କ ମାଳ ଚୂଳକୁ, ୩ ଥର ମନ୍ଦିରବେଢ଼ା ପରିକ୍ରମା କରାଯାଇଥିଲା ।

ମଧ୍ୟାହ୍ନରେ ମକରଚାଉଳ ଭୋଗ ର ସ୍ବତନ୍ତ୍ର ନୀତି ପାଳିତ ହୋଇଥିଲା । ବଡସିଂହାର, ଦ୍ୱିତୀୟ ପ୍ରହର ଧୂପ ପରେ, ପହୁଡ଼ ପଡିଥିଲା ।  ଅପରାହ୍ନ ତିନିଟା ରେ ପୁନଶ୍ଚ ପହୁଡ଼ ଖୋଲାଯାଇ, ମାର୍ଜନା, ବେଶ, ନାଟ୍ୟମଣ୍ଡପରେ ଶୂଦ୍ରମୁନି ସାରଳା ଦାସ ଙ୍କ କୃତ ସାରଳା ମହାଭାରତ ପାଠ ପରେ ସନ୍ଧ୍ୟା ଆଳତି ଦର୍ଶନ ପାଇଁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।  ଯେଉଁ ସଂକ୍ରାନ୍ତି ମଙ୍ଗଳବାର ଦିନ ପଡେ, ସେହି ସଂକ୍ରାନ୍ତି ରାତିରେ, ନିଶାଘଟ ପୂଜା ହୋଇଥାଏ । ତେବେ ଏହି ମକର ସଂକ୍ରାନ୍ତି ମଙ୍ଗଳବାର ଦିନ ପଡ଼ିଥିବାରୁ, ରାତି ୯ ଟା ବେଳେ, ପାଞ୍ଚଜଣ ସେବାୟତ, ନିଜ ନିଜକୁ ଘଟପାଟୁଆ ବେଶରେ ସଜ୍ଜିତ କରି, ଦଶଘଟ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବା ପରେ, ମାଆଙ୍କ ବଡପଣ୍ଡା ଏହି ଦଶଘଟ ର ଗୁପ୍ତପୂଜା କରିବା ପରେ ଏହି ଦଶଘଟ କୁ ଧାରଣ କରି ସେବାୟତ ମାନେ ମନ୍ଦିର ବେଢ଼ା ପରିକ୍ରମା କରିବା ପରେ, ନାଟ୍ୟମଣ୍ଡପ ସମ୍ମୁଖରେ ଘଟାନୃତ୍ୟ ପରିବେଷଣ କରିଥିଲେ।

ପ୍ରଥମ ପ୍ରହର ଧୂପ ପରେ, ବଡସିଂହାର, ଭୋଗପୂଜା, ଦ୍ୱିତୀୟ ପ୍ରହର ଧୂପ ପରେ ପଲଙ୍କଶଯ୍ୟା କରାଯାଇ, ଶୀତବସ୍ତ୍ର ପ୍ରଦାନ ପରେ, ପଇଡ ଓ ପଞ୍ଚପୁଷ୍ପ ଅର୍ପଣ ନୀତି ସମ୍ପନ୍ନ ହୋଇ ପହୁଡ଼ ପଡିଥିଲା।ତେବେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ,ଜଗତସିଂହପୁର ଜିଲ୍ଲାର ସହକାରୀ ଜିଲ୍ଲାପାଳ ତଥା ସାରଳା ମନ୍ଦିର ପ୍ରଶାସନର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ କୁମାର ଜେନା, ପ୍ରସାଶନିକ ପଦାଧିକାରୀ ବରଦା ପ୍ରସାଦ ମହାନ୍ତି , ତିର୍ତ୍ତୋଲ ପୋଲିସ ଓ କନକପୁର ପୋଲିସ ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କୁମାର ଭୋଳ, ତିର୍ତ୍ତୋଲ ତହସିଲଦାର ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ, ମଣିଜଙ୍ଗା ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ଏକ ଆଶୁ ଚିକିତ୍ସା ଶିବିର ଖୋଲଯାଇଥିବା ବେଳେ, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ଧାରାବିବରଣୀ ପ୍ରଦାନ ଓ ସୂଚନାକେନ୍ଦ୍ର ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *