ଜଗତସିଂହପୁର/ଝଙ୍କଡ଼ : ମହାନଦୀ ଚିତ୍ରୋତ୍ପଳା ଦ୍ବୀପାଞ୍ଚଳର ଗୁପ୍ତଯମୁନା ପୂଣ୍ୟତୋୟା ପାଇକା ନଦୀର ତଟଦେଶରେ ବିରାଜିତ ବାବା ଆଖଣ୍ଡଳମଣି ଙ୍କ ବାର୍ଷିକ ଯଜ୍ଞୋତ୍ସବ ଗତ ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଶନିବାର ଦିନ ବିଳମ୍ବିତ ରାତ୍ରୀରେ ଉଦଯାପିତ ହୋଇଯାଇଛି।
ପ୍ରତିଷ୍ଠାତା ରମାକାନ୍ତ ପଣ୍ଡା ଙ୍କ ଦ୍ଵାରା ଆୟୋଜିତ ଏହି ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବିଶିଷ୍ଟ ଜ୍ୟୋତିର୍ବିଦ ପଣ୍ତିତ ପ୍ରମୋଦ କୁମାର ପଣ୍ଡା ( ବୁଲୁ ନନା) ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ କଳସ ଶୋଭାଯାତ୍ରା, ଅଙ୍କୁରାରୋପଣ , ଅଗ୍ନି ସ୍ଥାପନ, ରୁଦ୍ରା ଅଭିଷେକ , ଗୋପୁଜା, ଗୀତା ପାଠ ,ସୂର୍ଯ୍ୟପୂଜା , ଗୀତାପାଠ, ଚଣ୍ଡୀପାଠ ସହିତ ପ୍ରତିଦିନ ଯଜ୍ଞରେ ଆହୁତି ପ୍ରଦାନ କରାଯାଇଥିଲା।

ପୂର୍ଣ୍ଣାହୂତି ପ୍ରଦାନ ପୁର୍ବରୁ ଝଙ୍କଡ଼ ସାରଳା ପୀଠ ରୁ ଆସିଥିବା ମା ସାରଳା ଘଟନୃତ୍ୟ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା । ପୂର୍ଣ୍ଣାହୁତି ସମୟରେ ପ୍ରବଳ ବର୍ଷା ହେବା ସମଗ୍ର ଅଞ୍ଚଳ ପାଇଁ ଏକ ଶୁଭସୂଚକ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା। ତେବେ ପ୍ରାତଃ ଓ ସଂଧ୍ୟା ସମୟରେ ବୈଦିକ ବ୍ରାହ୍ମଣ ଦ୍ୱାରା ଆବୃତ୍ତ ମନ୍ତ୍ରଧ୍ଵନି ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିଲା।
ଏହି ସମସ୍ତ କାର୍ଯ୍ୟକ୍ରମକୁ ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।
